ପିଲାଙ୍କ ପାଇଁ ଜରୁରୀ ସେକ୍ସ ଏଜୁକେଶନ୍ କିନ୍ତୁ କେଉଁ ବୟସରେ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

ଛୋଟ ଛୁଆମାନେ ଖୁବ୍ ସରଳ ହୋଇଥାନ୍ତି, ଯେମିତି କି ଏକ ମାଟି ପିଣ୍ଡୁଳା। ପିଲାବେଳୁ ତାଙ୍କୁ ଯେମିତି ଗଢ଼ିତୋଳିବ ବଡ଼ ହେଲେ ସେମାନେ ସେହିଭଳି ବ୍ୟବହାର କରିବେ ଓ ତାହା ହିଁ ତାଙ୍କ ଜୀବନର ଦିଗକୁ ନିର୍ଦ୍ଧାରିତ କରିବ। ଏଣୁ ପିଲାଙ୍କ ସାମ୍ନାରେ କଥାବାର୍ତ୍ତା କରିବା ବେଳେ ଘରର ବଡ଼ମାନେ ଭାବିଚିନ୍ତି କଥା ହୋଇଥାନ୍ତି। କାରଣ ପିଲା ଯାହା ଦେଖିବ ତାହା ହିଁ ଶିଖିବ। ଏଣୁ ଯେତେବେଳେ ପିଲାଙ୍କୁ ସେକ୍ସ ଏଜୁକେସନ୍ ବା ଯୌନ ଶିକ୍ଷା ଦେବା କଥା ଉଠେ, ସବୁ ଅଭିଭାବକ ଚିନ୍ତାରେ ପଡ଼ିଥା’ନ୍ତି। କାରଣ ଯୌନ ଶିକ୍ଷା ଯେତିକି ଜରୁରୀ ତାହାକୁ ବୁଝାଇବା ମଧ୍ୟ ସେତିକି କଷ୍ଟକର କାମ। ପିଲାମାନେ ତାହାକୁ କିଭଳି ଭାବେ ଗ୍ରହଣ କରିବେ ତାହା ମଧ୍ୟ ଚିନ୍ତାର ବିଷୟ। ଏଣୁ ଅଧିକାଂଶ ମାତାପିତା ଏ ବାବଦରେ ପିଲାଙ୍କ ସହ ଆଲୋଚନା କରିନଥା’ନ୍ତି।
କିନ୍ତୁ ଟିଭିରେ କୌଣସି ରୋମାଣ୍ଟିକ୍ ସିନ୍ କିମ୍ବା ଅଶାଳୀନ ବିଜ୍ଞାପନ ଦେଖିଲେ ସେ ନେଇ ଅଧିକରୁ ଅଧିକ ଜାଣିବା ପାଇଁ ପିଲାଙ୍କ ମନରେ ଉତ୍ସୁକତା ରହିଥାଏ। ଯାହା ଆପେ ଆପେ ତାଙ୍କୁ ନାରୀ ଓ ପୁରୁଷର ସମ୍ପର୍କ ବିଷୟରେ ଜଣାଇଥାଏ। ତେବେ ପିଲାଙ୍କୁ ଏବିଷୟରେ ଜ୍ଞାନ ଦେବାର ସେଭଳି କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ। ଯେଉଁ ବୟସରେ ପିଲା ଆପଣଙ୍କୁ ଏ ବିଷୟରେ ପ୍ରଶ୍ନ କରିବା ଆରମ୍ଭ କରିବ କିମ୍ବା ଆପଣଙ୍କୁ ଲାଗିବ ଯେ ଏହି ବୟସରେ ପିଲାଙ୍କୁ ଯୌନ ଶିକ୍ଷା ଦେବା ଜରୁରୀ, ସେତେବେଳେ ତାକୁ ଏ ବିଷୟରେ ବୁଝାଇପାରିବେ।
ପିଲାଙ୍କୁ ଛୁଆ କିପରି ଜନ୍ମ ହୁଅନ୍ତି ତାହା ବୁଝାନ୍ତୁ। ଏଥିସହ ଏହା ମଧ୍ୟ କୁହନ୍ତୁ ଯେ ଆବଶ୍ୟକ ପଡ଼ିଲେ ପିତା ମାତା କିମ୍ବା ଡାକ୍ତର ହିଁ କେବଳ ସେମାନଙ୍କ ଗୁପ୍ତାଙ୍ଗ ବା ପ୍ରାଇଭେଟ୍ ପାର୍ଟକୁ ସ୍ପର୍ଶ କରିପାରିବେ। ଏମାନଙ୍କ ବ୍ୟତୀତ ଆଉ କେହି ଯଦି ପ୍ରାଇଭେଟ୍ ପାର୍ଟକୁ ଛୁଉଁଛନ୍ତି ତେବେ ଏହାକୁ ବିରୋଧ କରିବା ମଧ୍ୟ ପିଲାଙ୍କୁ ଶିଖାନ୍ତୁ। ଏନେଇ ସଚେତନ କରିବା ଖୁବ୍ ଜରୁରୀ।
ଏଭଳି ଭାବେ ପିଲାଙ୍କ ସହ କଥା ହୁଅନ୍ତୁ:
ବର୍ତ୍ତମାନର ପିଲାଙ୍କୁ ଯୌନ ଶିକ୍ଷା ଦେବା ଖୁବ୍ ସହଜ ହୋଇଗଲାଣି। ଏଥିପାଇଁ ଆପଣ ପିଲାଙ୍କୁ ଭିଡିଓ ମାଧ୍ୟମରେ ମଧ୍ୟ ଶିକ୍ଷା ଦେଇପାରିବେ। ଏହା ବ୍ୟତୀତ ରବି ଏଚ୍ ହ୍ୟାରିସ୍ଙ୍କ ପୁସ୍ତକ ପଢ଼ି ମଧ୍ୟ ପିଲାଙ୍କୁ ଏନେଇ ବୁଝାଇପାରିବେ। ଯଦି ଛୁଆ କିଛି ବୁଝିପାରୁନାହିଁ ତେବେ ତାକୁ ବୁଝାଇବାରେ ସମୟ ନିଅନ୍ତୁ। କାରଣ କିଶୋର ଅବସ୍ଥାରେ ପିଲାମାନେ ମାସିକ ଧର୍ମ, ଗର୍ଭଧାରଣ, ହସ୍ତମୈଥୁନ, ପ୍ରେମ, ଆକର୍ଷଣ, ଶାରୀରିକ ଆକର୍ଷଣ, ସେକ୍ସ ଆଦି କଥାକୁ ଜାଣିବାକୁ ଇଚ୍ଛୁକ ଥାଆନ୍ତି। କିନ୍ତୁ ଲାଜ ଓ ଭୟରେ ସେମାନେ ଅଭିଭାବକଙ୍କୁ ଏନେଇ ପଚାରିପାରିନଥାନ୍ତି।
ମାତ୍ର ଜାଣିବାକୁ ଇଚ୍ଛା ଥିବାରୁ ପର୍ଣ୍ଣ ସାଇଟ୍ କିମ୍ବା ନେଟ୍ ଦେଖିଥାଆନ୍ତି। ଯେଉଁଥିରୁ ସେମାନେ ଭୁଲ ଜ୍ଞାନ ସଂଗ୍ରହ କରିଥାନ୍ତି। ତେଣୁ ଭୁଲ ଜିନିଷ ଶିକ୍ଷା କରି ଭବିଷ୍ୟତରେ ଭୁଲ କରିବା ଅପେକ୍ଷା ବାପା ମା’ ହିସାବରେ ଛୁଆଙ୍କୁ ଠିକ୍ ଓ ସୁରକ୍ଷିତ ଜ୍ଞାନ ଦେବା ଜରୁରୀ।