ଧୁମଧାମରେ ଚାଲିଛି ପାଟଣାଗଡ଼ ମୁଦଘାଟ ଗ୍ରାମରେ ନବନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ପାଟଣାଗଡ଼ : ସେ ଭକତ ଭାବରେ ବନ୍ଧା, ସେ ଭକ୍ତ ବତ୍ସଳ । କେତେବେଳେ ଭକତ ହାତରୁ ନଡିଆ ନିଏ ତ କେତେବେଳେ ସେ ଭକ୍ତର ବାଲି ରଥରେ ବି ବସେ । ଭକ୍ତର ଭାବନାକୁ ବୁଝେ ସେଥି ପାଇଁ ତ ତାକୁ ଭାବ ବିନୋଦିଆ କୁହାଯାଏ । ଯେତେବେଳେ ଭକ୍ତି ଓ ଆସ୍ଥାର କଥା ଆସେ ସେଠି ପଥର ବି ଠାକୁର ଭଳି ଦେଖା ଯାଆନ୍ତି । ତେବେ ସେହି ଜଗନ୍ନାଥଙ୍କୁ ନିଜ ଗାଁରେ ସ୍ଥାପିତ କରି ତାଙ୍କୁ ପ୍ରତିଦିନ ଦର୍ଶନ କରିବା ସହ ତାଙ୍କ ଆଶୀର୍ବାଦ ନେବା ପାଇଁ ଚାଲିଛି ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ମୁଦଘାଟ ଗ୍ରାମରେ ନବନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପୁଷ୍କରିଣୀରୁ ଶହଶହ ମହିଳା କଳସ ବୁଡାଇ ଯଜ୍ଞ ମଣ୍ଡପକୁ ଆଣିଥିଲେ । ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ପ୍ରତିଦିନ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ଅନୁଷ୍ଠିତ ହେବ । ଗ୍ରାମ ତଥା ଆଖପାଖ ଗ୍ରାମ ବାସୀଙ୍କ ମିଳିତ ଉଦ୍ୟମରେ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ବହୁ ଜାକଜମକରେ କରିବା ପାଇଁ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି ।
ଭାବର ଠାକୁର ହେଉଛନ୍ତି ଭାବ ବିନୋଦିଆ କଳା ଠାକୁର । ହାତ ଟେକି ଥରେ ହୃଦୟରୁ ଡାକିଦେଲେ ଭକ୍ତଙ୍କ ପାଖକୁ ଚାଲି ଆସନ୍ତି କଳା ସାଆନ୍ତ । ତେବେ ଏ ଭଳି ଏକ ପବିତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି ଶହ ଶହ ସଂଖ୍ୟକ ଭକ୍ତ । ମହାମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହେଉଛି ଯଜ୍ଞ ମଣ୍ଡପ । ମହାମନ୍ତ୍ରରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ସଭିଏଁ ସ୍ୱରରେ ସ୍ୱର ମିଶାଇ ହରିନାମ ଗାୟନ କରୁଛନ୍ତି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ । ଯାହାକୁ ନେଇ ଗାଁରେ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ ।
ଆହୁରି ପଢନ୍ତୁ : ମଙ୍ଗଳବାର ଏପରି କରନ୍ତୁ ବଜରଙ୍ଗବଲୀଙ୍କ ପୂଜା, ପୂରଣ ହେବ ସମସ୍ତ ଇଚ୍ଛା