ଭାରତୀୟ ପୁରୁଷଙ୍କଠାରେ ବଢ଼ୁଛି ଇନ୍‌ଫର୍ଟିଲିଟି ସମସ୍ୟା, ତୁରନ୍ତ ଛାଡ଼ନ୍ତୁ ଏସବୁ ଖରାପ ଅଭ୍ୟାସ

ଅଧିକାଂଶ ଲୋକଙ୍କର ବିଳମ୍ବିତ ରାତି ଯାଏଁ ମୋବାଇଲ କିମ୍ବା ଲାପଟପ୍‌ରେ କିଛି ନା କିଛି ଦେଖିବା ଅଭ୍ୟାସ ରହିଛି। କିନ୍ତୁ ଏହି ଅଭ୍ୟାସ ପୁରୁଷଙ୍କ ପାଇଁ ଖରାପ ସାବ୍ୟସ୍ତ ହୋଇପାରେ। ଏକ ନୂଆ ରିସର୍ଚ୍ଚ ମୁତାବକ, ଫୋନ୍‌ରୁ ବାହାରୁଥିବା ବ୍ଲୁ ଲାଇଟ୍‌ ପୁରୁଷଙ୍କ ସ୍ପର୍ମ କ୍ୱାଲିଟିକୁ ଖରାପ କରିଥାଏ। ଆମେରିକାର ଭର୍ଚୁଆଲ ସ୍ଲିପ୍‌ ପତ୍ରିକାରେ ପ୍ରକାଶିତ ରିସର୍ଚ୍ଚରେ ଏହି ଖୁଲାସା ହୋଇଛି।

ରିସର୍ଚ୍ଚରେ ୨୧ରୁ ୫୯ ବର୍ଷୀୟ ୧୧୬ ଜଣ ପୁରୁଷ ଭାଗ ନେଇଥିଲେ। ଏ ସମସ୍ତ ବ୍ୟକ୍ତି ଫର୍ଟିଲିଟି ଇଭେଲ୍ୟୁଏସନ୍‌ ଦେଇ ଗତି କରୁଥିବା ଜଣାପଡ଼ିଥିଲା। ସମସ୍ତଙ୍କୁ ନିଜ ସହ ଜଡ଼ିତ ଅଭ୍ୟାସ ଓ ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ୍ସର ବ୍ୟବହାର ବିଷୟରେ କେତେକ ପ୍ରଶ୍ନ ପଚରାଯାଇଥିଲା। ରିସର୍ଚ୍ଚରେ ସନ୍ଧ୍ୟା ବେଳେ ଓ ରାତିରେ ଗ୍ୟାଜେଟ୍‌ରୁ ନିର୍ଗତ ହେଉଥିବା ଲାଇଟ୍‌ ଓ ଖରାପ ସ୍ପର୍ମ କ୍ୱାଲିଟି ମଧ୍ୟରେ ସମ୍ପର୍କ ଥିବା ଦେଖିବାକୁ ମିଳିଛି। ଏଥିରେ ସୁସ୍ଥ ପୁରୁଷଙ୍କ ସ୍ପର୍ମ ଓ ତାଙ୍କ ଫର୍ଟିଲିଟି ଉପରେ ଫୋନ୍‌ ରେଡିଏସନ୍‌ର ପ୍ରଭାବ ବିଷୟରେ ଗବେଷଣା କରାଯାଇଥିଲା।

ରିସର୍ଚ୍ଚ ମୁତାବକ, ଇଲେକ୍ଟ୍ରୋନିକ୍‌ ଓ ଡିଜିଟାଲ ମିଡିଆ ଉପକରଣର ବ୍ୟବହାରର ପ୍ରଜନନ କ୍ଷମତା ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ଷ୍ଟଡି ଅନୁସାରେ, ସ୍ମାର୍ଟଫୋନ୍‌ ଓ ଟାବ୍‌ଲେଟ୍ସରୁ ନିର୍ଗତ ଲାଇଟ୍‌ ଶୁକ୍ରାଣୁର ଗତିଶୀଳତା ଓ କ୍ୱାଲିଟି ଉପରେ ପ୍ରଭାବ ପକାଇଥାଏ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନ୍‌ ବ୍ୟବହାର କରୁଥିବା ପୁରୁଷଙ୍କ ସ୍ପର୍ମ କାଉଣ୍ଟ ଅଳ୍ପ ସମୟ ମୋବାଇଲ ବ୍ୟବହାର କରୁଥିବା ଲୋକଙ୍କ ତୁଳନାରେ କମ୍‌ ଥିବା ଦେଖିବାକୁ ମିଳିଛି।

ଯେଉଁ ପୁରୁଷମାନେ ଠିକ୍‌ ସମୟରେ ଶୋଇଥାଆନ୍ତି, ସେମାନଙ୍କ ସ୍ପର୍ମର ଗତିଶୀଳତା ଉନ୍ନତମାନର ରହିଥାଏ। ଏମାନଙ୍କ କ୍ଷେତ୍ରରେ ସନ୍ତାନ ଜନ୍ମ କରିବା କ୍ଷମତା ଅଧିକ ଥାଏ। ଏଣୁ ରିସର୍ଚ୍ଚରେ ପୁରୁଷଙ୍କୁ ପ୍ରଜନନ କ୍ଷମତା ବଢ଼ାଇବାକୁ ମୋବାଇଲ ବ୍ୟବହାର କମ୍‌ କରିବାକୁ କୁହାଯାଇଛି।