ଜଗତସିଂହପୁର ସ୍ଥିତ ଶାରଳା ପୀଠରେ ଜଗନ୍ନାଥ ମହୋତ୍ସବ ଉଦଯାପିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ବାଣୀକ୍ଷେତ୍ର ଝଙ୍କଡ଼ ସ୍ଥିତ ଶାରଳା ପୀଠରେ ପାଳିତ ହେଉଥିବା ଦ୍ୱାଦଶ ବାର୍ଷିକ ଜଗନ୍ନାଥ ପାଞ୍ଚରାତ୍ର, ଗତକାଲି ଏକାଦଶୀ ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ସାରଳା ସେବାୟତମାନଙ୍କ ଦ୍ଵାରା, ଗତ ମାର୍ଚ୍ଚ ୫ତାରିଖ ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି ଜଗନ୍ନାଥ ମହୋତ୍ସବ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଲୀଳାମୟ ମହାପ୍ରଭୁ ଜଗନ୍ନାଥଙ୍କ ୨୪ବେଶ, ୫୬ଭୋଗ ମଣ୍ଡପ, ଜଗନ୍ନାଥ ପୁସ୍ତକ ମେଳା, ବିଶ୍ଵଶାନ୍ତି ମହାଯଜ୍ଞ, ଜଗନ୍ନାଥଙ୍କ ଉପାସନା ପୂଜା ବିଧି ପ୍ରଶିକ୍ଷଣ ଶିବିର ଓ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ପରିବେଷଣ ହୋଇଛି ।

ଏହି ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ପୁରୀ ରାଜା ମୁଖ୍ୟ ପୁରୋଧା ଭାବେ ଯୋଗଦେଇ ମାଆ ଶାରଳାଙ୍କ ଆରତୀ କରିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ଆରତୀ କରିଥିଲେ । ପରେ ଆୟୋଜିତ ମହୋତ୍ସବ ମଞ୍ଚରେ ପୁରୀର ଶ୍ରୀ ରାଧା ବଲ୍ଳବ ମଠ ମହନ୍ତ, ସନ୍ଥ ଶ୍ରୀ ସତ୍ୟାନନ୍ଦ ଦାସ ଏବଂ ଶ୍ରୀ ଗଜପତି ମହାରାଜ ଆଶ୍ରୀବଚନ ପ୍ରଦାନ କରିଥିଲେ ।

ପ୍ରତ୍ୟେହ ସଂଧ୍ୟାରେ, ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ଦ୍ଵାରା ସ୍କନ୍ଧ ପୂରାଣ ବର୍ଣ୍ଣିତ ମହାପ୍ରଭୁଙ୍କ ଲୀଳା ମାହାତ୍ମ୍ୟ ଉପରେ ଆଧାରିତ ଭାବପୂର୍ଣ୍ଣ ଧାରାବାହିକ ଦିବ୍ୟ ପ୍ରବଚନ ଆଦି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯକ୍ରମ ଆୟୋଜିତ ହୋଇଥିଲା । ପଞ୍ଚମସନ୍ଧ୍ୟାର ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓ ପ୍ରଥମ ଓଡ଼ିଆ କଥକ ନୃତ୍ୟଶିଳ୍ପୀ ଗୁରୁ ଚିତ୍ତରଞ୍ଜନ ସାହାଣୀ, ସାହାଣୀ ଓ ସଂଯୁକ୍ତା ସାହୁଙ୍କ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ।

ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁରୀ ଶ୍ରୀମନ୍ଦିରର ପଣ୍ତିତ ସୁଦର୍ଶନ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଅଲୌକିକ ଲୀଳା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କୁନି ପ୍ରବଚକ କେଶବ ଦିତିକୃଷ୍ଣ ପ୍ରାରମ୍ଭିକ ଆବାହନି ଭଜନ କରିଥିବା ବେଳେ, ରେଢୁଆ କ୍ରିୟା ଯୋଗ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଶ୍ରଦ୍ଧାନନ୍ଦ ଗିରି, ନିଜକୁ ସମର୍ପଣ କରିଦେଲେ ଭଗବତ କୃପା ଲାଭ ହୋଇଥାଏ ବୋଲି କହିଥିଲେ ।

ଟ୍ରଷ୍ଟର ସଭାପତି ଇଞ୍ଜିନିୟର ବିଷ୍ଣୁ ଚରଣ ସ୍ୱାଇଁ ନିମନ୍ତ୍ରିତ ଅତିଥି ମାନଙ୍କୁ ଓ ସମସ୍ତ ଭକ୍ତସମାଜକୁ ସ୍ଵାଗତ କରିଥିଲେ । ଏହି ଅବସରରେ ଶେଷ ଦିବସରେ ତିର୍ତ୍ତୋଲ ଥାନାର ଆଇଆଇସିଙ୍କ ସମେତ କେତେକ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ମଞ୍ଚ ଉପରେ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ହଜାର ହଜାର ଲୋକମାନେ ପ୍ରତ୍ୟହ ଆସି ସ୍କନ୍ଧ ପୂରାଣ ବର୍ଣ୍ଣିତ ମହାପ୍ରଭୁଙ୍କ ଲୀଳା ମାହାତ୍ମ୍ୟର ପ୍ରବଚନ ଶୁଣିଥିଲେ । ଶାରଳାଙ୍କ ପୀଠ ହୋଇଯାଇଥିଲା ଭକ୍ତିପୂର୍ଣ୍ଣ । ପ୍ରଭୁ ବଳଭଦ୍ରଙ୍କ ଦାରୁ ଯାଇଥିବା ସ୍ଥାନ ହୋଇଯାଇଥିଲା ଜଗନ୍ନାଥମୟ । ମହାପ୍ରଭୁଙ୍କ ୨୪ ବେଶ, ୫୬ ଭୋଗ ଦେଖି ଲୋକମାନେ ବିଭୋର ହୋଇଥିଲେ ।

୬ଦିନ ବ୍ୟାପୀ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସେବାୟତ ସମାଜର ସମ୍ପାଦକ କ୍ଷୀରୋଦ କୁମାର ରାଉଳ, କୋଷାଧ୍ୟକ୍ଷ ବିଶ୍ୱରଂଜନ ରାଉଳ, ସୁଦାମ ଚରଣ ରାଉଳ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳଙ୍କ ସମେତ ସାରଳା ମନ୍ଦିରର ସମସ୍ତ ସେବାୟତ, ସ୍ଥାନୀୟ ଅଞ୍ଚଳର ଅଧିବାସୀ, ଜିଲ୍ଲାପ୍ରଶାସନ ଓ ବହୁ ସାଧୁ ସନ୍ଥ ମହାତ୍ମା ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ ।

ଆହୁରି ପଢନ୍ତୁ: ମାଧିପୁର ଗ୍ରାମର ଦୋଳ ବିମାନରେ ମହାପ୍ରଭୁଙ୍କ ହରିହର ଭେଟ, ତିନି ଦିନ ଧରି ଚାଲିଲା ନାମ ଯଜ୍ଞ