ଅନୁଷ୍ଠିତ ହେଲା ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ, ଆଧ୍ୟାତ୍ମିକ ଚେତନାରେ ବୁଡ଼ିଲେ ଭକ୍ତ

ମହାମନ୍ତ୍ର ଧ୍ବନିରେ ଗୁଞ୍ଜରିତ ହେଲା  ନାମ ମଣ୍ଡପ । ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ ମହାମନ୍ତ୍ରରେ ପ୍ରକମ୍ପିତ ହେଲା ସାରା ପରିବେଶ । ଗାୟକଙ୍କ ସ୍ବରରେ ସ୍ବର ମିଶାଇ ସମସ୍ତେ ହରିନାମ ଗାୟନ କଲେ । ଆଉ ମୃଦଙ୍ଗର ତାଳେ ତାଳେ ନାଚିବା ସହ ନିଜକୁ ରାମ ରସ କୃଷ୍ଣ ପ୍ରେମରେ ହଜାଇ ଦେଇଛନ୍ତି ଏମାନେ । ଜଗତର ନାଥ ଜଗନ୍ନାଥଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ସହ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଧ୍ୟାତ୍ମିକ ଚେତନା ଲୋକଙ୍କୁ ମନରେ ଜାଗ୍ରତ ହୋଇଛି ।

ଖାଲି ଯେ ଗାଁ ଲୋକ ତା ନୁହେଁ ଆଖ ପାଖ ଗାଁର ହଜାର ହଜାର ଲୋକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଛନ୍ତି । ଦୀର୍ଘ ୯ ଦିନ ଧରି ଗୋଟିଏ ସୂତା ଖିଅରେ ବାନ୍ଧିହୋଇ ଆଧ୍ୟାତ୍ମିକ ପରିବେଶରେ ଏକତ୍ରିତ ହୋଇଛନ୍ତି ଗ୍ରାମବାସୀ । ଏଭଳି ପରିବେଶ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଟିକିରାପଡା ଗାଁରେ ଦେଖିବାକୁ ମିଳିଛି । ଆଉ ଜଗନ୍ନାଥ ସଂସ୍କୃତିର ଏଭଳି କାର୍ଯ୍ୟକ୍ରମ କରି ବେଶ ଖୁସି ଅଛନ୍ତି ଗାଁର ଲୋକ ।

ସାହିତ୍ୟ ସଂସ୍କୃତିର ମାଟି ସୁବର୍ଣ୍ଣପୁର । ଏଠି ପାଳନ ହୁଏ ବାର ମାସରେ ତେରପର୍ବ । ତେବେ ଜିଲ୍ଲାର ଗାଁ ଗାଁରେ ନିଆରା ଢଙ୍ଗରେ ପାଳନ କରାଯଏ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ଯେଉଁଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା କରାଯିବା ସହ ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଛି । ସୁଉଚ୍ଚ ତୋରଣ, ଭାଗବତ ପାରାୟଣ, ନାମ ସଂକୀର୍ତ୍ତନ ସାଙ୍ଗକୁ କଂଶ ଦରବାର ଭଳି କାର୍ଯ୍ୟକ୍ରମ ହେଉଥିବା ଦେଖିବାକୁ ମିଳିଛି ।

ଦୀର୍ଘ ନଅ ଦିନ ଧରି ଚାଲିଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଲୋକଙ୍କ ମନୋରଞ୍ଜନ ସକାଶେ ଚାଲିଛି କଂଶ ଦରବାର । ସେପଟେ ନାମସଂକୀର୍ତ୍ତନ ଏପଟେ କଂସ ଦରବାର ଲୋକଙ୍କୁ ଆହୁରି ଖୋରାକ ଯୋଗାଉଛି । କଂଶ ମହାରାଜାଙ୍କ ପ୍ରତିଟି ସଂଳାପ ଲୋକଙ୍କୁ ବାନ୍ଧିରଖି ପାରିଛି । ନଅ ଦିନ ଧରି ଅନୁଷ୍ଠିତ ଏହି ନିଆରା କାର୍ଯ୍ୟକ୍ରମ ସମସ୍ତଙ୍କ ମନକୁ ଛୁଇଁଛି । ଅନ୍ୟପଟେ ଗାଁରେ ହେଉଥିବା କାର୍ଯ୍ୟକ୍ରମ ଗାଁ ସଂସ୍କୃତିକୁ ଅଧିକ ଉଜ୍ଜିବୀତ କରୁଛି ।

Also Read: ରାମେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ