ମା’ ରକ୍ତାମ୍ୱରୀ ଓ ମା’ ସମଲେଶ୍ଵରୀଙ୍କ ବିରଳ ଯୋଡି ଛତର ଯାତ୍ରା

ନୂଆପଡା: ନୂଆପଡା ଜିଲ୍ଲାର ବହୁ ପୁରୁଣା ସହର ହେଉଛି ଖଡିଆଳ । ୧୮୨୦ ମସିହାରେ ଖଡିଆଳର ତତ୍‌‍କାଳୀନ ରାଜା ରତନ ସିଂଦେଓ କୋମନାଗଡରୁ ତାଙ୍କ ରାଜଧାନୀକୁ ଖଡିଆଳକୁ ଆଣି ପ୍ରତିଷ୍ଠା କରିଥିଲେ । ଖଡିଆଳରେ ରାଜଧାନୀ ପ୍ରତିଷ୍ଠା ହେବାପରେ ଖଡିଆଳ ନିକଟସ୍ଥ ପଲମାଗଡରୁ ମା’ ରକ୍ତାମ୍ୱରୀଙ୍କୁ ଗୋଟିଏ ପାଦରେ ଗୋଟିଏ ବୋଦା ବଳି ଦେଇ ଖଡିଆଳକୁ ଆଣି ପ୍ରତିଷ୍ଠା କରିଥିଲେ । ସେହିଭଳି କୋମନାଗଡରୁ ମା’ ସମଲେଶ୍ଵରୀଙ୍କୁ ମଧ୍ୟ ପାଛୋଟି ଆଣିବା ପରେ ଖଡିଆଳର ଇଷ୍ଟଦେବୀ ଭାବେ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରି ଆସୁଛନ୍ତି । ସେହିଦିନଠାରୁ ପ୍ରତିବର୍ଷ ଦଶହରା ମହାଳୟା ଦିନଠାରୁ ପ୍ରଥମେ ଖଡିଆଳର ଗଡଦେବୀ ମା’ ରକ୍ତାମ୍ୱରୀଙ୍କ ମନ୍ଦିରରୁ ଢୋଲବାଜା ସହ ଛତର ଧରି ସେବାୟତ ଓ ପୂଜାରୀମାନେ ସ୍ଥାନୀୟ ରାଜା.ଏ.ଟି. ହାଇସ୍କୁଲ ପଛପଟେ ଥିବା ଦେବୀ ରକ୍ତାମ୍ୱରୀଙ୍କ ମୁଖ୍ୟପୀଠକୁ ଯାଇଥାନ୍ତି । ସେଠାରେ ପୂଜାର୍ଚ୍ଚନା ହେବାପରେ ଛତରକୁ ରକ୍ତାମ୍ୱରୀ ମନ୍ଦିରକୁ ଆଣି ଦଶ ଦିନ ବ୍ୟାପୀ ଅଖଣ୍ଡ ଦୀପ ଜାଳି ପୂଜାର୍ଚ୍ଚନା କରାଯାଉଛି ।

ସେହିଭଳି ପ୍ରତିପଦା ଦିନରେ ଖଡିଆଳର ଇଷ୍ଟଦେବୀ ମା’ ସମଲେଶ୍ଵରୀଙ୍କ ଛତର ଧରି ବାଜା ସହ ଦେବୀଙ୍କ ସେବାୟତ ଓ ପୂଜାରୀମାନେ ଖଡିଆଳର ଗୋଶାଳା ନିକଟରୁ ଦେବୀଙ୍କ ମୂଖ୍ୟ ପୀଠସ୍ଥଳରୁ ଛତର ମନ୍ଦିରକୁ ଅଣାଯାଇ ଦେବୀଙ୍କୁ ନଅଦିନ ଧରି ବିଭିନ୍ନ ବେଶରେ ତନ୍ତ୍ରମନ୍ତ୍ର ପାଠ କରି ପୂଜା କରାଯାଇଥାଏ । ଆଜି ବିଜୟା ଦଶମୀରେ ମା’ ସମଲେଶ୍ଵରୀଙ୍କ ପୀଠରେ ମାନସିକଧାରୀ ଭକ୍ତମାନେ ବୋଦାବଳି ଦେବାର ପରମ୍ପରା ରହିଛି । ଏବର୍ଷ ଏହି ଦୁଇ ଦେବୀଙ୍କ ଯୋଡି ଛତର ଯାତ୍ରାରେ ନୂଆପଡା ଜିଲା ସମେତ ବ୍ରହ୍ମପୁର,କୋରାପୁଟ ଓ ବଲାଙ୍ଗିର ଜିଲ୍ଲାର କଳାକାରମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବ୍ରହ୍ମପୁରର ଘୋଡାନାଚ, ଘୁମୁରାବାଦ୍ୟ, ଘଣ୍ଟ,ବାଜା, ଦୁଲଦୁଳି ବାଜାର ଢୋଲ, ନିଶାନ  ଓ ତାସାର ତାଳେ ତାଳେ ଦୁଇ ଦେବୀଙ୍କ ଯୋଡି ଛତର ଯାତ୍ରା ଖଡିଆଳ ସହର ପରିକ୍ରମା କରିଥିଲା ।  ଖଡିଆଳ ଏହି ଦୁଇ ଦେବୀଙ୍କ ଛତର ଯାତ୍ରାକୁ ଦେଖିବା ପାଇଁ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।

ଖଡିଆଳର ଗଡଦେବୀ ମା’ ରକ୍ତାମ୍ୱରୀ ଓ ଇଷ୍ଟଦେବୀ ମା’ ସମଲେଶ୍ଵରୀଙ୍କ ବୁଏଲ ଯାତ୍ରା ବହୁ ବର୍ଷ ଧରି ପାଳନ ହୋଇଆସୁଅଛି । ଚଳିତ ବର୍ଷ ବୁଏଲ ଯାତ୍ରା ୨୦୪ବର୍ଷରେ ପଦାର୍ପଣ କରିଛି । ଦଶହରା  ବିଜୟା ଦଶମୀ ଉପଲକ୍ଷେ ଖଡିଆଳର ଗଡଦେବୀ ଓ ଇଷ୍ଟଦେବୀ ମା’ ସମଲେଶ୍ଵରୀଙ୍କ ଛତରଯାତ୍ରା ବାହାରି ନଗର ପରିକ୍ରମା କରିଥାଏ । କିନ୍ତୁ ଏହି ଦୁଇ ଦେବୀଙ୍କ ମଧ୍ୟରେ କେବେ ଯଦି ମୁହାଁମୁହିଁ ଭେଟ ହୋଇଯାଏ, ତେବେ ଦୁଇ ଦେବୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ମଧ୍ୟ ହୋଇଥାଏ ବୋଲି ସ୍ଥାନୀୟ ଗବେଷକମାନେ ମତ ଦେଇଥାନ୍ତି ।

ବିଜୟା ଦଶମୀରେ ମା’ ରକ୍ତାମ୍ୱରୀ ଓ ମା’ ସମଲେଶ୍ଵରୀ ନଗର ପରିକ୍ରମା ଶେଷ କରିବା ପରେ ମଧ୍ୟରାତ୍ରିରେ ଖଡିଆଳ ରାଜଦରବାର ସମ୍ମୁଖରେ ଦୁଇ ଦେବୀଙ୍କ ଖବର ଚୋପା ଉତ୍ସବ ହୋଇଥାଏ । ଦେବୀ ରକ୍ତାମ୍ୱରୀ ଓ ମା’ ସମଲେଶ୍ଵରୀଙ୍କ ଯୋଡି ଛତର ଯାତ୍ରା ଓଡିଶା ବିରଳ ହୋଇଥିବା ବେଳେ ଦେବୀ ଦୁହେଁଙ୍କ ଖପର ଚୋପା ଉତ୍ସବରେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ଏଥିରେ ସାମିଲ ହୋଇ ଖପର ଖଣ୍ଡେ ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତ ହୋଇଥାଏ । ସେହି ଖପର ଖଣ୍ଡେ ପାଇଲେ ନିଜକୁ ଧନ୍ୟ ମନେ କରିବା ସହ ନିଜର ମନସ୍କାମନା ପୂର୍ଣ ହୋଇଥାଏ ବୋଲି ଭକ୍ତମାନଙ୍କ ଅଗାଢ ବିଶ୍ଵାସ ରହିଛି ।