ଚୈତ୍ର ପୂର୍ଣ୍ଣମୀରେ ଶହ ଶହ ଡ଼ଙ୍ଗା ପୂଜା କରିବା ସହ ମା’ ବାସେଳୀଙ୍କୁ ଆରାଧନା କଲେ କୈବର୍ତ ପରିବାର

ପିପିଲି: ଘଣ୍ଟ, ଘଣ୍ଟା, ବାଜ ବାଜଣା ସହ ଗ୍ରାମବାସୀ ବାହାରିଛନ୍ତି ଠାକୁରାଣୀଙ୍କ ପାଖକୁ । ନଈ କୂଳରେ ଧୂପ ଦୀପ ନୈବେଦ୍ୟରେ କରିବେ ଗଙ୍ଗା ମାତାଙ୍କ ପୂଜାର୍ଚ୍ଚନା । ଏ ହେଉଛି ପୁରୀ ଜିଲ୍ଲା କଣାସ ଅନ୍ତର୍ଗତ ନୂଆ ଦୋକନ୍ଦା ଗ୍ରମାରେ ଚୈତ୍ର ପୂର୍ଣ୍ଣମୀ ଦିନ କୈବର୍ତମାନଙ୍କର ନୌକା ପୂଜାର ଅବସର । ଖିରି ପିଠା ସାଙ୍ଗକୁ ନୌକା ପୂଜା ପୁଣି ମା’ ବାସେଳୀଙ୍କ ପୂଜାର୍ଚ୍ଚନା । ନଈ କୂଳରେ ଧାଡ଼ି ଧାଡ଼ି କରି ନୌକା ସବୁ ରଖାଯାଇ ପୂଜାର୍ଚ୍ଚନା କରାଯାଇଥାଏ । ଖୁବ୍ ଉତ୍ସାହ ଉଦ୍ଦିପନାର ସହ ପିଢି ପରେ ପିଢି ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି ଏହି କୈବର୍ତ ସମ୍ପ୍ରଦାୟର ଲୋକମାନେ ।
ଘରର ମହିଳାମାନେ ଘର ଦ୍ଵାର ଭଲ ଭାବରେ ଲିପାପୋଛା କରିବା ପରେ ଆରମ୍ଭ କରିଦିଅନ୍ତି ରୋଷେଇବାସ । ରୋଷେଇ ଶେଷ ହେବା ପରେ ଘର ଭିତରେ ନିଜର କୁଳ ବେଉସା ଭାବରେ ଜାଲକୁ ଭଲ ଭାବରେ ଧୋଇ ଶୁଖାଇବା ପରେ ପୂଜାର୍ଚ୍ଚନା ପାଇଁ ଏହାକୁ ରଖିଥାନ୍ତି । ତା ସହିତ ତରାଜୁ ବଟକରା ଚିଡ଼େଇ ଗଉଣୀକୁ ରଖି ତା ଉପରେ ନୂଆ ବସ୍ତ୍ରକୁ ପକାଇ ସିନ୍ଦୁର ଚନ୍ଦନ ଲଗାଇ ପୂଜାର୍ଚ୍ଚନା କରିଥାନ୍ତି । ପୂଜା ଶେଷ ହେବା ପରେ ବନ୍ଦାପନା କରିଥାନ୍ତି । ଏହା ଶେଷ ହେବା ପରେ ଘରର ପୁରୁଷ ଲୋକମାନଙ୍କୁ ନଦୀରେ ନାଆ ପୂଜା କରିବା ପାଇଁ ମେଲାଣି ଦେଇଥାନ୍ତି ।
ଚୈତ୍ର ପୂର୍ଣ୍ଣମୀ ହେଉଛି କୈବର୍ତ ମାନଙ୍କର ସ୍ଵତନ୍ତ୍ର ଦିନ । ପ୍ରତ୍ୟକ କୈବର୍ତ ସମ୍ପ୍ରଦାୟର ଲୋକମାନେ ଏହି ଦିନଟିକୁ ଅତି ନିଷ୍ଠାର ସହିତ ପାଳନ କରିଥାନ୍ତି । ଆଉ ପରମ୍ପରା ପ୍ରେମୀଙ୍କ ପାଇଁ ଏହି ଦିନର ଆକର୍ଷଣ ହେଉଛି ଘଣ୍ଟ ଘଣ୍ଟା ଓ ନାଚ ଗୀତରେ ଝୁମି ଉଠିଥିଲେ ଗାଁଟା ସାରା । ଗ୍ରାମର ସମସ୍ତ ମତ୍ସ୍ୟଜୀବୀ ଏକତ୍ରିତ ହୋଇ ହାତରେ ଭୋଗ ନୈବେଦ୍ୟ ଧରି ନଦୀ କୁଳକୁ ଯାଇଥାନ୍ତି । ନଈ କୂଳରେ ପହଁଚିବା ପରେ ଗଙ୍ଗାମାତାଙ୍କ ପୂଜାର୍ଚ୍ଚନା ସହ ନାଆକୁ ପୂଜା କରା ଯାଇଥାଏ । ଏହି ପୂଜାର୍ଚ୍ଚନା କରିବା ଫଳରେ ଚିଲିକାକୁ ନାଆ ନେଇଯାଉଥିବା ସମୟରେ କୌଣସି ଅଘଟଣ ନ ଘଟିବା ସହିତ ଭଲ ମାଛ ଧରାଯାଇଥାଏ ବୋଲି ବିଶ୍ଵାସ ରହିଛି ଏହି କୈବର୍ତ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ।
ଜୀବନ ଜୀବିକା ଭିତରେ ପରମ୍ପରା ଗୋଟେ ପଟେ, ବୃତି ଅନ୍ୟ ପଟେ । ସଂସ୍କୃତି ଆଉ ତାହାରି ଭିତରେ ବିଶ୍ଵାସ । କୈବର୍ତଙ୍କ ଇଷ୍ଟ ଦେବୀ ମା’ବାସେଳୀଙ୍କ ପୂଜାର୍ଚ୍ଚନା କରି ଆଶିଷ ଭିକ୍ଷା କରିଛନ୍ତି ଏହି କୈବର୍ତ ପରିବାର ।
ଆହୁରି ପଢନ୍ତୁ: ଶ୍ରୀକ୍ଷେତ୍ର ପୁରୀର ସାହିଯାତ ପରମ୍ପରା, ୫ମ ଦିବସରେ ମାୟା ରୂପି ରାବଣ ହରିନେଲା ମାତା ସୀତାଙ୍କୁ