କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ସ୍ଵତନ୍ତ୍ର ପରମ୍ପରା ନେତ ଉତ୍ସବ, ଜମିଲା ଭକ୍ତଙ୍କ ଭିଡ଼

କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପାଳିତ ହୋଇଥାଏ ବାର ମାସରେ ତେର ପର୍ବ । ସେହି ସବୁ ପର୍ବମାନଙ୍କ ମଧ୍ୟରୁ ମା’ ମଙ୍ଗଳାଙ୍କ ଚୈତ୍ର ପର୍ବ ହେଉଛି ସବୁଠାରୁ ଶ୍ରେଷ୍ଠ । କିମ୍ବଦନ୍ତୀ ଅନୁଯାୟୀ ମା’ ମଙ୍ଗଳା ପ୍ରାଚୀନଦୀରୁ ଏହି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଦିନ ଉଦ୍ଧାର ହୋଇଥିଲେ । ସେହି ପରମ୍ପରା ଅନୁଯାୟୀ ଏହି ଦିନ ମଙ୍ଗଳା ମନ୍ଦିରରେ ଏକ ସ୍ଵତନ୍ତ୍ର ପରମ୍ପରା ନେତ ଉତ୍ସବ ପାଳନ କରାଯାଏ । ଏହି ଦିନ ମା’ ମଙ୍ଗଳାଙ୍କ ମନ୍ଦିର ଉପରେ ରହିଥିବା ବାରାହୀ ଚକ୍ରକୁ ସ୍ନାନ, ମାର୍ଜନା କରାଯାଇ ପୂଜାର୍ଚନା କରାଯାଇଥାଏ ।

ନେତ ଅପର୍ଣ୍ଣାଙ୍କୁ ମା’ ମଙ୍ଗଳାଙ୍କ ନିକଟରୁ ଅଣାଯାଇ ମନ୍ଦିରର ଚତୁପାର୍ଶ୍ୱରେ ତିନିଘେରା ପରିକ୍ରମା କରାଯିବା ପରେ ମନ୍ଦିର ଚୁଡାକୁ ସେବାୟତମାନେ ନେଇ ଉଠିଥାନ୍ତି ଏବଂ ବାରାହୀ ଚକ୍ର ସହିତ ନେତକୁ ବାନ୍ଧିଥାନ୍ତି । ଏହି ପରମ୍ପରା ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଦିନ ଆରମ୍ଭ ହୋଇଥାଏ । ଏହାକୁ ନେତ ଉତ୍ସବ ବୋଲି କୁହାଯାଏ । ମନ୍ଦିର ଚୂଡାରେ ନେତ ବନ୍ଧାଯିବା ପରେ ଗୋପାଳ ସମ୍ପ୍ରଦାୟର ଲୋକମାନେ ମନ୍ଦିରକୁ ପ୍ରବେଶ କରିଥାନ୍ତି ଏବଂ ସେମାନଙ୍କ ପାରମ୍ପରିକ ଗୀତ ଗାଇବା ସହିତ ଲଉଡି ଖେଳ ଖେଳି ମନ୍ଦିର ପରିକ୍ରମା କରିଥାନ୍ତି ।

ମନ୍ଦିର ଚୁଡାରେ ନେତ ବନ୍ଧାଯିବା ପରେ ଶାରଳାଙ୍କ ପୀଠରୁ ଆସିଥିବା ଘଣ୍ଟ ପାଟୁଆ ସେବକମାନେ ମା’ ମଙ୍ଗଳାଙ୍କ ଠାରୁ ଆଜ୍ଞା ମାଳ ନେଇ ପ୍ରାଚୀ ନଦୀକୁ ଘଟ ବୁଡାଇବା ପାଇଁ ଯାଇଥାନ୍ତି ।ସେଠାରୁ ଜଳ ଆଣି ମନ୍ଦିର ଅଭିମୁଖେ ଆସିଥାନ୍ତି । ମନ୍ଦିର ସମ୍ମୁଖ ଏବଂ ମନ୍ଦିର ବେଢା ମଧ୍ୟରେ ଘଣ୍ଟର ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଏହି ଦୃଶ୍ୟ ଦେଖିବା ପାଇଁ ମଙ୍ଗଳା ମନ୍ଦିରରେ ଶହ ଶହ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ରହିଥାନ୍ତି । ମା’ ମଙ୍ଗଳାଙ୍କ ପ୍ରତି ଶ୍ରଦ୍ଧାଳୁମାନଙ୍କ ମନରେ ଅଖଣ୍ଡ ଭକ୍ତି ଏବଂ ବିଶ୍ଵାସ ରହିଛି ।

ଏହି ଚୈତ୍ର ମାସରେ ମହିଳାମାନେ ମା’ଙ୍କ ବ୍ରତ ଧାରଣ କରି ପନ୍ଥେଇ ପୂଜା କରିଥାନ୍ତି । ବିଶ୍ଵାସ ରହିଛି ଯେ ଏହି ବ୍ରତ ଧାରଣ କଲେ ମା’ ମଙ୍ଗଳା ସମସ୍ତ ଭକ୍ତମାନଙ୍କ ମନୋସ୍କାମନା ପୂରଣ କରିଥାନ୍ତି । ଏହି ଭକ୍ତି ଏବଂ ବିଶ୍ଵାସକୁ ଆଧାରକରି ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ମାନେ ମା’ଙ୍କ ମନ୍ଦିରକୁ ଧାଇଁ ଆସନ୍ତି । ଚୈତ୍ର ମାସର ମଙ୍ଗଳବାର ଓଷା ପାଳନ ହେବା ସହିତ ବୈଶାଖ ମାସର ପ୍ରଥମ ମଙ୍ଗଳବାର ମଙ୍ଗଳା ପୀଠରେ ଝାମୁଜାତ୍ରା ଆୟୋଜନ କରାଯିବ ।

Also read: ଭାତୃଭାବ ଭାଇଚାରାର ଅତୁଟ ସମ୍ପର୍କକୁ ସାଉଁଟି ରଖି ଆସୁଛି ମୁନସୀ ମେଲଣ