ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ନିକଟସ୍ଥ ଶିଉଳି ଗଡ଼ମା ଗ୍ରାମର ଗ୍ରାମ ଦେବତୀ ଭଗବତୀ ମାଆ ଅନ୍ନପୂର୍ଣ୍ଣା । ମାଆ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ, ଅହୋରାତ୍ର ହରିନାମ, ହରିହାଟ, ସାଧୁସନ୍ଥ ସମ୍ମିଳନୀ ଆଦି କାର୍ଯ୍ୟକ୍ରମ ପାଇଁ ଏକ କଳସ ଶୋଭାଯାତ୍ରା ଓ ଯଜ୍ଞରେ ଅଙ୍କୁରାରୋପଣ ଓ ଅଗ୍ନି ସ୍ଥାପନ ଉତ୍ସବ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ତତ୍ୱାବଧାରକ କିଟ୍, କିସ୍ ର ଆଇନ୍ ନିର୍ଦ୍ଦେଶକ ମନୋରଞ୍ଜନ ପ୍ରଧାନ ଓ ମାଲା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୫୦ ରୁ ଅଧିକ ମହିଳାମାନେ କଳସ ଶୋଭାଯାତ୍ରାରେ ଯାଇ ପୂଜାର୍ଚ୍ଚନା ପରେ ଯଜ୍ଞ ସ୍ଥଳକୁ କଳସିରେ ସୁଦ୍ଧ ଜଳଯାତ୍ରାରେ ଜଳ ଆଣି ଯଜ୍ଞର ଶୁଭାରମ୍ଭ କରାଯାଇଥିଲା ।
ଯଜ୍ଞର କର୍ତ୍ତା ଭାବେ ନିର୍ମଳ ମହାପାତ୍ର ଓ କର୍ତ୍ତୀ ଭାବେ ମିନତୀ ମହାପାତ୍ର ଉପସ୍ଥିତ ରହି ଯଜ୍ଞରେ ଅଗ୍ନି ସ୍ଥାପନ, ସୂର୍ଯ୍ୟପୂଜା, ଗୋପୂଜା, ଅଙ୍କରାରୋପଣ, ହବନ, ଘୃତ ଆହୁତି ଦିଆଯାଇ ଯଜ୍ଞର ଶୁଭାରମ୍ଭ କରାଯାଇଛି । ଏହି ଯଜ୍ଞ ସାତ ଦିନ ଧରି ଚାଲିବ । ପ୍ରତ୍ୟହ ହରିହାଟ, ନାମ ସଂକୀର୍ତନ ଆଦି କାର୍ଯ୍ୟକ୍ରମ ଚାଲିବା ସହିତ ଦୋଳ ପୂର୍ଣ୍ଣମୀ ଦିନ ଏହାର ପୂର୍ଣ୍ଣାହୂତି କରାଯିବ ।
ଏହି ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ଦୀର୍ଘ ୩୫ ବର୍ଷ ଧରି ଚାଲିଆସୁଛି । ପ୍ରଥମେ ଏହି ଯଜ୍ଞକୁ ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ କରକମଳରେ ଶୁଭାରମ୍ଭ ହୋଇଥିଲା । ସେବେ ଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ମାଆଙ୍କର ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ଚାଲିଆସୁଛି ।
ତେବେ ଏହି ଅବସରରେ ଗ୍ରାମରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି । ଗ୍ରାମବାସୀଙ୍କ ସହଯୋଗ ସହିତ ଆଖପାଖ ବହୁ ପଂଚାୟତର ଲୋକମାନେ ସହଯୋଗ କରୁଛନ୍ତି । ଚଳିତ ବର୍ଷ ମାଆଙ୍କର ମନ୍ଦିରକୁ ପୁର୍ନରୁଦ୍ଧାର କରାଯାଇଛି ଓ ନବକଳେବର ହୋଇଛି ଯାହା ପ୍ରତିଷ୍ଠା ହେବ । ଏହି କାର୍ଯ୍ୟକ୍ରମରେହଜାର ହଜାର ଭକ୍ତମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଆହୁରି ପଢନ୍ତୁ:ଦୀର୍ଘ ୧୦ ବର୍ଷ ପରେ ପ୍ରତିଷ୍ଠା ହେଲା ଗୋପୀନାଥ ଦେବଙ୍କ ଭବ୍ୟ ମନ୍ଦିର