ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରାଉତ୍ସଵ ସମାରୋହ

ବଲାଙ୍ଗୀର: ପ୍ରତି ଗାଁରେ ରହିଛି ଅନେକ ମଠ ଓ ମନ୍ଦିର । କର୍ମମୟ ଜୀବନରେ ଶାନ୍ତି ଟିକିଏ ପାଇବା ପାଇଁ ଲୋକମାନେ ଭଗବାନଙ୍କୁ ସ୍ମରଣ କରିଥାଆନ୍ତି । ମଠ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିଥାଆନ୍ତି । ଆଜି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ହନୁମାନ ମନ୍ଦିରର ପ୍ରତିଷ୍ଠା ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ଉତ୍ସବ ସ୍ଥଳ । ମହିଳାମାନଙ୍କ ଠାରୁ ଆରମ୍ଭ କରି ପୁରୁଷଙ୍କ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇ ପ୍ରଭୁଙ୍କ ଆରାଧନାରେ ନିମଗ୍ନ ରହିଛନ୍ତି । ମନରେ ରହିଛି ଅନେକ ଅସୁମାରୀ ସ୍ଵପ୍ନ । ଏହି ସ୍ଵପ୍ନକୁ ପାଇବା ପାଇଁ ଯୋଡ଼ ହସ୍ତରେ ନିବେଦନ କରୁଛି ଭକ୍ତ । ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ ।

ଗାଁର ଶତାଧିକ ପୁରୁଷ,ମହିଳା କଳସ ଯାତ୍ରାରେ ସାମିଲ ହୋଇ ନିକଟସ୍ଥ କିଆ ବନ୍ଧରୁ ପୂର୍ଣ୍ଣ ଜଳ କଳସ ଆଣିବା ପରେ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ଶୋଭାଯାତ୍ରାରେ ମହାରାଷ୍ଟ୍ର, ଦିଲ୍ଲୀରୁ ଆସିଥିବା କଲାକାର ମାନେ ସାମିଲ ହୋଇଥିଲେ। ସଂକୀର୍ତ୍ତନ, ଘୁମୁରା ତାଳେ ତାଳେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଶାଳକାୟ ହନୁମାନ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିବା ବେଳେ କଳସ ଯାତ୍ରା ପରେ ଅଙ୍କୁରାରୋପଣ,ତୁଳସୀ ରାମାୟଣ ପାଠ କାର୍ଯ୍ୟକ୍ରମ ସହ ରତ୍ନମୁଦ, ବିଗ୍ରହ ଧ୍ୟାନାଭିଷେକ, ଯଜ୍ଞ, ଷୋହଳ ପ୍ରହରୀ ନାମଯଜ୍ଞ, ବିଗ୍ରହ ସ୍ନାନ,ବିଗ୍ରହ ପ୍ରତିଷ୍ଠା, ଜୀବନ୍ୟାସ,ରାମ ସହସ୍ରନାମ ହନୁମାନ ଚାଲିଶା ପଠନ,ବିଗ୍ରହ ସ୍ଥାପନ ଆଦି କାର୍ଯ୍ୟକ୍ରମ ରହିଛି ।

Also Read:ଏଭଳି ବିରଳ ମହାଯଜ୍ଞରେ ଶହ ଶହ ଭକ୍ତ ଛୁଟି ଆସନ୍ତି ଇଚ୍ଛାପୁର ଗ୍ରାମକୁ