ହନୁମାନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଯାତ୍ରା, ଘଣ୍ଟ ଘଣ୍ଟାରେ କମ୍ପି ଉଠିଲା ଅଞ୍ଚଳ

ପାଟଣାଗଡ଼: ଧାଡି ବାନ୍ଧି ଯାଉଛନ୍ତି ମହିଳା ମାନେ । ମୁଣ୍ଡରେ କଳସୀ ଧରି ନୂତନ ଶାଢୀ ପରିଧାନ କରି ବାହାରିଛନ୍ତି କଳସ ଯାତ୍ରାରେ । ହରି ନାମ ସାଙ୍ଗକୁ ମନ୍ତ୍ର ଉଚ୍ଚାରଣରେ ଗୁଞ୍ଜରିତ ହୋଇ ପଡ଼ିଛି ଉତ୍ସବ ସ୍ଥଳ । ବ୍ରାହ୍ମଣ ପଣ୍ଡିତଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭୂ ପ୍ରେମରେ ହୋଇ ପଡ଼ିଛନ୍ତି ଏକାକାର । କାରଣ ଏଠାରେ ଚାଲିଛି କଳସ ଯାତ୍ରା । ଘଣ୍ଟ ଘଣ୍ଟାରେ କମ୍ପି ଉଠୁଛି ଅଞ୍ଚଳ ।
ପ୍ରତି ଗାଁରେ ରହିଛି ଅନେକ ମଠ ଓ ମନ୍ଦିର । କର୍ମମୟ ଜୀବନରେ ଶାନ୍ତି ଟିକିଏ ପାଇବା ପାଇଁ ଲୋକମାନେ ଭଗବାନଙ୍କୁ ସ୍ମରଣ କରିଥାଆନ୍ତି । ମଠ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିଥାଆନ୍ତି । ମହିଳାମାନଙ୍କ ଠାରୁ ଆରମ୍ଭ କରି ପୁରୁଷଙ୍କ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇ ପ୍ରଭୁଙ୍କ ଆରାଧନାରେ ନିମଗ୍ନ ରହିଛନ୍ତି ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଏନଏସି ସ୍ଥିତ ୪ ନଂ ୱାର୍ଡରେ ନବନିର୍ମିତ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଞ୍ଚମୁଖୀ ହନୁମାନ ନିକଟସ୍ଥ ସୁବର୍ଣ୍ଣରେଖା ନଦୀରୁ ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ କଳସ ବୁଡାଇ ନବନିର୍ମିତ ହନୁମାନ ମନ୍ଦିର ନିକଟକୁ ଆଣିଥିଲେ । ମନ୍ଦିର ପ୍ରତିଷ୍ଠା ଉତ୍ସବ ୫ ଦିନ ଧରି ହେବାକୁ ଥିବାବେଳେ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଷୋହଳ ପ୍ରହର ନାମଯଜ୍ଞ ଓ ଘୃତ ଯଜ୍ଞ ଅନୁଷ୍ଠିତ ହେବ ଓ ଆସନ୍ତା ୩୦ ତାରିଖରେ ପୂର୍ଣ୍ଣାହୁତି ହେବ । ତେବେ ଏହି ଅବସରରେ ଗାଁରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି । ଗ୍ରାମବାସୀଙ୍କ ସହଯୋଗ ସହିତ ଆଖପାଖ ଅଞ୍ଚଳର ଲୋକମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତମାନେ ଯୋଗଦେଇଥିଲେ ।
Also Read:ସପ୍ତସତୀ ଚଣ୍ଡି ବିଶ୍ୱଶାନ୍ତି ମହାଯଜ୍ଞରେ ଦୁଲୁକିଲା ବଡ଼ମଙ୍ଗଳପୁରର ଗ୍ରାମ ଦେବତୀ ମା’ କରଞ୍ଜେଇଙ୍କ ମନ୍ଦିର