ମୋବାଇଲରେ ବ୍ୟସ୍ତ ଥିଲେ ଛାତ୍ର, ଶ୍ରେଣୀଗୃହରେ ପ୍ରିନ୍ସିପାଲ ହାତୁଡ଼ିରେ ଛେଚି ଭାଙ୍ଗିଲେ ୧୬ଟି ଫୋନ

ଆଜିକାଲି ଲୋକମାନଙ୍କୁ ମୋବାଇଲ ଏବଂ ସ୍ମାର୍ଟଫୋନର ନିଶା ଏପରି ଘାରିଛି ଯେ ଯେତେବେଳେ ଯାହାକୁ ଦେଖ ସେ ନିଜ ଫୋନ ସହ ବ୍ୟସ୍ତ ଥିବ । ସେ ଗେମ ପାଇଁ ହେଉ କିମ୍ବା ଚାଟ ପାଇଁ ଆଜିକାଲି ପିଲାମାନଙ୍କଠୁ ନେଇ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏହି ଫୋନ ସହ ବ୍ୟସ୍ତ । କିନ୍ତୁ କର୍ଣ୍ଣାଟକର ଏକ କଲେଜରେ ପ୍ରିନ୍ସିପାଲଙ୍କୁ ଏହି କଥା ଏତେ ଖରାପ ଲାଗିଥିଲା ଯେ ସେ କ୍ଲାସରୁମରେ ଛାତ୍ର ମାନଙ୍କର ଫୋନକୁ ଜବତ କରି ତାକୁ ହାତୁଡ଼ିରେ ପିଟି ପିଟି ଭାଙ୍ଗି ଦେଇଥିଲେ । ବର୍ତ୍ତମାନ ପ୍ରିନ୍ସିପାଲଙ୍କର ମୋବାଇଲଗୁଡିକୁ ଏହିଭଳି ଭାଙ୍ଗୁଥିବା ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।
WATCH: A college principal in Karnataka smashes cellphones seized from students with hammer. #Karnataka https://t.co/5Iaghon2Nc pic.twitter.com/0r1XRxIUj6
— TOI Mangaluru (@TOIMangalore) September 14, 2019
ସୂଚନା ଅନୁଯାୟୀ କର୍ଣ୍ଣାଟକର ଏମିଇଏସ ଚୈତନ୍ୟ ପିୟୁ କଲେଜର ପ୍ରିନ୍ସିପାଲ କ୍ଲାସରୁମରେ ଲେକଚର ଦେବା ସମୟରେ ଛାତ୍ର ମାନଙ୍କର ମୋବାଇଲ ବ୍ୟବହାରକୁ ନେଇ ବହୁତ ଦିନହେବ ଚିନ୍ତିତ ଥିଲେ । ସେ ଅନେକ ଥର ଛାତ୍ରମାନଙ୍କୁ ଚେତାବନୀ ଦେଇ କହିଥିଲେ କି କ୍ଲାସରେ ଲେକଚର ସମୟରେ ଯଦି କୌଣସି ପିଲା ମୋବାଇଲ ବ୍ୟବହାର କରନ୍ତି ତାହେଲେ ସେହି ସମୟରେ ତାଙ୍କ ଫୋନକୁ ଭାଙ୍ଗି ଦିଆଯିବ । କିନ୍ତୁ କଲେଜର ଛାତ୍ର ମାନେ ଅନ୍ୟ ସାଧାରଣ ନିୟମ ଭଳି ଏହି ନିୟମକୁ ମଧ୍ୟ ଅଣଦେଖା କରି ଶ୍ରେଣୀରେ ପାଠପଢା ସମୟରେ ନିଜ ମୋବାଇଲରେ ବ୍ୟସ୍ତ ରହୁଥିଲେ । ଏହା ଦେଖି ପ୍ରିନ୍ସିପାଲଙ୍କୁ ଏତେ ରାଗ ଆସିଥିଲା ଯେ ସେ ଫୋନ ଗୁଡିକ ସଂଗ୍ରହ କରି ସେହିଠାରେ ହାତୁଡ଼ି ମଗାଇ ସମସ୍ତ ଫୋନକୁ ବାଡେଇ ବାଡେଇ ଭାଙ୍ଗି ଦେଇଥିଲେ ।
ପ୍ରିନ୍ସିପାଲଙ୍କର ଏଭଳି ମୋବାଇଲ ଭାଙ୍ଗିବାର ଭିଡିଓ ଭାଇରଲ ହେବାପରେ କଲେଜର ଅଧିକାରୀ ମାନେ କହିଥିଲେ କି ପାଠପଢା ସମୟରେ ଛାତ୍ରମାନେ ମୋବାଇଲ ବ୍ୟବହାର କରି ଜଣେ ଅନ୍ୟ ଜଣଙ୍କ ସହ ଚାଟିଙ୍ଗ କରୁଛନ୍ତି । ସେଥିପାଇଁ ଏଭଳି ଏକ ନିଷ୍ପତ୍ତି ନେବାକୁ ପଡିଲା । ଗୁରୁବାର ଯାଞ୍ଚ ପରେ କ୍ଲାସରୁମରୁ ମୋଟ ୧୬ଟି ମୋବାଇଲ ଜବତ କରାଯାଇଥିଲା ଏବଂ ତାପରେ ଛାତ୍ରମାନଙ୍କୁ କଲେଜର ହଲରେ ଏକାଠି ହେବା ପାଇଁ କୁହାଯାଇଥିଲା । ସମସ୍ତେ ଏକାଠି ହେବା ପରେ ପ୍ରିନ୍ସିପାଲ ସେଠାରେ ପହଂଚି ସମସ୍ତଙ୍କ ସାମ୍ନାରେ ଛାତ୍ରମାନଙ୍କର ମୋବାଇଲ ଫୋନକୁ ଗୋଟି ଗୋଟି କରି ହାତୁଡ଼ିରେ ଛେଚି ଭାଙ୍ଗି ଦେଇଥିଲେ । କର୍ଣ୍ଣାଟକର କିଛି ଶିକ୍ଷାନୁଷ୍ଠାନ କଲେଜର ଏହି ନିଷ୍ପତ୍ତିକୁ ସମର୍ଥନ ମଧ୍ୟ କରିଛନ୍ତି ।