କିଟ୍ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବ : ୬୫ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ

ଭୁବନେଶ୍ୱର (କେନ୍ଯୁଜ୍) : କିଟ୍ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ୬୫ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଇଂଲଣ୍ଡର ଓ୍ଵାରିକ୍ ବିଶ୍ୱବିଦ୍ୟାଳୟର ଓ୍ଵାରିକ୍ ମାନୁଫ୍ୟାକ୍ଚରଂ ଗ୍ରୁପର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ପ୍ରଫେସର ଲର୍ଡ କୁମାର ଭଟ୍ଟାଚାର୍ଯ୍ୟ । ସେ କହିଥିଲେ, ଯେଉଁ ଶିକ୍ଷା ରୋଜଗାର ସୃଷ୍ଟି କରିବା ସହ ବିକାଶରେ ସହାୟକ ନୁହେଁ, ସେହି ଶିକ୍ଷାକୁ କେବଳ ପୋଥିଗତ ଶିକ୍ଷା ବୋଲି କୁହାଯିବ । ଭବିଷ୍ୟତର ଶିକ୍ଷା ପୋଥିଗତ ଶିକ୍ଷା ଅପେକ୍ଷା ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଥିଲେ ।
ଏହି ସମାବର୍ତ୍ତନ ଉତ୍ସବରେ ବିଟେକ୍, ଏମ୍ଟେକ୍, ଏମ୍ସିଏ, ବିବିଏ, ଏମ୍ଏସ୍ସି ଏବଂ ଫେସନ ଟେକ୍ନୋଲୋଜିରେ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ଡିଗ୍ରୀ ପ୍ରଦାନ କରିଥିଲେ । ଏମାନେ ସମସ୍ତେ ଇଥୋପିଆ, ମଙ୍ଗୋଲିଆ, ଆଫଗାନିସ୍ତାନ, ନେପାଳ, ଘାନା, ଇଜିପ୍ଟ ଓ ନାଇଜେରିଆ ଆଦି ଦେଶର ଛାତ୍ରଛାତ୍ରୀ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଉପକୁଳାଧିପତି ପ୍ରଫେସର ଡା.ସୁବ୍ରତ ଆଚାର୍ଯ୍ୟ, କୁଳସଚିବ ଡ.ସସ୍ମିତାରାଣୀ ସାମନ୍ତଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା, ପଦାଧିକାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।