ଗୀତା ଜୟନ୍ତୀ ପର୍ବର ରହିଛି ବିଶେଷ ମହତ୍ତ୍ୱ, ଜାଣନ୍ତୁ ଶୁଭ ମୁହୂର୍ତ୍ତ

ହିନ୍ଦୁ ଧର୍ମରେ ଗୀତା ଜୟନ୍ତୀ ପର୍ବର ବିଶେଷ ମହତ୍ତ୍ୱ ରହିଛି । ପ୍ରତ୍ୟେକ ବର୍ଷ ମାର୍ଗଶୀର ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଗୀତା ଜୟନ୍ତୀ ପାଳନ କରାଯାଇଥାଏ । ଏହି ଏକାଦଶୀକୁ ମଧ୍ୟ ମୋକ୍ଷଦା ଏକାଦଶୀ ବୋଲି କୁହାଯାଇଥାଏ, ଯାହା ଉତ୍ପନ୍ନା ଏକାଦଶୀ ପରେ ଆସିଥାଏ । ଚଳିତ ବର୍ଷ ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ, ଏହି ପର୍ବ ଆସନ୍ତା କାଲି ଅର୍ଥାତ ୧ ଡିସେମ୍ବର ୨୦୨୫ରେ ପାଳନ କରାଯିବ । ଏକାଦଶୀ ତିଥି ନଭେମ୍ବର ୩୦ ତାରିଖ ରାତି ୯:୩୦ରେ ଆରମ୍ଭ ହେବ ଏବଂ ଡିସେମ୍ବର ୧ ତାରିଖ ସନ୍ଧ୍ୟା ୭:୦୨ରେ ଶେଷ ହେବ । ଉଦୟତିଥି ଅନୁସାରେ ଡିସେମ୍ବର ୧ ତାରିଖରେ ଏହି ପର୍ବ ପାଳନ କରାଯିବ । ଗୀତା ଜୟନ୍ତୀରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରିବାର ପରମ୍ପରା ରହିଛି ।

ଏହି ଦିନ ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧରେ କୁନ୍ତୀଙ୍କ ପୁତ୍ର ଅର୍ଜୁନଙ୍କୁ ଗୀତା ଜ୍ଞାନ ଦେଇଥିଲେ । ଏହି କାରଣରୁ ଏହି ଦିନକୁ ମୋକ୍ଷଦା ଏକାଦଶୀ ମଧ୍ୟ କୁହାଯାଇଥାଏ । ମୋକ୍ଷଦା ଏକାଦଶୀ ଦିନ ଗୀତା ଜୟନ୍ତୀ ପାଳନ କରାଯାଇଥାଏ । ମହାଭାରତ ଗ୍ରନ୍ଥର ଗୋଟିଏ ଅଂଶ ହେଉଛି ଗୀତା, ଯାହାର ସମୁଦାୟ ୧୮ଟି ଅଧ୍ୟାୟ ରହିଛି । ଏହି ୧୮ଟି ଅଧ୍ୟାୟ ମଧ୍ୟରୁ ୬ ଅଧ୍ୟାୟ କର୍ମଯୋଗ, ୬ ଅଧ୍ୟାୟ ଜ୍ଞାନଯୋଗ ଏବଂ ଅନ୍ତିମ ୬ ଅଧ୍ୟାୟରେ ଭକ୍ତିଯୋଗ ସମ୍ପର୍କରେ ଉପଦେଶ ଦିଆଯାଇଛି । ଚଳିତ ବର୍ଷ ଗୀତା ଜୟନ୍ତୀର ଠିକ୍‌ ୫୧୫୭ ବର୍ଷ ପୂର୍ବେ ଶ୍ରୀକୃଷ୍ଣ ଏହି ସମୟରେ ଅର୍ଜୁନଙ୍କୁ ଗୀତାର ଜ୍ଞାନ ଦେଇଥିଲେ । ଯାହାଦ୍ୱାରା ତାଙ୍କର ଜ୍ଞାନ ଚକ୍ଷୁ ଖୋଲିଯାଇଥିଲା । ପୁରାଣ ଅନୁଯାୟୀ, ଗୀତାର ଉତ୍ପତି କଳିଯୁଗ ଆରମ୍ଭ ହେବାର ୩୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ଶ୍ରୀମଦ୍ ଭଗବତ ଗୀତାରେ ୧୮ ଅଧ୍ୟାୟ ଏବଂ ୭୦୦ ଶ୍ଳୋକ ରହିଛି । ସେହିଭଳି ଗୀତାର ଅନ୍ୟନାମ ହେଉଛି ଗୀତୋପନିଷଦ ।

ଗୀତା ଜୟନ୍ତୀର ପୂଜା ବହୁତ ସରଳ ବୋଲି ବିବେଚନା କରାଯାଏ । ଏହି ଦିନ ଆପଣ ଘରେ ସହଜରେ ପୂଜା କରିପାରିବେ । ପୂଜା ପାଇଁ ପ୍ରଥମେ ସକାଳେ ଶୀଘ୍ର ଉଠି ସ୍ନାନ କରନ୍ତୁ ଏବଂ ସଫା ପୋଷାକ ପିନ୍ଧନ୍ତୁ । ଭଗବାନ କୃଷ୍ଣଙ୍କ ଏକ ମୂର୍ତ୍ତି କିମ୍ବା ଫଟୋ ସ୍ଥାପନ କରନ୍ତୁ ଏବଂ ଗଙ୍ଗା ଜଳ ଛିଞ୍ଚନ୍ତୁ ।

ଏହା ପରେ, ମୂର୍ତ୍ତି ସମ୍ମୁଖରେ ଘିଅ ଦୀପ ଜାଳନ୍ତୁ । ପ୍ରଭୁ ଶ୍ରୀକୃଷ୍ଣଙ୍କୁ ତିଳକ ଲଗାନ୍ତୁ, ଫୁଲ, ଭୋଗ, ତୁଳସୀ ପତ୍ର, ମିଠା, ନୈବେଦ୍ୟ ଇତ୍ୟାଦି ଅର୍ପଣ କରନ୍ତୁ । ଶ୍ରୀମଦ୍ ଭଗବଦ୍ ଗୀତାର ପୁସ୍ତକକୁ ଏକ ନରମ କପଡ଼ାରେ ଭଗବାନ କୃଷ୍ଣଙ୍କ ଫଟୋ ପାଖରେ ରଖନ୍ତୁ ଏବଂ ଭକ୍ତି ଏବଂ ସମ୍ମାନର ସହିତ ପୂଜା କରନ୍ତୁ ।

ଯଦି ଆପଣ ସମ୍ପୂର୍ଣ୍ଣ ଗୀତା ପଢି ପାରିବେ ନାହିଁ, ତେବେ ନିଶ୍ଚିତ ଭାବରେ ଅଧ୍ୟାୟ ୧୨ (ଭକ୍ତି ଯୋଗ) କିମ୍ବା ଅଧ୍ୟାୟ ୧୫ ପଢ଼ନ୍ତୁ । ପରେ ଭଗବାନ କୃଷ୍ଣଙ୍କ ମନ୍ତ୍ର ଜପ କରନ୍ତୁ ଏବଂ ପୂଜା ଶେଷରେ ଭଗବାନ କୃଷ୍ଣଙ୍କ ଆଳତୀ କରନ୍ତୁ ।