ପ୍ରତ୍ୟକ୍ଷ ଠାକୁର ଚାଟେଶ୍ଵର ମହାଦେବ, ଏହାର କିମ୍ବଦନ୍ତୀ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭାରତ ବର୍ଷରେ ଅନେକ ଶୈବ ପୀଠ ଅଛି । ଦେବ ଦେବ ମହାଦେବ ନିଜର ମାନବୀୟ ଲୀଳା ଖେଳା ପାଇଁ କେତେବେଳେ କେଉଁ ସ୍ଥାନରେ କେତେ ନାମରେ ନାମିତ ହୋଇଛନ୍ତି ତାହା କଳ୍ପନା କରିହେବ ନାହିଁ । ତେବେ ଆଜି ମହାଶିବରାତ୍ରି ଅବସରରେ ଆମେ ଆପଣାକୁ ଏମିତି ଏକ ଶୈବପୀଠକୁ ନେଇଯିବୁ ଯେଉଁଠିକୁ ଥରେ ଗଲେ ଆପଣ ବି ମନ୍ତ୍ରମୁଗ୍ଧ ହୋଇଯିବେ । କେଉଁ ଆବାହମାନ କାଳରୁ ଏହି ଶୈବ ପୀଠ ରହିଛି ବୋଲି କୁହାଯାଏ । ଯାହାର ଆଦି କି ଅନ୍ତ ବୈଜ୍ଞାନିକ ମାନେ ମଧ୍ୟ ଖୋଜି ପାଇ ପାରିନାହାନ୍ତି । ତେବେ ଆସନ୍ତୁ ଜାଣିବା ସମସ୍ତଙ୍କୁ ବିସ୍ମିତ କରୁଥିବା ଏହି ଆଶ୍ଚର୍ଯ୍ୟଜନକ ଶୈବ ପୀଠ ବିଷୟରେ ।
କଟକ ଜିଲ୍ଲା ସାଲେପୁର ପାଗା ଅନ୍ତର୍ଗତ କ୍ରିଷ୍ଣାପୁର ଗାଁ ଯାହାର ବର୍ତ୍ତମାନ ନାମ କିସିନାପୁରରେ ବିରାଜିତ ଏହି ପୁରାତନ ଶୈବ ପୀଠ । ଯାହାର ନାମ ହେଉଛି ଚାଟେଶ୍ଵର ମହାଦେବ । ଏହି ମହାଦେବ ଚାଟେଶ୍ଵର ମହାଦେବ ନାମରେ କେମିତି ନାମିତ ହେଲେ ଏହାର କିମ୍ବଦନ୍ତୀ ବେଶ ରହସ୍ୟମୟ । କୁହାଯାଏ ଆଜକୁ ହଜାର ହଜାର ବର୍ଷ ତଳେ କିସିନାପୁରୁ ଗାଁରେ ଗୋଟିଏ ଚାଟଶାଳୀ ଥିଲା । ଚାଟଶାଳୀକୁ ଲାଗି ଗୋଟିଏ ପୋଖରୀ ମଧ୍ୟ ରହିଥିଲା । ସେହି ଚାଟଶାଳୀରେ ଜଣେ ଅବଧାନ ପିଲାଙ୍କୁ ପାଠ ପଢ଼ାନ୍ତି । ଏକଦା ଚାଟଶାଳୀ ବାରଣ୍ଡାରେ ଅବଧାନ ଜଣେ ଛୋଟ ପିଲାଟିଏକୁ ପାଇଲେ ।
ଯାହାପରେ ପିଲାଟି ସେହି ଚାଟଶାଳୀରେ ପଢିବାକୁ ଲାଗିଲା । ଦିନକର ଘଟଣା ହଠାତ ଦିନେ ଅବଧାନଙ୍କୁ ମିଳିଥିବା ସେହିଁ ପିଲାଟି ଚାଟଶାଳୀକୁ ଲାଗି ରହିଥିବା ପୋଖରୀ ଭିତରକୁ ଯାଇ ଆଉ ଫେରିନଥିଲା । ପରେ ରାଜା ଲଙ୍ଗୁଳା ନରସିଂହ ଦେବଙ୍କୁ ସ୍ୱପ୍ନାଦେଶ ହେଲା । ଯାହାପରେ ରାଜା ଅବଧାନଙ୍କୁ ଡାକି ସବୁ କଥା କହିଥିଲେ ଏବଂ ସେଠାରେ ଏକ ମନ୍ଦିର ନିର୍ମାଣ କରାଇଥିଲେ । ସ୍ଵପ୍ନାଦେଶରେ ରାଜାଙ୍କୁ କୁହାଯାଇଥିଲା ସେହି ଛୋଟ ପିଲା ରୂପରେ ଶିବ ଶମ୍ଭୁ ଚାଟଶାଳୀକୁ ଚାଟ ରୂପରେ ଆସିଥିଲେ । ତେଣୁ ସେହି ପୀଠର ନାମ ଚାଟେଶ୍ୱର ରଖାଯାଇଥିଲା ।
ବାବା ଚାଟେଶ୍ୱର ଭାରି ପ୍ରତ୍ୟକ୍ଷ ବୋଲି କୁହାଯାଏ । ଏହି ଚାଟେଶ୍ଵର ମହାଦେବ ହେଉଛନ୍ତି ପାତାଳ ଫୁଟି ଲିଙ୍ଗ । ଏହି ଶୈବ ପୀଠକୁ ନେଇ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଠାରେ ମହାଦେବ ଛଅ ମାସ ଜଳରେ ବୁଡିକି ରୁହନ୍ତି ଆଉ ଛଅ ମାସ ଦର୍ଶନ ଦିଅନ୍ତି । ତେବେ ଏହି ଜଳ କୁଆଡୁ ଆସେ କୁଆଡେ ଯାଏ ତାର ରହସ୍ୟ ଆଜି ପର୍ଯ୍ୟନ୍ତ ବି କେହି ଜାଣିପାରିନାହାନ୍ତି । ଭକ୍ତଙ୍କର ଅଗାଢ଼ ଆସ୍ଥା ଓ ବିଶ୍ୱାସ ରହିଛି ଚାଟେଶ୍ୱର ମହାଦେବଙ୍କ ଉପରେ । ତେଣୁ ଯାହାର ଯେତେ ରୋଗ ଦୁଃଖ କଷ୍ଟ ହାନି ଲାଭ ସବୁ ସେହି ଚାଟେଶ୍ୱରଙ୍କୁ ସମର୍ପି ଦିଅନ୍ତି ।
ଚାଟେଶ୍ୱର ମନ୍ଦିର ପ୍ରବେଶ ଦ୍ୱାରରେ ନନ୍ଦୀ ଜଗି ରହିଛନ୍ତି । ମଧ୍ୟ ଭାଗରେ ରହିଛି ଚାଟେଶ୍ୱରଙ୍କର ମନ୍ଦିର । ଗୋଟିଏ ପାର୍ଶ୍ୱରେ ମା’ ପାର୍ବତୀଙ୍କ ମନ୍ଦିର ଅନ୍ୟ ପାର୍ଶ୍ୱରେ ଗପିନାଥ ବିରାଜିତ ଅଛନ୍ତି । ମନ୍ଦିର ଭିତରେ ପ୍ରବେଶ କରୁକରୁ ରାଧା କୃଷ୍ଣଙ୍କ ବିଗ୍ରହ । ମନ୍ଦିରଟି ଅତି ମନୋରମ ହୋଇଥିବା ବେଳେ ପ୍ରବେଶ ଦ୍ୱାରରେ ଯେଉଁ ପୂଜକ ଅଛନ୍ତି ସବୁ ଶ୍ଳୋକ ମନ୍ତ୍ରରେ ନିପୁଣ । ତେବେ ଏହି ରହସ୍ୟମୟ ଶୈବପୀଠର ରହସ୍ୟ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରୁନାହାନ୍ତି । ଏଭଳି ପ୍ରତ୍ୟକ୍ଷ ଶୈବ ପୀଠ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳେନି ବୋଲି ଏଠାକୁ ଛୁଟି ଆସନ୍ତି ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ।
Also read: ଶ୍ରୀଲୋକନାଥ ଦେବଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଦିନର ରହିଛି ବିଶେଷ ମହତ୍ୱ