୪୮ ଘଣ୍ଟିଆ ରାମାୟଣ ସହିତ ଆଜିବି ପାଳନ ହେଉଛି ଏହି ଗାଁରେ କୋଠିଶାଳ ପୂଜା

ପୁରୁଷୋତ୍ତମପୁର: ଆଧୁନିକ ଯୁଗ ସହିତ ତାଳ ଦେଇ ମଧ୍ୟ ଆଜି ଯାଏ ଜୀବିତ ରହିଛି ଗ୍ରାମର ସଂସ୍କୃତି ପରମ୍ପରା । ଗାଁ ଲୋକେ ସହରି ମୁହାଁ ହେଲେ ମଧ୍ୟ ଭୁଲି ନାହାନ୍ତି ନିଜ ଗାଁର ସଂସ୍କୃତି ଆଭିଜାତ୍ୟକୁ । ଯିଏ ଯେଉଁଠି ଥିଲେ ମଧ୍ୟ ଯେତେବେଳେ ଗାଁରେ କିଛି ବି ପୂଜାପାଠ, ପର୍ବ, ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ସେତେବେଳେ ସମସ୍ତେ ଏକ ହୋଇଥିବା ଦେଖିବାକୁ ମିଳେ ।

ଯାହା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପିଛୁଲି ଗ୍ରାମରେ । ୫୦ବର୍ଷ ଧରି ଏହି ଗ୍ରାମରେ କୋଠିଶାଳ ପୂଜା ହୋଇଆସୁଛି । ଯାହା ଚଳିତ ବର୍ଷ ବି ଆୟୋଜିତ ହୋଇଛି  । ୪୮ ଘଣ୍ଟିଆ ୩ଦିନ ଧରି ରାମାୟଣ ୨ଖଣ୍ଡ ଲକ୍ଷ୍ମୀ ନାରାୟଣ ରଙ୍ଗ ମଞ୍ଚ, ଚୈତନ୍ୟ ରଙ୍ଗମଞ୍ଚରେ ଧୁମଧାମରେ ପାଳିତ ହୋଇଛି ।

ସାମାଜିକ ନୃତ୍ୟ, ପୌରାଣିକ ନାଟକ ପରିବେଷଣ, ସମ୍ବଲପୁରୀ, ଆଦିବାସୀ ନୃତ୍ୟ, ଚଢେୟା ନୃତ୍ୟ ସହିତ ଏପରି ଅନେକ ଲୁପ୍ତ ପ୍ରାୟ ପୌରାଣିକ ନାଟକ ପରିବେଷଣ ହୋଇଛି । ଆଧୁନିକ ଯୁଗରେ ଲୁପ୍ତ ହୋଇଯାଉଥିବା କଳା ସଂସ୍କୃତି ପରମ୍ପରାକୁ ଜୀବିତ ରଖିଥିବା ଦେଖିବାକୁ ମିଳିଛି । ଗ୍ରାମର ସମାଜସେବୀ ମିଟୁ ବସନ୍ତିଆ, ଯୁବକ ସଂଘ ଏବଂ ପିଛୁଳି ଗ୍ରାମବାସୀଙ୍କ ଉଦ୍ୟମରେ ଜୀବିତ ରହିଛି ଏହି ଗାଁର ଏହି କୋଠିଶାଳ ପୂଜା ।

ତେବେ ଶୀତୁଆ ସକାଳରେ ଗ୍ରାମ ଏବଂ ଗ୍ରାମ ବାହାରୁ ହଜାର ହଜାର ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପୋଲିସ୍ ପ୍ରଶାସନ, ଅଗ୍ନିଶମ ବିଭାଗ ପକ୍ଷରୁ ଶାନ୍ତିଶୃଙ୍ଖଳାରେ ଚାଲିଥିଲା ଏହି କୋଠିଶାଳ ପୂଜା । ଏହା ସାଙ୍ଗକୁ ଚଟାପଟ୍ ଖାଦ୍ୟ, ଖେଳନା ସାମଗ୍ରୀ ପସରା ମେଲା ହୋଇଛି । ଛୋଟ ପିଲା, ଦେଖଣାହାରୀ ଏବଂ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି ।