ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର, ମା’ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼

ଆଜି ଠାରୁ ଆରମ୍ଭ ହେଲା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ରପର୍ବ ଯାତ୍ରା । ଚୈତ୍ର ମାସ ର ପ୍ରଥମ ମଙ୍ଗଳବାରରେ ମହାକାଳୀ ରୂପରେ ମା ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିରହିଛି । ମାନସିକଧାରୀ ଭକ୍ତ ମାନେ ନିଜ ପିଲାଙ୍କୁ ମଣ୍ଡନ କରାଇ ଲମ୍ବା ଧାଡିରେ ଆସି ମା’ ଙ୍କୁ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ କୋଣ ଅନୁକୋଣରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗି ରହିଛି ମା ତାରାତାରିଣୀ ପୀଠରେ ।

ଏଥିପାଇଁ ମନ୍ଦିର କମିଟି ଓ ପ୍ରଶାସନ ପକ୍ଷରୁ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବା ସହ ପ୍ରଶାସନ ଓ କିଛି ଭକ୍ତଙ୍କ ପକ୍ଷରୁ ଦେୟମୁକ୍ତ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେପଟେ ଶାନ୍ତିଶୃଙ୍ଖଳାର ସହିତ କିପରି ମା’ ଙ୍କୁ ଦର୍ଶନ କରିପାରିବେ ସେନେଇ ଜିଲ୍ଲା ପ୍ରଶାସନ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସେହିପରି ଘଟଗାଁ ମା ତାରିଣୀ ପୀଠରେ ଭକ୍ତଙ୍କ ସମାଗମ । ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ତେବେ ଚୈତ୍ର ମାସ ହେଉଛି ମା’ ତାରିଣୀଙ୍କର ଜନ୍ମ ମାସ । ପ୍ରତ୍ୟେକ ବର୍ଷ ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ମାଙ୍କ ନିକଟରେ ସ୍ୱତନ୍ତ୍ର ରିତିକାନ୍ତିରେ ପୂଜାର୍ଚ୍ଚନା ହୋଇଥାଏ । ଏହି ଅବସରରେ ଆଜି ମାଙ୍କ ସେବାୟତ ମାନେ ବ୍ରହ୍ମ ମୁହୂର୍ତ୍ତରୁ ଆସି ମା’ଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ଼ ସିଂହାର ବେଶ ସମେତ ଷୋଡ଼ଶ ଉପଚାର ପୂଜା ସମାପନ କରି ମାଙ୍କୁ ସୁସଜ୍ଜିତ କରି ମନ୍ଦିର ପହଡ଼ ଖୋଲିଥିଲେ । ମନ୍ଦିର ପହଡ ଖୋଲିବା ପରେ ମାଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ବହୁ ସଂଖ୍ୟାରେ ସମାଗମ ଦେଖିବାକୁ ମିଳିଛି ।

Also Read :ସହକାରୀ ଟ୍ୟାକ୍ସ କଲେକ୍ଟର ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ, ବନ୍ଦ ହେବ ପେନସନ