ପ୍ରଭୁ ଗୋପୀନାଥଙ୍କର ଦ୍ଵିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଏବଂ ମହାଯଜ୍ଞ ଅନୁଷ୍ଠିତ

ପିପିଲି: ବାଜୁଛି ଶାହାନାଇ । ବାଜୁଛି ଘଣ୍ଟ ଘଣ୍ଟା । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ଉତ୍ସବ ସ୍ଥଳ । ମହିଳାମାନଙ୍କ ଠାରୁ ଆରମ୍ଭ କରି ପୁରୁଷଙ୍କ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇ ପ୍ରଭୁଙ୍କ ଆରାଧନାରେ ନିମଗ୍ନ ରହିଛନ୍ତି । ମନରେ ରହିଛି ଅନେକ ଅସୁମାରୀ ସ୍ଵପ୍ନ । ଏହି ସ୍ଵପ୍ନକୁ ପାଇବା ପାଇଁ ଯୋଡ଼ ହସ୍ତରେ ନିବେଦନ କରୁଛି ଭକ୍ତ । ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । ପୁରୀ ଜିଲ୍ଲା ପିପିଲି ବ୍ଲକ ପୁବାଶାସନ ଗ୍ରାମରେ ପୂଜା ପାଉଥିବା ପ୍ରଭୁ ଗୋପୀନାଥଙ୍କ ମନ୍ଦିରର ଦ୍ଵିତୀୟ ପ୍ରତିଷ୍ଠା ଉତ୍ସବର ଥିଲା ଏ ଦୃଶ୍ୟ ।
ପ୍ରତିବର୍ଷ ପରି ଚଳିତ ବର୍ଷ ପ୍ରତିଷ୍ଠା ଉତ୍ସବକୁ ବହୁ ଆଡମ୍ବର ସହକାରେ ପାଳନ କରିଛନ୍ତି ଗ୍ରାମବାସୀ । ମନରେ ଅହେତୁକ ଉତ୍ସାହ ସାଙ୍ଗକୁ ସମସ୍ତଙ୍କୁ ଏକତାର ସୁତ୍ରରେ ବାନ୍ଧି ରଖିବା ପାଇଁ ଠାକୁରଙ୍କର ଏହି ପ୍ରତିଷ୍ଠା ଉତ୍ସବର ଆୟୋଜନ କରାଯାଇଥିବାର ପୁବାଶାସନ ଗ୍ରାମବାସୀ କହିଛନ୍ତି ।
ପ୍ରତିବର୍ଷ ପରି ଚଳିତ ବର୍ଷ ପୁବାଶାସନ ଗ୍ରାମରେ ପ୍ରଭୁ ଗୋପୀନାଥଙ୍କର ଦ୍ଵିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଏବଂ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଅଗ୍ନୀ ସ୍ଥାପନ, ରୁଦ୍ରା ଆହୁତି, ଗୀତା ଆହୂତି ଓ ସପ୍ତସତି ଚଣ୍ଡି ଆହୁତି ଭଳି ପୂଜା ଉପଚାର ସହ ବ୍ରାହ୍ମଣ ପଣ୍ଡିତଙ୍କ ବେଦ ମନ୍ତ୍ର ଉଚ୍ଚାରଣରେ ହୋମ ଯଜ୍ଞର ଆୟୋଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଠାକୁରଙ୍କ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ ଆଖ ପାଖ ଅଂଚଳର ଶ୍ରଦ୍ଧାଳୁ ।
ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳିରେ ସୃଷ୍ଟି ହୋଇଥିଲା ଏକ ଭଗବତମୟ ପରିବେଶ । ଭାର୍ଗବୀ ନଦୀର ପ୍ଲାବନ ଜଳରୁ କଳସରେ ଜଳ ଆଣି ଯଜ୍ଞରେ କଳସ ସ୍ଥାପନ ସହିତ ନିଷ୍ଠା ପବିତ୍ରତା ଏବଂ ଏକାଗ୍ରତାରେ ଭକ୍ତମାନେ ତିନି ଦିନ ରହି ପୂଜାରେ ସାମିଲ ହୋଇଥିଲେ । ଶେଷରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ଣ୍ଣାହୁତି ଶେଷ ହେବା ପରେ ସମସ୍ତେ ଏକାଠି ହୋଇ ଠାକୁରଙ୍କ ନାମ ଉଚ୍ଚାରଣ କରିବା ସହିତ ହରିବୋଲି ହୁଳହୁଳିରେ ପ୍ରକମ୍ପିକ ହୋଇଥିଲା ଉତ୍ସବ ସ୍ଥଳ । ଘଣ୍ଟ ଘଣ୍ଟା ନାମ ସଂକୀର୍ତନ ସୃଷ୍ଠି ହୋଇଥାଏ ଏକ ଆଧ୍ୟାତ୍ମିକ ପରିବେଶ ।
ତିନି ଦିନ ଧରି ଚାଲିଥିବା ଏହି ମହାଯଜ୍ଞରେ ଅନେକ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସାଧାରଣ ଭକ୍ତ ସାମିଲ ହୋଇ ଠାକୁରଙ୍କ କୃପା ଲାଭ କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।
ଆହୁରି ପଢ଼ନ୍ତୁ : ବାପା ମାଆ ଛେଉଣ୍ଡ ଓ ଆର୍ଥିକ ଦୁର୍ବଳ ଥିବା ପୁଅ ଓ ଝିଅଙ୍କ ଗଣ ବିବାହ