କିଛି ସମୟ ପରେ ଶ୍ରୀଜିଉ ଫେରିଯିବେ ନୀଳ କନ୍ଦରକୁ

ଜନ୍ମବେଦୀରେ ଲୀଳା ଖେଳା ସରିଲା । ସାରା ବିଶ୍ୱକୁ ବଡ଼ଦାଣ୍ଡରେ ଦର୍ଶନ ଦେଲେ । ଭକ୍ତଙ୍କ ମନୋବାଂଛା ପୂରଣ କଲେ । ଏବେ ନୀଳ କନ୍ଦରକୁ ଫେରିବାର ବେଳା । ସେପଟେ ଅପେକ୍ଷାରେ ରତ୍ନସିଂହାସନ । ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ପୁଣି ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ। ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ ଯାହାକୁ ନୀଳାଦ୍ରୀବିଜେ କୁହଯାଏ। ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ସେବକଙ୍କ ଗହଣରେ ଶ୍ରୀମନ୍ଦିର ଯିବେ ଚତୁର୍ଦ୍ଧାବିଗ୍ରହ। ସେଥିପାଇଁ ସେବାୟତ ମାନଙ୍କ ସହ ସମନ୍ୱୟ ରକ୍ଷାକରି ନୀତିକାନ୍ତି ମଧ୍ୟ ଚୂଡାନ୍ତ ହୋଇଛି। ସକାଳୁ ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ, ମଇଲମ,ସକାଳଧୂପ, ମଧ୍ୟାହ୍ନ ଧୂପ,ସଂଧ୍ୟା ଆଳତୀ ଓ ସଂଧ୍ୟାଧୂପ ଶେଷହେବା ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ମହାପ୍ରଭୁଙ୍କ ଗୋଟି ପହଣ୍ଡି।

ତେବେ ଅଭିମାନ କରିଥିବା ମା ମହାଲକ୍ଷ୍ମୀ ସହଜରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଦେବେନି । ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ। ରଥଯାତ୍ରାରେ ସାଙ୍ଗରେ ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ନେଇ ନଥିଲେ । ନୀଳାଦ୍ରିବେଜି ନୀତି ଅବସରରେ ଆଜି ରସଗୋଲ ଦେଇ ମାଆ ଲକ୍ଷ୍ମୀଙ୍କର ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର। ଜୟ ବିଜୟ ଦ୍ବାରରେ ମହାଲକ୍ଷ୍ମୀଙ୍କର ଅଭିମାନକୁ ଭଞ୍ଜନ କରିବା ପାଇଁ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ପାଟ ଶାଢି ସହ ରସଗୋଲା ଦେବାର ବିଧି ରହିଛି।ଏହାପରେ ମହାପ୍ରଭୁ ବଡ଼ ଦେଉଳକୁ ପ୍ରବେଶ କରି ଥାଆନ୍ତି। ଶ୍ରୀଜିଉଙ୍କ ପତିତପାବନ ଯାତ୍ରାର ଶେଷ ଦିନକୁ ନୀଳାଦ୍ରିବିଜେ କୁହାଯାଏ
ନୀଳାଦ୍ରି ବିଜେ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ସେପଟେ ପହଣ୍ଡି ଶେଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରୁନ୍ଧା ହେବା ସହ ଦଇତିପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ,ବଡସିଂହାର ବେଶ,ବଡସିଂହାର ଭୋଗ କରାଯାଇ ପହୁଡ କରାଯିବ।

ଏହି ନବ ଦିନାତ୍ମକ ଯାତ୍ରା ଆଜି ସରିବାକୁ ଯାଉଛି । ଭକ୍ତଙ୍କୁ ଦେଖିବା ପାଇଁ କାଳିଆ ରତ୍ନବେଦୀରୁ ବାହାରି ଅପୂର୍ବ ଲୀଳା ଖେଳା ସାରି ଆଜି ବଡଭାଇ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କୁ ନେଇ ଫେରି ଯାଇଛନ୍ତି ବଡ ଦାଣ୍ଡକୁ । ଆଉ କିଛି ସମୟ ପରେ ଶ୍ରୀଜିଉ ଫେରିଯିବେ ନିଳ କନ୍ଦରକୁ । ପୁଣି ଏହି ଦୃଶ୍ୟକୁ ଦେଖିବା ପାଇଁ ଅପେକ୍ଷା କରିବାକୁ ପଡିବ ଆଉ ଏକ ବର୍ଷକୁ। ହେଲେ ଏଇ ୯ ଦିନ ଭିତରେ କାଳିଆ ସାଆନ୍ତ ଭକ୍ତଙ୍କୁ ବିଭୋର କରିଛନ୍ତି ତାଙ୍କ ପ୍ରେମରେ । ଆଉ ଭକ୍ତ ବି ବୁଡ଼ି ଯାଇଛି ତାଙ୍କ ଭକ୍ତ ରସରେ ।