ଶାଶୂ ଘରୁ ବାହାରି ବାପ ଘରେ ବିଜେ କରିବେ ମାଆ ବୁଢ଼ି ସାଆନ୍ତାଣୀ

ବ୍ରହ୍ମପୁର : ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ି ସାଆନ୍ତାଣୀ । ପରମ୍ପରା ପ୍ରକାରେ ପ୍ରତି ଦୁଇ ବର୍ଷକୁ ଥରେ ମାଆ ସାଆନ୍ତାଣୀ ଶାଶୂ ଘରୁ ବାହାରି ବାପ ଘରେ ବିଜେ କରିଥାନ୍ତି । ଚଳିତ ବର୍ଷ ମଧ୍ୟ ବିଜେ କରିବେ ନିଜ ବାପ ଘରକୁ । ବାଜା ବାଜଣା, ଧୂପ ଦୀପ, ଖିଆ ପିଆ, ନାଚ ଗୀତର ଆସର ଭିତରେ ଭକ୍ତ ଓ ଭଗବାନଙ୍କ ମିଳନ ଘଟେ । ଆଉ ତାହା ହିଁ ବିରାଟ ଯାତ୍ରାର ରୂପ ନେଇଥାଏ । ଆସନ୍ତା ମାର୍ଚ୍ଚ ମାସରେ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହେବ ଓ ଏପ୍ରିଲ୍ ମାସରେ ଯାତ୍ରା ଜମିବ । ଏଥି ପାଇଁ ମାଆଙ୍କ ସେବକ ମାନେ ଚଳଚଞ୍ଚଳ ହୋଇ ଉଠିଲେଣି ।

ବିଧି ପ୍ରକାରେ ଶିବରାତ୍ର ପରେ ଏକ ଶୁଭ ଦିନ ଦେଖି ମାଆଙ୍କ ଆଜ୍ଞା ମାଳ ନେଇ ଦେଶୀ ବେହେରାଙ୍କ ଘର ନିକଟରେ ଶୁଭଖୁଣ୍ଟି ସ୍ଥାପନ ହୋଇଥାଏ ଓ ଏହାର ୧୫ ଦିନ ପରେ ସେଠାରେ ଅସ୍ଥାୟୀ ମଣ୍ଡପ ସ୍ଥାପନ କରାଯାଇ ମାଆଙ୍କ ବିଜେ ସହ ଯାତ୍ରା ଆରମ୍ଭ ହୋଇଥାଏ । ଆଗା ସାହିର ନୀଳମଣି ପୃଷ୍ଟି ପରିବାର ପୁରୁଷାନୁକ୍ରମେ ମାଆଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ପ୍ରସ୍ତୁତ କରି ଆସୁଛନ୍ତି । ଏଣୁ ଏବେ ନୀଳମଣିଙ୍କ ପରିବାର ନିଜକୁ ପ୍ରସ୍ତୁତ କରୁଛନ୍ତି ଶୁଭଖୁଣ୍ଟିର ପ୍ରସ୍ତୁତି ପାଇଁ । ସେପଟେ ଯାତ୍ରା ଆରମ୍ଭ ହେଲେ ମାଆଙ୍କ ପ୍ରିୟ ଚାଙ୍ଗୁ ବାଜା ଲୋଡ଼ା ପଡ଼ିଥାଏ । ଏଥି ପାଇଁ ପୁରୁଷାନୁକ୍ରମେ ମାଆଙ୍କୁ ଏହି ସେବା ଯୋଗାଇ ଆସୁଥିବା ପୁରୁଣା ବ୍ରହ୍ମପୁରର ସିମାଦ୍ରି ଘଡ଼େଇ ପରିବାର ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ପ୍ରାୟ ଚାରି ଶହ ବର୍ଷର ପରମ୍ପରା ଅଟେ ମାଆଙ୍କର ଏହି ଯାତ୍ରା । ମହୁରି ଗଡ଼ର ତତ୍କାଳୀନ ରାଜା ହରିହର ନରେନ୍ଦ୍ର ଦେବ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିରୁ ଏହି ଘଟଯାତ୍ରା ପରମ୍ପରା ଆଣି ଏଠାରେ ଆରମ୍ଭ କରିଥିଲେ । ଆଉ ସେବେ ଠାରୁ ପୁରୁଷାନୁକ୍ରମେ ଦେଶୀ ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଯାତ୍ରା ପରିଚାଳିତ ହୋଇ ଆସୁଥିବା ବେଳେ ମାଆଙ୍କୁ ବିଭିନ୍ନ ସେବା ପ୍ରଦାନ ପାଇଁ କିଛି ନିର୍ଦ୍ଧିଷ୍ଟ ପରିବାର ପୁରୁଷାନୁକ୍ରମେ ମାଆଙ୍କୁ ସେବା ପ୍ରଦାନ କରି ଆସୁଛନ୍ତି । ପରମ୍ପରା ପ୍ରକାରେ ମାଆ ଚାଙ୍ଗୁଡ଼ିରେ ସ୍ଥାୟୀ ମନ୍ଦିରରୁ ଆସି ଅସ୍ଥାୟୀ ମଣ୍ଡପରେ ବିଜେ କରିଥାନ୍ତି ଓ ତୃତୀୟ ଦିନରେ ଘଟ ଭିତରେ ପ୍ରବେଶ କରିଥାନ୍ତି ।

ଏଥିପାଇଁ କୁମ୍ଭାରପଲ୍ଲୀ ଅଞ୍ଚଳର ଆର. ରାଜେନ୍ଦ୍ରଙ୍କ ପରିବାରର ସଦସ୍ୟ ପୁରୁଷାନୁକ୍ରମେ ଘଟ ପ୍ରସ୍ତୁତ କରି ଆସୁଛନ୍ତି । ସେହିପରି ଚିତ୍ରଶିଳ୍ପୀ ଦମୟନ୍ତୀଙ୍କ ପରିବାର ଲୋକ ମାଆଙ୍କ ଘଟକୁ ପୁରୁଷାନୁକ୍ରମେ ଚିତ୍ରିତ କରି ଆସୁଛନ୍ତି । ଏବେ ଯାତ୍ରା ଆଗକୁ ଆସୁଥିବାରୁ ଦୁଇ ପରିବାରର ସଦସ୍ୟ ମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି । ଚଳିତ ବର୍ଷ ଯାତ୍ରା ହେବା ନେଇ ଦେଶୀ ବେହେରା ମହାନଗର ନିଗମ କାର୍ଯ୍ୟାଳୟର କତୃପକ୍ଷଙ୍କୁ ସୁଚାଇ ଦେବା ପରେ ମାଆଙ୍କ ସେବା ପାଇଁ ନିଗମ ନିଜକୁ ପ୍ରସ୍ତୁତ କରି ନେଉଛି ବୋଲି ମେୟର କହିଛନ୍ତି ।