ଶାଳ ଜଙ୍ଗଲରେ ଭବ୍ୟ ମନ୍ଦିର ଭିତରେ ପୂଜା ପାଉଛନ୍ତି ଜଗତ ଜନନୀ ମାଆ ହିଙ୍ଗୁଳା

ଉଦଳା: ଭଗବାନ ଯେଉଁଠି ଭକ୍ତ ସେଇଠି । ସତେ ଯେମିତି ଭକ୍ତ ଓ ଭଗବାନଙ୍କର ଇଏ ଅପୂର୍ବ ମିଳନ । ମାଆଙ୍କର ଅପାର କରୁଣା ପାଇବା ପାଇଁ ଏଇଠି ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଛି । ସତେ ଯେମିତି ମାଆ ଚାହିଁ ବସିଛନ୍ତି ଆବେଗ ଭରାରେ ଭକ୍ତଙ୍କୁ । କେବଳ ଏ ଅଞ୍ଚଳ ନୁହେଁ ସାରା ଓଡିଶାରେ ମାଆଙ୍କର ମହିମା ବେଶ ପରିଚିତ । ଆମେ କହୁଛୁ ମାଆ ହିଙ୍ଗୁଳାଙ୍କ ପୀଠ କଥା । ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ସୁହାଗ ପୁରାରେ ଅବସ୍ଥିତ ମାଆ ହିଙ୍ଗୁଳାଙ୍କ ମନ୍ଦିର ।

ପ୍ରଥମେ ମାଆ ହିଙ୍ଗୁଳା ଏକ ଅସ୍ଥାୟୀ ମନ୍ଦିରରେ ପୂଜା ପାଇଆସୁଥିଲେ । ହେଲେ ସମୟ କ୍ରମେ ଆଜି ଏକ ଭବ୍ୟ ମନ୍ଦିର ଶାଳ ଜଙ୍ଗଲ ମଧ୍ୟରେ ମାଆ ପୂଜା ପାଉଛନ୍ତି । ପ୍ରତେକ ଦିନ ମାଆଙ୍କର ଏଇଠି ପୂଜା ଅନୁଷ୍ଠିତ ହୋଇଥାଏ । ତେବେ ମାଆଙ୍କର ବାର୍ଷିକ ବଡ ପୂଜା ଗତକାଲି ଯଥା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହୋଇଥିଲା ।

ମନରେ ଆଶା ଓ ବିଶ୍ୱାସ ରଖି ଭକ୍ତ ଧାଇଁ ଆସିଛି ମାଆଙ୍କ ପାଖକୁ । କିଏ ହାତରେ ନଡ଼ିଆ ଧରିଛି ତ ଆଉ କିଏ କଦଳୀ କାନ୍ଧି ଧରିଛି । ଆଉ କିଏ ଘରର କୁଟାକୁ ଆଣି ଅଗ୍ନି କୁଣ୍ଡରେ ନିଜର ମାନସିକ ପୂରଣ ପାଇଁ ସମର୍ପଣ କରୁଛନ୍ତି । ବିଶେଷ କରି କଦଳୀ ନଡ଼ିଆ ଓ ଘରର କୁଟା ଅଗ୍ନି କୁଣ୍ଡରେ ପକାଇଲେ ପରିବାରର ଦୁଃଖ ଦୂର ହୁଏ ବୋଲି ବିଶ୍ୱାସ ରିହିଛି ।

ସତରେ ମାଆଙ୍କର କରୁଣା ଆଜି ଶ୍ରଦ୍ଧାଳୁ ମାନଙ୍କୁ ଏଠାକୁ ଟାଣି ଆଣିଛି । ମାଆଙ୍କର ଦର୍ଶନ କରିବା ସହ ଦୀପ ଜାଳି ବଟ ବୃକ୍ଷରେ ନିଜର ମାନସିକ ବ୍ରତ ବାନ୍ଧିଥାନ୍ତି । ଏପରିକି ଯେଉଁମାନଙ୍କର ମାନସିକ ପୂର୍ବରୁ ପୂରଣ ହୋଇଥାଏ ସେମାନେ ମଧ୍ୟ ମାଆ ହିଙ୍ଗୁଳାଙ୍କ ପାଖରେ ଆସି ନିଜର ପୂଜା ସମର୍ପଣ କରିଥାନ୍ତି । ଏହି ମାଆଙ୍କ ବଡ଼ ପୂଜାରେ ଗୋଟିଏ ଦିନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାବେଳେ ହଜାର ହଜାର ବ୍ୟବସାୟୀ ସେମାନଙ୍କର ପସରା ମେଲାଇଥାନ୍ତି । କେବଳ ଏ ଅଞ୍ଚଳ ରେ ନୁହେଁ ବାଲେଶ୍ୱର, ଭଦ୍ରକ, କଟକ ଓ ଭୁବନେଶ୍ୱରରୁ ମଧ୍ୟ ଶ୍ରଦ୍ଧାଳୁ ମାନଙ୍କର ଏଠାକୁ ସୁଅ ଛୁଟିଥାଏ ।