ମାଆ ମଙ୍ଗଳାଙ୍କ ଚୈତ୍ରପର୍ବର ଅନନ୍ୟ ପରମ୍ପରା କାଳିକା ନୃତ୍ୟ

କାକଟପୁର: ଓଡିଶାର ପ୍ରମୁଖ ଶକ୍ତିପୀଠ ମଧ୍ୟରୁ କାକଟପୁର ବାସିନୀ ମାଆ ମଙ୍ଗଳାଙ୍କ ଶକ୍ତିପୀଠ ଅନ୍ୟତମ । ଏହି ଶକ୍ତିପୀଠଟି ପୁରୀ ଜିଲ୍ଲା ଅନ୍ତର୍ଗତ କାକଟପୁର ଠାରେ ଅବସ୍ଥିତ । ରାଜ୍ୟର ଅନ୍ୟ ଶକ୍ତିପୀଠ ମାନଙ୍କ ମଧ୍ୟରୁ ଏହି ଶକ୍ତିପୀଠଟି ସ୍ଵତନ୍ତ୍ର । ବିଭିନ୍ନ ପୁରାଣ ପୋଥିରେ ଏହି ଶକ୍ତିପୀଠର ବର୍ଣ୍ଣନା ରହିଥିବା ବେଳେ ସ୍କନ୍ଦ ପୁରାଣ, ପଦ୍ମ ପୁରାଣ ଏବଂ ମଙ୍ଗଳା ମହାପୁରାଣରେ ଏହି ଶକ୍ତିପୀଠ ସମ୍ପର୍କରେ ବର୍ଣ୍ଣନା ରହିଛି । ମାଆ ମଙ୍ଗଳାଙ୍କୁ ଆଦିମାତା ଭାବରେ ବର୍ଣ୍ଣନା କରାଯାଇଥିବା ବେଳେ ସୃଷ୍ଟି ସର୍ଜନା ସମୟରେ ମାଆ ମଙ୍ଗଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ମଙ୍ଗଳା ମହାପୁରାଣରେ ବର୍ଣ୍ଣିତ ହୋଇଥିବା ଦେଖିବାକୁ ମିଳିଥାଏ । ମାଆ ମଙ୍ଗଳାଙ୍କ ଠାରୁ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ଵରଙ୍କ ସୃଷ୍ଟି ବୋଲି ପ୍ରତିପାଦନ କରାଯାଇଛି ।
ସେହି ଆଧାରକୁ ନେଇ ଶ୍ରୀକ୍ଷେତ୍ରର ଚତୁର୍ଦ୍ଧା ବିଗ୍ରହ ବଳରାମ, ସୁଭଦ୍ରା, ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଚକ୍ର ରାଜ ସୁଦର୍ଶନଙ୍କ ନବକଳେବର ସମୟରେ ଦାରୁର ଠିକଣା ମାଆ ମଙ୍ଗଳା ହିଁ ସ୍ଵପ୍ନାଦେଶ ମାଧ୍ୟମରେ ଦେଇଥାନ୍ତି । ମାଆ ମଙ୍ଗଳାଙ୍କ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ । ସେଥି ମଧ୍ୟରୁ ମାଆ ମଙ୍ଗଳାଙ୍କ ଚୈତ୍ରମାସ ମଙ୍ଗଳବାର ଯାତ୍ରା ବା ଝାମୁ ଯାତ୍ରା ମୁଖ୍ୟ ଯାତ୍ରା ଭାବରେ ଓଡିଶା ପ୍ରସିଦ୍ଧ ଅଟେ । ଏହି ସମୟରେ ମାଆ ମଙ୍ଗଳାଙ୍କ ବିଭିନ୍ନ ପରମ୍ପରା ରହିଥାଏ । ସେହି ପରମ୍ପରା ମଧ୍ୟରୁ କାଳିକା ନୃତ୍ୟ ହେଉଛି ଏକ ଅନନ୍ୟ ପରମ୍ପରା । ରାଜ୍ୟର ଅନ୍ୟ ଶକ୍ତିପୀଠ ମାନଙ୍କରେ ଚୈତ୍ର ମାସରେ ଝାମୁଯାତ୍ରା ଆୟୋଜନ କରାଯାଉଥିବା ବେଳେ ମାଆ ମଙ୍ଗଳାଙ୍କ ନିକଟରେ ଚୈତ୍ର ମାସରେ ଚୈତ୍ର ମଙ୍ଗଳବାର ଓଷା ପାଳନ ହେବା ସହିତ ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ଝାମୁଯାତ୍ରା ଆୟୋଜନ ହୋଇଥାଏ । ଯାହା ଅନ୍ୟ କୌଣସି ଶକ୍ତିପୀଠ ମାନଙ୍କରେ ଦେଖିବାକୁ ମିଳିନଥାଏ ।
ଚୈତ୍ର ମାସର ତୃତୀୟ ମଙ୍ଗଳବାର ଠାରୁ ମାଆ ମଙ୍ଗଳାଙ୍କ ପୀଠରେ କାଳିକାଙ୍କ ଆବିର୍ଭାବ ହୋଇଥାଏ । ଏହା ଚୈତ୍ର ମାସର ତୃତୀୟ, ଚତୁର୍ଥ ପାଳି ମଙ୍ଗଳବାର ସହିତ ବୈଶାଖ ମାସର ପ୍ରଥମ ମଙ୍ଗଳବାର ପର୍ଯ୍ୟନ୍ତ କାଳିକା ନୃତ୍ୟ ପରିବେଷଣ ହୋଇଥାଏ । କାଳିକା ନୃତ୍ୟ ମାଆ ମଙ୍ଗଳାଙ୍କ ଏକ କଳେଶୀ ପରମ୍ପରା ହୋଇଥିବା ବେଳେ ମାଆ ମଙ୍ଗଳାଙ୍କ ଏକ ସ୍ଵତନ୍ତ୍ର ଶକ୍ତି କାଳିକା ସେବାୟତଙ୍କ ଶରୀରରେ ପ୍ରବେଶ ହୋଇଥିବା ବିଶ୍ୱାସ କରାଯାଇଥାଏ ।
ମଙ୍ଗଳା ମନ୍ଦିରରେ ଚୈତ୍ର ମାସର ତୃତୀୟ ମଙ୍ଗଳବାର ଠାରୁ ଅନୁଷ୍ଠିତ ହେଉଥିବା କାଳିକା ନୃତ୍ୟ ଏକ ପାରମ୍ପରିକ ସେବା । ଏଥିପାଇଁ ଗୋଟିଏ କାଳିକା ସେବକ ପରିବାରଙ୍କୁ ଜମିଦାରଙ୍କ ସମୟରୁ ଜମି ଖଞ୍ଜା ଦିଆଯାଇଥିବା ସହ ଏହି ସେବା ପାଇଁ ସେବକଙ୍କୁ ମଙ୍ଗଳା ମନ୍ଦିର ପ୍ରଶାସନ ପକ୍ଷରୁ କିଛି ପାଉଣା ପ୍ରଦାନ କରାଯାଇଥାଏ । ଏହି ସେବା ବର୍ଷକ ମଧ୍ୟରେ ଚୈତ୍ର ପର୍ବ ସମୟରେ ଅନୁଷ୍ଠିତ ହୋଇଥାଏ । କାଳିକା ସେବାୟତଙ୍କୁ ଏହି ସେବା କରିବା ପାଇଁ ନିଷ୍ଠା ଏବଂ ନୀତି ନିୟମ ପାଳନ କରିବାକୁ ପଡିଥାଏ । ଚୈତ୍ର ମାସ ସାରା ସେବାୟତ ଜଣଙ୍କ ସାତ୍ଵିକ ଭୋଜନ କରିଥାନ୍ତି ,ଏବଂ ଚୈତ୍ର ମାସ ତୃତୀୟ ମଙ୍ଗଳବାର ଠାରୁ ବୈଶାଖ ମାସର ପ୍ରତେକ ମଙ୍ଗଳବାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଉପବାସ ରହିବା ସହିତ ଜଳ ସ୍ପର୍ଶ କରନ୍ତି ନାହିଁ । ଦିନସାରା ମାଆ ମଙ୍ଗଳାଙ୍କ ଏକ ବୀଜ ମନ୍ତ୍ର ଜପ କରିଥାନ୍ତି । ମଧ୍ୟରାତ୍ରିରେ ଏହି କଳେଶୀ ସେବକ ମନ୍ଦିର ପ୍ରବେଶ କରିଥାନ୍ତି ।
ମନ୍ଦିରରେ ମାଆ ମଙ୍ଗଳାଙ୍କୁ ଦର୍ଶନ କରି ମାଙ୍କ ଠାରୁ ଆଜ୍ଞା ମାଳ ପ୍ରାପ୍ତ କରିସାରିବା ପରେ ମନ୍ଦିରର ପୂର୍ବ ଭାଗରେ ରହିଥିବା ଗୋରଡା ଗୃହକୁ ପ୍ରବେଶ କରିଥାନ୍ତି । ସେଠାରେ ସେବାୟତ ମାନେ ତାଙ୍କୁ କାଳିକା ବେଶରେ ସଜେଇ ଦେଇଥାନ୍ତି । ବେଶ ସାରିବା ପରେ ସେବାୟତ ମାନେ ଘଣ୍ଟ ବଜାଇ ସେଠାରୁ କାଳିକାଙ୍କୁ ନଚାଇ ନଚାଇ ଆଣିଥାନ୍ତି । ଏହି ସମୟରେ ପାରମ୍ପରିକ ଦିହୁଡି ଜଳାଇ ଜଣେ ଦିହୁଡି ସେବକ ବାଟ କଢାଇ ଆଣୁଥିବା ବେଳେ ଢୋଲ ,ନାଗରା ମହୁରି ଆଦି ବାଜା ବଜାଇ ଏକ ପଟୁଆର ରେ କାଳିକା ମନ୍ଦିର ପ୍ରବେଶ କରିଥାନ୍ତି ।
ପ୍ରଥମେ ବେତ ଧରି ମନ୍ଦିର ବେଢା ଭିତରେ ଗୋଟିଏ ଥର ପରିକ୍ରମା କରିବା ପରେ ମନ୍ଦିର ମଧ୍ୟକୁ କାଳିକା ପ୍ରବେଶ କରନ୍ତି ଏବଂ ସେଠାରୁ ମାଆ ମଙ୍ଗଳାଙ୍କ ଠାରୁ ଖଣ୍ଡା ଏବଂ ପଦ୍ମଫୁଲ ପ୍ରାପ୍ତ କରି ମନ୍ଦିର ବାହାରକୁ ଆସିଥାନ୍ତି । ଏହାପରେ ଖଣ୍ଡା ଧରି ଦୁଇ ଥର ମନ୍ଦିର ବେଢା ପରିକ୍ରମା କରିଥାନ୍ତି । ଖଣ୍ଡା ଧରି ମନ୍ଦିର ବେଢା ପରିକ୍ରମା କରୁଥିବା ସମୟରେ ମନ୍ଦିରରେ ରହିଥିବା ଚାରୋଟି ଦ୍ଵାର ସମୁଖରେ ଗୋଟିଏ ଗୋଟିଏ ପଦ୍ମଫୁଲକୁ ଫିଙ୍ଗିବା ସହିତ ସେହି ସ୍ଥାନରେ ଖଣ୍ଡା ବୁଲାଇଥାନ୍ତି ଏବଂ ଘଣ୍ଟ ବଜାଉଥିବା ସେବକ ଘଣ୍ଟର ତାଳେ ତାଳେ କାଳିକାଙ୍କୁ ନଚାଇଥାନ୍ତି । ଏହା ପରେ ମନ୍ଦିର ମଧ୍ୟରୁ କାଳିକା ବାହାରକୁ ଯାଇ ପୁନର୍ବାର ଗୋରଡା ଅଭିମୁଖେ ଯାଇଥାନ୍ତି ଏବଂ ସେଠାରେ ମୁର୍ଚ୍ଛିତ ହୋଇ ପଡିଯାନ୍ତି । କାଳିକା ନୃତ୍ୟ ଏହା ହେଉଛି ମଙ୍ଗଳା ମନ୍ଦିରର ଏକ ଅଲୌକିକ ପରମ୍ପରା । ଏହି ପରମ୍ପରା କାହିଁ କେଉଁ ଆବାହନ ସମୟରୁ ଚାଲି ଆସୁଛି ।
ଆହୁରି ପଢନ୍ତୁ: ମାଉସୀ ମା’ଙ୍କ ଘରକୁ ତିନି ଥର ଯାଇଥାନ୍ତି ମା’ ବୁଢ଼ି ସାଆନ୍ତାଣୀ, ଦେଖିବାକୁ ଲାଗେ ଭକ୍ତଙ୍କ ଗହଳି