ହାତରେ ବାଉଁଶ ନିର୍ମିତ ଛତ୍ରୀ ଆଉ ଛତ୍ରୀ ଉପରେ ନିଆଁ ଦୁହୁରି, ଜାଣନ୍ତୁ ଏହି ନିଆରା ଯାତ୍ରା ବିଷୟରେ

ବେଗୁନିଆ: ହାତରେ ବାଉଁଶ ନିର୍ମିତ ଛତ୍ରୀ ଆଉ ଛତ୍ରୀ ଉପରେ ନିଆଁ ଦୁହୁରି । ତା ଚାରି ପାଖେ ପୁଣି ପଦ୍ମଫୁଲ ସଜା ହୋଇଛି । ଶତାଧିକ ଶ୍ରଦ୍ଧାଳୁ ବାଜା ରୋଷଣୀ ଭିତରେ ମାଆଙ୍କୁ କରୁଛନ୍ତି ଆବାହନ । ବୋଲଗଡ ବ୍ଲକ ବାଙ୍କୋଇ ଗ୍ରାମରେ କାହିଁ କେଉଁ କାଳରୁ ପ୍ରଚଳିତ ହୋଇଆସୁଛି ଭିନ୍ନ ଏହି ପରମ୍ପରା ଛତ୍ରୀଯାତ୍ରା । ଗ୍ରାମରେ ପୂଜା ପାଉଥିବା ମାଆ ରାମଚଣ୍ଡୀଙ୍କ ଦଶହରା ପର୍ବ ଅବସରେ ଏହି ଛତ୍ରୀଯାତ୍ରା ପାରମ୍ପରିକ ଭାବେ ପାଳନ ହୋଇଆସୁଥିବା ବେଳେ ପିଲାମାନଙ୍କ ମଙ୍ଗଳ ମାନସୀ ଛତ୍ରୀ ପ୍ରଦାନ କରୁଥିବା କୁହାଯାଏ । ତେବେ ଏ ନେଇ ଗାଁ ବେଶ ଚଳଚଞ୍ଚଳ ହୋଇପଡ଼ିଥିବାବେଳେ ଘରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ ଜମିଛି ।

କିମ୍ବଦନ୍ତୀ କହେ ପୂର୍ବ କାଳରେ ମାଆ ରାମଚଣ୍ଡୀ ପିଲାମାନଙ୍କୁ ହଇଜା, ହାଡଫୁଟି, ମିଳିମିଳା, ବାତ ଭଳି ମାରାତ୍ମକ ରୋଗରୁ ରକ୍ଷା କରୁଥିଲେ । ସେଥି ପାଇଁ ଛତ୍ରୀଯାତ୍ରାରେ ମାଆଙ୍କର ଅଶିଷ ପାଇବା ପାଇଁ ମାନସିକ ରଖି ପିଲାମାନେ ଏକ ବାଉଁଶ ନିର୍ମିତ ଛତ୍ରୀ ଧରି ମାଆଙ୍କ ସାଥିରେ କଚେରୀ ପର୍ଯ୍ୟନ୍ତ ନାଚିନାଚି ପଟୁଆରେ ଯାଇ ଛତ୍ରୀଯାତ୍ରାର ମଜା ନେଇଥାନ୍ତି ।

ଏହି ଯାତ୍ରାରେ ପିଲାମାନେ ଏକ ବାଉଁଶ ନିର୍ମିତ ଛତ୍ରୀ ଧରିଥିବାବେଳେ ଏହି ଛତ୍ରୀର ଚାରିପାର୍ଶ୍ୱରେ କଇଁ ଫୁଲ, ପଦ୍ମ ଫୁଲ ଝୁଲାଇ ଛତ୍ରୀର ଅଗ୍ରଭାଗରେ ଏକ ନିଆଁ ଦୁହୁରି ଜଳାଇ ପଟୁଆଳରେ ଯାଇଥାନ୍ତି । ଏଥିସହିତ ଗୌଡ଼ବାଡି ଖେଳ, ପୌରାଣିକ ନାଚ ଯାତ୍ରାକୁ ବେଶ ଆକର୍ଷଣୀୟ କରିଥାଏ । ମାଆ ରାମଚଣ୍ଡୀ ପିଲାମାନଙ୍କୁ ଅଧିକ ଭଲପାଉଥିବାର ବିଶ୍ୱାସ ରହିଛି । ଏପରିକି ପିଲା ମାନଙ୍କ ସହିତ ଆଗରୁ ଡୁଡୁ ଖେଳିବାକୁ ମାଆ ଭଲପାଉଥିଲେ । ଡୁଡୁ ଖେଳ ଅର୍ଥାତ ବର୍ତମାନ କୁହାଯାଉଥିବା କବାଡି ଖେଳ । ମାଆ ଭଲ ପାଉଥିବାରୁ ମାଆଙ୍କ କଚେରୀବର ସ୍ଥିତ ଅସ୍ଥାନ ଠାରେ ଗ୍ରାମର ଯୁବକମାନଙ୍କ ପକ୍ଷରୁ ଦଶହରା ପର୍ଯ୍ୟନ୍ତ ଆୟୋଜିତ ହୋଇଆସୁଛି ରାଜ୍ୟସ୍ତରୀୟ କବାଡି ଟୁର୍ନାମେଣ୍ଟ ।

ବାଙ୍କୋଇ ଗାଁର ନିଆରା ପର୍ବ ଛତ୍ରୀଯାତ୍ରା । ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଏକ ପରମ୍ପରା । ପିଲାମାନଙ୍କ ମଙ୍ଗଳ ମାନସୀ ଏହି ଯାତ୍ରାର ବିଶେଷତ୍ୱ ଥିବାବେଳେ ଗ୍ରାମରେ ପୂଜା ପାଉଥିବା ମାଆ ରାମଚଣ୍ଡୀଙ୍କ ଦଶହରା ପର୍ବ ଅବସରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି ଏହି ପର୍ବ । ଦୀର୍ଘ ୧୦ଦିନ ଧରି ଗାଁରେ ଉତ୍ସବର ମାହୋଲ ସୃଷ୍ଟି ହୋଇ ହଜାର ହଜାର ଜନ ସମାଗମ ହୋଇଛନ୍ତି । ବାଙ୍କୋଇ ଗ୍ରାମର ନିଆରା ଏହି ପର୍ବରେ ଶ୍ରଦ୍ଧାଳୁ ମାନେ ମାଆଙ୍କ ଆଶୀର୍ବାଦ ଭିକ୍ଷା ସହିତ ଢେରସାର ମଜା ନେଉଛନ୍ତି ।