ତନ୍ତ୍ର ମନ୍ତ୍ରର ପୀଠ ହେଉଛି ସୁବର୍ଣ୍ଣପୁର । ବିଶେଷ କରି ପାର୍ବଣର ମାସ ଆଶ୍ଵିନ ମାସରେ ସବୁ ଶକ୍ତି ପୀଠରେ ହୁଏ ନାନାଧି ପୂଜାର୍ଚ୍ଚନା । ଦେବୀ ପୀଠମାନଙ୍କରେ ଷୋଡଷ ଉପଚାରରେ ପୂଜାର୍ଚ୍ଚନା ହେଉଥିବା ବେଳେ କୁମାର ପୂର୍ଣ୍ଣିମା ତଥା ଆଶ୍ଵିନ ପୂର୍ଣ୍ଣିମାରେ ସୁବର୍ଣ୍ଣପୁର ଜିଲ୍ଲାର କାନପୁର ଗାଁରେ ମାହେଶ୍ଵରୀ ପୀଠରେ ହୁଏ ମହାଖଲା ପୂଜା । ଦହି, ଦହନା, ଘୃତ ସହିତ ହାଣ୍ଡି ହାଣ୍ଡି ଅରୁଆ ଚାଉଳସହ ବେଲପତ୍ର, ପଦ୍ମଫୁଲରେ ମା’ଙ୍କ ପୂଜା ଆରାଧନା କରାଯାଇଥାଏ । ମା’ ପରମେଶ୍ଵରୀ, ମାହେଶ୍ଵରୀ ଏବଂ ଖମ୍ୱେଶ୍ଵରୀଙ୍କର ଏହି ସ୍ଵତନ୍ତ୍ର ପୂଜାରେ ରହିଛି ଅଲଗା ମହକ ଏକ ଅନନ୍ୟ ପରମ୍ପରା ।
ରାଜା ରାଜୁଡା ସମୟରୁ ଜିଲ୍ଲାର କାନପୁର ଗାଁର ମାହେଶ୍ଵରୀ ପୀଠର ରହିଛି ବେଶ ପ୍ରସିଦ୍ଧ । ଏଠି ପୂଜିତ ହୋଇ ଆସୁଛନ୍ତି ମାହେଶ୍ଵରୀ, ଖମ୍ୱେଶ୍ଵରୀ, ନାରାୟଣୀ,ଚାମୁଣ୍ଡା ଓ ନରଘଣ୍ଟା । ପ୍ରତିବର୍ଷ ଆଶ୍ୱିନ ମାସର ପୂର୍ଣ୍ଣିମାରେ ପଞ୍ଚଦେବୀଙ୍କ ପାଇଁ ଆୟୋଜିତ ହେଉଛି ମହାଖଳା ପୂଜା । ଆଉ ପୀଠରେ ତିନିଦିନ ଧରି ଶାରଦୀୟ ପାର୍ବଣ ହେଉଛି ମୁଖ୍ୟ ଆକର୍ଶଣ ।
ମହାଖଲା ପୂଜାରେ ହାଣ୍ଡି ହାଣ୍ଡି ଅରୁଆ ଚାଉଳ, ମନ୍ଦାର ଫୁଲ, ପଦ୍ମ ଫୁଲ, ଦହି, ଦହନା, ସିନ୍ଦୁର, ହଳଦୀ ଲାଗି ରହୁଥିବା ବେଳେ ୩୨ଶହ ଯୋଡାରୁ ଅଧିକ ବେଲପତ୍ର ଲାଗିଥାଏ । ୬୪ ତାମ୍ୱି ଅରୁଆ ଚାଉଳରେ ପୂଜା କରାଯାଉଥିବା ବେଳେ ୧୦୦୮ ଯୋଡା ପଦ୍ମଫୁଲ ଦେଇ ପୂଜା କରାଯାଇଥାଏ । ପୂଜାରେ ପଞ୍ଚାମୃତ ସହ ଦହି ଓ ଦହନାରେ ଦେବୀଙ୍କୁ ସ୍ନାନ କରାଯାଇଥାଏ । ପୂଜା ତ୍ରିକୋଣରୁ ଆରମ୍ଭ ହୋଇ ଶଟକୋଣ, ଅଷ୍ଟ କୋଣ ହୋଇ ୩୨ କୋଣ ଯାଏ ଅନୁଷ୍ଠିତ ହୋଇଥାଏ । ପ୍ରତ୍ୟକ ପୂଜା ମଧ୍ୟରେ ବୀଜ ମନ୍ତ୍ର ଓଁ ସ୍ଥାପନା କରାଯାଇଥାଏ ।
ପୂଜା ମଣ୍ଡପରେ ଶୋଭା ପାଆନ୍ତି ଆଲମ ଓ ଆଲମର ଦୁଇ ପାଶ୍ଵରେ କଳା ଧଳା ଛତିରେ ଶୋଭା ପାଆନ୍ତି ମାହେଶ୍ଵରୀ ଏବଂ ଖମ୍ୱେଶ୍ଵରୀ । ପୂଜା ସମୟରେ ମନ୍ଦିର ପାଖରେ ବାଜୁଥାଏ ଢୋଲ, ମହୁରୀ ନିଶାନର ଶୋଳ ଭରଣୀ ବାଦ୍ୟ । ଖାଲି ଯେ ସେତିକି ନୁହେଁ । ମା’ ମାହେଶ୍ଵରୀଙ୍କୁ ଦର୍ଶନ କରିବା ସହିତ ମନୋରଂଜନ ପାଇଁ ମହିଷାସୁର ଦରବାର ଅନୁଷ୍ଠିତ ହୋଇଥିଲା । କାନପୁର ଗାଁର ଏହି ଅଶିନ ପୁନିଯାତ୍ରାକୁ ଅଧିକ ଆକର୍ଷଣ ଏବଂ ଲୋକାଭିମୁଖୀ କରିବା ପାଇଁ ଦେମୂଳ ପୀଠରେ ମହିଷାଶୁର ଦରବାର ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଥିବା ଦେଖିବାକୁ ମିଳିଥିଲା ।
୫ ଦିନ ଧରି ଅନୁଷ୍ଠିତ ଏହି ମହିଷାସୁର ଦରବାରରେ ମହାରାଜ ମହିଷାସୁରଙ୍କ ଉଚ୍ଚ କୋଟିର ସଂଳାପ, ପାତ୍ର ମନ୍ତ୍ରୀଙ୍କ ନିଖୁଣ ଅଭିନୟ ଏବଂ ନୃତ୍ୟାଙ୍ଗନାମାନଙ୍କ ନୃତ୍ୟରେ ମସଗୁଲ ହୋଇଥାନ୍ତି ଦର୍ଶକ । ଦରବାରର ରାଜ ଅତିଥି ଭାବରେ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଜିଲ୍ଲାପରିଷଦ ସଭ୍ୟ ଲବକୁମାର ସାହୁ, କଂଗ୍ରେସ ନେତା ପ୍ରଦୀପ ସେଠୀ ଅତିଥି ଭାବରେ ଯୋଗଦେଇ ଦେଇଥିଲେ ସାଂସ୍କୃତିକ ବାର୍ତ୍ତା । ଗ୍ରାମୀଣ ସଂହତି ଗ୍ରାମୀଣ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ରାଜା ରାଜୁଡା ସମୟରୁ ପାଳିତ ହୋଇ ଆସୁଥିବା ଏହି ମହାଖଳା ପୂଜାର ସତରେ ନିଆରା ।
Also read: ଆଜି ପବିତ୍ର କୁମାର ପୂର୍ଣ୍ଣିମା, ଏହି ଦିନରେ ‘ଚାନ୍ଦପୂଜା’ର ରହିଛି ବିଶେଷ ମହତ୍ତ୍ୱ