ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ପାଞ୍ଚଣ ନୀତି, ଔଷଧ ଲାଗି ପରେ ସୁସ୍ଥ ହୋଇ ଉଠିବେ ତିନି ଠାକୁର

ବାରିପଦା: ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପରମ୍ପରା ମୁତାବକ ମହାପ୍ରଭୁଙ୍କ ଠାରେ ଲାଗି ହୋଇଛି କବିରାଜଙ୍କ ଦ୍ଵାରା ପ୍ରସ୍ତୁତ ଔଷଧ ପାଞ୍ଚଣ । ଏହି ଔଷଧ ଲାଗି ପରେ ସୁସ୍ଥ ହୋଇ ଉଠିବେ ତିନି ଠାକୁର । ମହାପ୍ରଭୁଙ୍କ ଏହି ଔଷଧ ଟିକକ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ବେସ୍ଉତ୍କଣ୍ଠା । ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ସ୍ୱତନ୍ତ୍ର ପରମ୍ପରାକୁ ନେଇ ଭକ୍ତଙ୍କ ମନରେ ଭରିଯାଇଛି ଉତ୍ସାହ ।

ସ୍ନାନ ପୂର୍ଣ୍ଣିମା ଦିନ ୧୦୮ କଳସ ସୁବାସିତ ଜଳରେ ସ୍ନାନ ପରେ ତିନି ଠାକୁର ଏବେ ଅଣସର ଗୃହରେ । ପଟି ଦେବ ପୂଜା ପାଉଛନ୍ତି । ବନ୍ଦ ରହିଛି ସିଂହଦ୍ଵାର । ହାତୀ ଦ୍ଵାର ଦେଇ ମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ । ମହାପ୍ରଭୁଙ୍କ ଜ୍ୱର ଉପଶମ ପାଇଁ ଲାଗି ହୋଇଛି ପାଞ୍ଚଣ ଔଷଧ । କବିରାଜ ଦ୍ଵାରା ପ୍ରସ୍ତୁତ ପାଞ୍ଚଣ ଲାଗି ପରେ ସୁସ୍ଥ ହେବେ ତିନି ଠାକୁର । ମାହାପ୍ରଭୁଙ୍କ ଏହି ଔଷଧ ଟିକକ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ବେସ୍ ଉତ୍କଣ୍ଠା । ବର୍ଷ ତମାମ ଶ୍ରଦ୍ଧାଳୁ ଅପେକ୍ଷା କରିଥାନ୍ତି । ବିଶ୍ୱାସ ରହିଛି ମହାପ୍ରଭୁ ଯେଉଁଠି ଏହି ଔଷଧ ଟିକକ ଖାଇ ସୁସ୍ଥ ହୋଇ ପାରୁଛନ୍ତି ସେଇଠି ସାଧାରଣ ମଣିଷ ଅବା କଣ । ଏହି ଔଷଧକୁ ବର୍ଷ ତମାମ୍ ଘରେ ସାଇତି ରଖି ଘରେ କେହି ଅସୁସ୍ଥ ହେଲେ ତାଙ୍କୁ ଟିକେ ଔଷଧ ଖୁଆଇଲେ ସେ ସୁସ୍ଥ ହୋଇ ଉଠନ୍ତି ବୋଲି ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ରହିଛି । ଆଉ ସେଇ ବିଶ୍ୱାସକୁ ନେଇ ବୈଦରାଜଙ୍କ ଦ୍ଵାରା ନିର୍ମିତ ଏହି ଔଷଧକୁ ନିଜ ଘରକୁ ନେଇଥାନ୍ତି ଭକ୍ତ ।

ତେବେ ପଞ୍ଚମୀ ତିଥିରେ ଏହି ଔଷଧ ଲାଗି ହେଉଥିବାରୁ ଏହାକୁ ପାଞ୍ଚଣ ପରମ୍ପରା କହିଥାନ୍ତି । ଡାକ୍ତର ଯେପରି ରୋଗୀକୁ ଦେଖି ଔଷଧ ଦେଇଥାନ୍ତି । ମହାପ୍ରଭୁଙ୍କ କବିରାଜ ମଧ୍ୟ ତାଙ୍କ ରୋଗୀକୁ ଦେଖି ବିଭିନ୍ନ ଆୟୁର୍ବେଦ ସାମଗ୍ରୀ ନେଇ ଏହି ଔଷଧକୁ ପ୍ରସ୍ତୁତ କରିଥାନ୍ତି । ମହାପ୍ରଭୁଙ୍କ ଅଣସର ଗୃହରେ ଅଭଡା ବଦଳରେ ଏବେ ଲାଗି ହେଉଛି ପାଳୁଅ, ଛୁଲା ଓ ମୁଗ ଭୋଗ ।

ଏହା ସହିତ ପଞ୍ଚମୀରେ ଔଷଧ ଲାଗି ହେବା ପରେ ଷଷ୍ଠୀ ପର ଠାରୁ ତିନିଠାକୁର ସୁସ୍ଥ ହେବା ସହିତ ନେତ୍ରଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ । ମହାପ୍ରଭୁଙ୍କ ଶରୀର ସୁସ୍ଥ ହେବାକୁ ଏବେ କେବଳ ଅପେକ୍ଷା ।