ରାଜଧାନୀ ରାସ୍ତା କଡ଼ର ଏ ଦୃଶ୍ୟ, ବାବୁ ଡାକ୍ତର ପାଖକୁ ଯିବି ଟଙ୍କାଟେ ଦିଅ

ଅପରାହ୍ଣ ସମୟ । ଜଣେ ୮୩ ବର୍ଷର ବୃଦ୍ଧଙ୍କୁ ଦେଖିଲୁ ଯିଏ ବୟସର ଭାରରେ ନଇଁ ନଇଁ ଚାଲିଥାନ୍ତି l ଜୀବନ ବଂଚେଇବା ପାଇଁ ଯେଉଁ ଚାଉଳ କିଛି ମିଳୁଛି ତାକୁ ଡିଲର ପାଖରୁ ନେଇ ଘରକୁ ଫେରିବେ l କିନ୍ତୁ ରାସ୍ତାରେ ଜଣେ ଡ୍ରାଇଭର ବୃଦ୍ଧଙ୍କୁ ଦେଖି ନିଜ ଅଟୋରେ ଡାକି ବସାଇଲେ l ସେମିତି କହିବାକୁ ଗଲେ ଏହି ବୟସ୍କ ବୃଦ୍ଧ ଲୋକଙ୍କ ପାଇଁ ଆଜି ନୁହେଁ ଅନେକ ବର୍ଷ ଆଗରୁ ବି ବିଭିନ୍ନ ଯୋଜନା ଥିଲା । ହେଲେ କାହିଁକି ଆଜି ଏମାନଙ୍କର ଏଭଳି ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳୁଛି ? ଯାହା ସିନା ଆମ ହୃଦୟକୁ ବିଦାରି ଦେଉଛି ହେଲେ ସେମାନେ ଯେମିତି ଆମ ପାଇଁ ଅଲୋଡ଼ା ହୋଇଯାଇଛନ୍ତି ।

ହେଲେ ଦର୍ଶକ ବନ୍ଧୁ ଆଜି ଆମ କାହାଣୀର ଇଏ ମୁଖ୍ୟ ଚରିତ୍ର ନୁହନ୍ତି । ଆସନ୍ତୁ ଏବେ ଯିବା ଆମ ପ୍ରମୁଖ ବ୍ୟକ୍ତିଙ୍କ ପାଖକୁ । ଏକ କରୁଣ ଦୃଶ୍ୟକୁ ଆଣୁଛୁ ଆପଣଙ୍କ ସାମନାକୁ l ଦିପହର ସମୟ ଟିକେ ଗଡି ଯାଇଥାଏ, ରାଜଧାନୀ ରାସ୍ତାରେ ଯାଉ ଯାଉ ହଠାତ ଆମ ସାମ୍ନାରେ ପଡିଲା ଏକ ଦୁଃଖ ଆଉ ଦୁର୍ଦ୍ଦଶାର ଚିତ୍ର । ଜଣେ ବୟସ୍କ ବୃଦ୍ଧ, ଚମ ଧୁଡୁ ଧୁଡୁ l ଦେହର ଶିର ଗଣି ହୋଇ ଯାଉଛି l ହାତରେ ଖଣ୍ଡେ ବାଡ଼ି l ପିନ୍ଧି ଥିବା ଧୋତି ଖଣ୍ଡିକ କେଉଁ ଯୁଗରୁ ସଫା ହୋଇନି ତାହା ସେ ବି କହି ପାରିବେନି । କାନ୍ଧର ଗାମୁଛା ଖଣ୍ଡିକ ଚାରିଆଡେ ଚିରା ଫଟା l କୋଡ଼ ଭଳି ଆଖିରେ ପୋଷେ ଲେଖାଏଁ ଚାଉଳ ଧରିବ l ପେଟ ଯାଇ କୋଉଠି ଲାଗିଛି । ସତେ ଯେମିତି ମନେ ହେଉଥିଲା ଏଇ ସେଇ ଦୀର୍ଘ ବର୍ଷ ତଳେ ହୋଇ ଥିବା ଦୁର୍ଭିକ୍ଷରୁ ଆସିଛନ୍ତି କି ?

ଏ ବୃଦ୍ଧ ଜଣଙ୍କ ଭୁବନେଶ୍ୱରର ଛାତି ବୋଲାଉ ଥିବା ଗଭର୍ଣ୍ଣର ହାଉସର ଅତି ନିକଟରେ ଥିବା ରାସ୍ତା କଡରେ ବସି ଲୋକଙ୍କୁ ହାତ ପତାଉଥିଲେ l ବାବୁ ଟଙ୍କା କିଛି ଦିଅନ୍ତୁ ମୋର ଚିକିତ୍ସା ହେବ l କାହାର ଗାଡିକୁ ଅଟକାଇ କହୁଥାନ୍ତି ବାବୁ ଖାଇବାକୁ କଣ କିଛି ଟଙ୍କା ମିଳୁ l ଆଉ ପୁଣି କାହାକୁ କହୁଥିଲେ ପୁଅ ଗାଁକୁ ଯିବି ଟଙ୍କା ନାହିଁ ଦିଅ କିଛି l ଏମିତି ଦୁଃଖ ଘଟଣା ଆମେ ଯେତେବେଳେ ସାମ୍ନାରେ ପାଇଲୁ ଆମ ହାତ ଗୋଡ଼ ଥରିଗଲା l ତେବେ ମୋଟ ଉପରେ ଏହି ବୃଦ୍ଧ ଜଣଙ୍କ ଘର ନିମାପଡାରେ l ଭୁବନେଶ୍ୱରକୁ ଆସିଥିଲେ ଦିନେ ଏକ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେବାକୁ ଆସିଥିଲେ l ଘରେ ଆଉ କେହି ନାହାନ୍ତି । ଯଦିବା ଅଛନ୍ତି କିନ୍ତୁ ଅଣ ଦେଖା କରନ୍ତି l ଦୁର୍ଘଟଣାର ଶିକାର ହେବା ପରେ ଚିକିତ୍ସାରେ ସବୁ ଟଙ୍କା ସରିଗଲା ପାଣ୍ଠିରୁ । ଏବେ ନିଜେ ବଂଚିବା ପାଇଁ ପାଖରେ ଟଙ୍କାଟିଏ ନାହିଁ । ଆଉ ଚିକିତ୍ସା କରିବେ କଣ ?

କୁହାଯାଏ ଯାହା ଭାଗ୍ୟରେ ନାହିଁ ସେ କେବେବି ସୁନା ଥାଳିରେ ବହୁ ବ୍ୟଞ୍ଜନ ଖାଇ ପାରେନା l ତେବେ ଅନେକ ସମୟରେ ଅନେକ ନେତା ମନ୍ତ୍ରୀ ଆମକୁ ଶାସନ କରିଛନ୍ତି l କିଏ କେତେ ଯୋଜନା ବାହାର କରିଛନ୍ତି, ପ୍ରତିଶ୍ରୁତି ଅଜାଡ଼ି ଦେଇଛନ୍ତି l ହେଲେ କାହିଁକି କେଜାଣି ପରିବର୍ତ୍ତନ ଆସିନି ସମାଜରେ ? ମାଳ ମାଳ ଯୋଜନା ଭିତରେ ହଜି ଯାଆନ୍ତି ମଣିଷ l ଯୋଉ ହାହାକାର କୁ ସେହି ହାହାକାର l ଠିକ୍ ଏହିଭଳି ।