ବାର୍ଷିକ ଉତ୍ସବ ପାଇଁ ଚଳଚଞ୍ଚଳ ମାଟିଆ ମଙ୍ଗଳା ପୀଠ, ଅଶ୍ୱତ୍ଥ ଗଛରେ ବ୍ରତ ବାନ୍ଧିଲେ ମାଆ ପୂରଣ କରନ୍ତି ମନସ୍କାମନା

ଚାନ୍ଦବାଲି: ମାଆ ମାଟିଆ ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ପାଇଁ ଉତ୍ସବ ମୁଖର ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା । ବୈତରଣୀ ନଦୀର ପାଖରେ ଚାନ୍ଦବାଲି କଉଡ଼ିଆପାଳ ଗାଁ ନିକଟରେ ଦୀର୍ଘ ବର୍ଷ ହେଲା ପୂଜା ପାଉଛନ୍ତି ମାଆ ମାଟିଆ ମଙ୍ଗଳା । ମାଆଙ୍କ ପୀଠରେ ଯଦିଓ ବିକାଶ ହେଇନି କିନ୍ତୁ ମାଆଙ୍କ ମହିମାର ସବୁଠି ପ୍ରଚାର । ମାଆଙ୍କ ଉପରେ ଏହି ଦୁଇ ଜିଲ୍ଲାର ଲୋକଙ୍କର ରହିଛି ପ୍ରଘାଢ ବିଶ୍ୱାସ ।
ଭକ୍ତମାନଙ୍କର ବିଶ୍ୱାସ ରହିଛି ମାଆଙ୍କ ପାଖରେ ଯାହା ମାନସିକ କରାଯାଏ ତାହା ନିଶ୍ଚୟ ପୂରଣ ହୁଏ । ମାଆଙ୍କ ମନ୍ଦିର ପାଖକୁ ରହିଛି ଏକ ଅଶ୍ୱତ୍ଥ ବୃକ୍ଷ । ଏହି ବୃକ୍ଷର ସବୁଆଡେ କେବଳ ନାଲି ଛିଟ ବନ୍ଧା ଯାଇଥିବା ଦେଖାଯାଇଛି । ଯିଏ ଯାହା ମାନସିକ ରଖି ଏହି ବୃକ୍ଷରେ ବ୍ରତ ବାନ୍ଧେ ତାର ମନସ୍କାମନା ପୁରଣ ହୁଏ ବୋଲି ବିଶ୍ଵାସ ରହିଥିବା କହନ୍ତି ସ୍ଥାନୀୟ ଲୋକେ । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଏଠି ମାଆଙ୍କ ପାଖରେ ହୋଇଥାଏ ଆମିଷ ଯନ୍ତାଣ ଭୋଗ । ଏବେ ମାଆଙ୍କ ବାର୍ଷିକ ଉତ୍ସବ ଚାଲିଛି । ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି ।
ଏହି ଉତ୍ସବ ଅବସରରେ ପ୍ରଥମ ଦିନରେ କଳସ ଶୋଭାଯାତ୍ରା କରାଯାଇଥିଲା । ଏବେ ପ୍ରତ୍ୟେକ ଦିନ ହୋମ ଯଜ୍ଞ ସାଙ୍ଗକୁ ରୀତିନୀତି ଅନୁସାରେ ଚାଲିଛି ପୂଜାର୍ଚ୍ଚନା । ଏତେ ପ୍ରସିଦ୍ଧ ପୀଠ ହୋଇଥିଲେ ବି ମାଆଙ୍କ ପାଖକୁ ଯିବାକୁ ଗୋଟେ ଭଲ ପକ୍କା ରାସ୍ତା ଟିଏ ନାହିଁ । ଟିକିଏ ବର୍ଷା ହଲେ ଯିବା ଆସିବା କରିବାକୁ ଭକ୍ତ ମାନେ ନାନା ହଇରାଣ ହୋଇଥାନ୍ତି ବୋଲି କୁହନ୍ତି କମିଟିର କର୍ମକର୍ତ୍ତା । ତେବେ ପ୍ରଶାସନ ଏଥିପ୍ରତି ନଜର ଦେଇ ପୀଠର ଉନ୍ନତି ଦିଗରେ ସହାୟକ ହେବା ନିମନ୍ତେ ଦାବି ହୋଇଛି ।
ଆହୁରି ପଢନ୍ତୁ: ଶନିବାରରେ ଅଶ୍ୱତଥ୍ ଗଛ ତଳେ ଥରେ ନିଶ୍ଚୟ କରନ୍ତୁ ଏହି ଉପାୟ, ମନରେ ଥିବା ସମସ୍ତ ଇଚ୍ଛା ୭ ଦିନରେ ହେବ ପୂର୍ଣ୍ଣ