ହାଇଲେଭଲ କ୍ଲିୟରାନ୍ସ ଅଥରିଟି ମଞ୍ଜୁର କଲା ୧ ଲକ୍ଷ ୫୩ ହଜାର ୭୫ କୋଟି ଟଙ୍କାର ୯ଟି ପ୍ରକଳ୍ପ

ଭୁବନେଶ୍ୱର (କେନ୍ୟୁଜ୍) : ରାଜ୍ୟରେ ୧ ଲକ୍ଷ ୫୩ ହଜାର ୭୫ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କଲା ହାଇଲେଭଲ କ୍ଲିୟରାନ୍ସ ଅଥରିଟି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ପ୍ରକଳ୍ପଗୁଡିକୁ ମଂଜୁରୀ ମିଳିଛି। ଏହି ପ୍ରକଳ୍ପ ଯୋଗୁଁ ୨୭ ହଜାର ୩୦ ନିଯୁକ୍ତି ସୃଷ୍ଟି ହେବ।
ପ୍ରମୁଖ ପ୍ରକଳ୍ପ ମଧ୍ୟରେ ରହିଛି ଜଗତସିଂହପୁର ଜିଲ୍ଲା ପାରାଦୀପରେ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଇଣ୍ଡିଆର ପ୍ରକଳ୍ପ। ପୋସ୍କୋ ଅଂଚଳରେ ବାର୍ଷିକ ୭ ନିୟୁତ ଟନ୍ ଉତ୍ପାଦନକ୍ଷମ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ନିବେଶ ହେବ ୩୮ ହଜାର କୋଟି ଟଙ୍କା। ୧୧ ହଜାର ୪୯୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଗଞ୍ଜାମ ଜିଲ୍ଲାରେ ଗ୍ରୀନ ଏନର୍ଜୀ କ୍ଷେତ୍ରରେ ଏଭ୍ଡା ଗ୍ରୀନ୍ H2 ପ୍ରାଇଭେଟ୍ ଲିମିଟେଡ ନିବେଶ କରିବ ୨୩ ହଜାର ୫ ଶହ କୋଟି ଟଙ୍କା। ସେହିପରି ACME କ୍ଲିନ ଏନର୍ଜୀ ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ନିବେଶ କରିବ ୫୮ ହଜାର ୨୦୯ କୋଟି ଟଙ୍କା। ପାରାଦୀପରେ ରିନ୍ୟୁ ଇ-ଫୁଏଲ୍ସ ୨୦ ହଜାର କୋଟି ଟଙ୍କା ଏବଂ ଓସିଓର ଏନର୍ଜୀ ଗୋପାଳପୁରରେ ନିବେଶ କରିବ ୭ ହଜାର ୨ଶହ କୋଟି ଟଙ୍କା।
ଯେଉଁ ୯ଟି ପ୍ରକଳ୍ପକୁ ମଂଜୁରୀ ମିଳିଛି ସେଥିରେ ରହିଛି ୪ଟି ଗ୍ରୀନ୍ ଏନର୍ଜୀ, ୨ଟି ପେପର ଇଣ୍ଡଷ୍ଟ୍ରି, ୨ଟି ମେଟାଲସ ଏବଂ ମିନେରାଲ୍ସ ଏବଂ ଗୋଟିଏ ଆଇଟି ଭିତ୍ତିଭୂମି ପ୍ରକଳ୍ପ। ବାଲେଶ୍ୱର, ଢେଙ୍କାନାଳ, ଗଂଜାମ, ଜଗତସିଂହପୁର, କଳାହାଣ୍ଡି, କୋରାପୁଟ, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରକଳ୍ପଗୁଡିକ ପ୍ରତିଷ୍ଠା ହେବ।