ମା’ ରକ୍ଷାକାଳୀଙ୍କ ପୀଠରେ କଣ ରହିଛି ପରମ୍ପରା ? ଏବଂ କାହିଁକି ମା’ଙ୍କ ଉପରେ ଭକ୍ତ ମାନଙ୍କର ଏତେ ବିଶ୍ୱାସ ଓ ଭରସା

ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅଧିନସ୍ଥ ଦଳାଙ୍ଗ ପଂଚାୟତ ର ରାମେଶ୍ୱର ପୁର ଠାରେ ଗେଙ୍ଗୁଟି ନଦୀ କୂଳରେ ରହିଛି ମା ରକ୍ଷାକାଳୀଙ୍କ ପୀଠ । ମା’ଙ୍କ କରୁଣା ଓ ମହିମା ଯୋଗୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଟାଣି ଆଣିଥାଏ ଏହି ପୀଠକୁ । ତେବେ ମା’ଙ୍କୁ ବର୍ଷ ତମାମ ଏଠାରେ ପୂଜାର୍ଚନା କରାଯାଉଥିଲେ ହେଁ ବର୍ଷକରେ ଥରେ ମହା ଆଡମ୍ବର ସହିତ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ମା’ଙ୍କ ଏହି ପୂଜା କୁ ମହା ଆଡମ୍ବର ସହିତ ଭକ୍ତ ମାନେ ପାଳନ କରିଥିଲେ । ଗ୍ରାମବାସୀମାନେ ଏଥିପାଇଁ କୌଣସି ଚାନ୍ଦା ଦିଅନ୍ତି ନାହିଁ । ମାନସିକ ଧାରୀ ଭକ୍ତ ମାନଙ୍କ ସହଯୋଗ ରେ ହିଁ ଏହି ପୂଜା ପାଳିତ ହୋଇଛି । ଯାହା ଏହି ପୀଠର ଏକ ନିଆରା ନିଦର୍ଶନ । ସେହିପରି ଦୀର୍ଘ ଦଶନ୍ଧି ହେଲା ଏଠାରେ ବଳି ପ୍ରଥା ରହି ଆସିଥିଲା ।

ମା ଙ୍କ ପୀଠ ରକ୍ତ ରଂଜିତ ହୋଇ ପଡୁଥିଲା । ପ୍ରଶାସନର ଅନୁରୋଧ ପରେ ଏହି ବଳି ପ୍ରଥା ବନ୍ଦ ରହିଛି ସତ କିନ୍ତୁ ମାନସିକ ଧାରୀ ଭକ୍ତ ମାନେ କିନ୍ତୁ ନିଜର ମନସ୍କାମନା ପୂର୍ଣ୍ଣ ହେବା ପରେ ବୋଦା ଉତ୍ସର୍ଗ ପାଇଁ ପୀଠକୁ ଆଣୁଛନ୍ତି। ଚଳିତ ବର୍ଷ ୬ଶହ ରୁ ଅଧିକ ବୋଦାକୁ ମାନସିକ ଧାରୀ ମାନେ ଆଣିଥିଲେ । କିନ୍ତୁ ପୂଜା କମିଟି ପକ୍ଷରୁ ବୋଦାଙ୍କ କାନକୁ ସାମାନ୍ୟ ଟିକେ କାଟି ଛାଡି ଦିଆଯାଇଛି । ତେବେ ମା ଙ୍କ ପୀଠ କୁ ଆସି ଗୁଆଟିଏ ବସାଇ ଯିଏ ଯାହା ମାନସିକ କରେ ମା ରକ୍ଷା କାଳୀ ବିପଦ ଆପଦ ଠାରୁ ଆରମ୍ଭ କରି ସବୁ ମନବାଞ୍ଛା ଭକ୍ତର ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଚଳିତ ବର୍ଷ ଏହି ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତ ମାନେ ମା ରକ୍ଷାକାଳୀଙ୍କୁ ପୂଜାର୍ଚ୍ଚନା କରି ତାଙ୍କ କୃପା ଲାଭ କରିବା ସହିତ ସେଠାରେ ଆୟୋଜିତ ମେଳା ବୁଲି ଜିନିଷ ପତ୍ର ମଧ୍ୟ କିଣା କିଣି କରି ମନ ଖୁସି ରେ ଘରକୁ ଯାଉଛନ୍ତି ।

ସେହିପରି ଭାବେ ଚଳିତ ବର୍ଷ ମା ରକ୍ଷାକାଳୀଙ୍କ ପୂଜାକୁ ଶୃଙ୍ଖଳିତ କରିବା ପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସ୍ବେଛାସେବୀମାନେ ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ସହିତ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଟର ବ୍ୟବସ୍ଥା ହୋଇଥିଲା । ତେବେ ମା ଙ୍କ ମହିମା ଓ କୃପା ଯୋଗୁ କୌଣସି ଗଣ୍ଡଗୋଳ ଆଜି ପର୍ଯ୍ୟନ୍ତ ପୂଜାରେ ହୋଇ ନ ଥିବା ଆୟୋଜକ ମାନେ କହିଛନ୍ତି । ସେହିପରି ସେଠାରେ ମହା ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ପୂଜା ଉତ୍ସବରେ ଧାମନଗର ବ୍ଲକ ସହିତ ଭଦ୍ରକ ତଥା ଯାଜପୁର ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଚଳିତ ବର୍ଷ ପୂଜାରେ ଯୋଗ ଦେଇଥିଲେ । ମା ରକ୍ଷାକାଳୀଙ୍କ ପ୍ରତି ଭକ୍ତ ମାନଙ୍କ ବିଶ୍ୱାସ ଓ ଭରସା ବଢ଼ି ବଢ଼ି ଚାଲୁଥିବାରୁ ପୂଜାର ମାହୋଲ ମଧ୍ୟ ପ୍ରତିବର୍ଷ ବଢ଼ିବାରେ ଲାଗିଛି ।

 

Also read:ପ୍ରବଳ ଖରାରେ କଲବଲ ଭକ୍ତ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଖରାରେ ଦୀର୍ଘ ସମୟ ଧରି ଅପେକ୍ଷା