ପୋଢ଼ୁଆଁ ହେବେ ‘ବଡ଼ ଠାକୁର’: ମାମୁଁ ଘର ନିଆଳି ମାଧବରୁ ଶ୍ରୀକ୍ଷେତ୍ର ଗଲା ପୋଢ଼ୁଆଁ ଭାର

ଗୋପ: ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା। ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ଲୋକଭାଷାରେ ‘ପରୁହାଁ ଅଷ୍ଟମୀ’ ବା ‘ପଢ଼ୁଆଁ ଅଷ୍ଟମୀ’। ଏହିଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ । କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’।
ଓଡ଼ିଆ ପରମ୍ପରା ଅନୁଯାୟୀ, ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୂବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ, ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତା ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି। ପରମ୍ପରା ଅନୁଯାୟୀ, ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁଁଘରୁ ଆସିଥାଏ।
ଏହି ଅବସରରେ ପୋଢ଼ୁଆଁ ହେବେ ବଡ଼ ଠାକୁର । ମହାପ୍ରଭୁଙ୍କ ପ୍ରଥମା ଅଷ୍ଟମୀ ନିମନ୍ତେ ମାମୁଁ ଘର ନିଆଳି ମାଧବ ରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଲା ପୋଢ଼ୁଆଁ ଭାର। କଟକ ଜିଲ୍ଲା ନିଆଳି ବ୍ଳକର ମାଧବସ୍ଥିତ ମାଧବାନନ୍ଦ ଜିୟୁଙ୍କ ପୀଠରୁ ପୁରୀ ଶ୍ରୀ ମନ୍ଦିରକୁ ପୋଢୁଆଁ ଭାର ଯାଇଛି । ଆଠ ବର୍ଷଧରି ଏହା କରାଯାଉଥିବା ବେଳେ ଦିନକୁ ଦିନ ଏହି କାର୍ଯ୍ୟକ୍ରମର ଆଦର ଓ ପ୍ରସାର ପଚାର ବୃଦ୍ଧି ପାଇଛି ।
ଏଥିରେ ବିଭିନ୍ନ ସଂକୀର୍ତନ ମଣ୍ତଳି ସଂକୀର୍ତନ ପରିବେଷଣ କରିଥାନ୍ତି । ଫଳରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥାଏ । ସେହିପରି ଚତୁର୍ଦ୍ଧାମୂର୍ତ୍ତିଙ୍କ ଉଦ୍ଦେଶ୍ୟରେ ପାଟ ବସ୍ତ୍ର, ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ ସହିତ ବିଭିନ୍ନ ପ୍ରକାରର ଫଳମୂଳ, ତୁଳସୀ, ଫୁଲ, ଚନ୍ଦନ, ଅଗୁର ଆଦି ଭାରରେ ଯାଇଥାଏ । ଅଷ୍ଟମୀ ପୂର୍ବ ଦିନ ଠାରୁ ଏହି ଭାର ଅଞ୍ଚଳବାସୀଙ୍କ ସହଯୋଗରେ ପଠାଯାଏ ।
ତେବେ ଶ୍ରୀମନ୍ଦିରରେ ଏହି ପ୍ରଥମାଷ୍ଟମୀ ଦିନ ବଡ଼ଠାକୁର ବଳଭଦ୍ର ଏବଂ ଅନ୍ୟ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରିଥାଆନ୍ତି । ଶ୍ରୀଲିଙ୍ଗରାଜ ମଧ୍ୟ ଏହିଦିନ ପୋରୁହାଁ ହେବାକୁ ମିତ୍ରେଶ୍ୱର ବରୁଣେଶ୍ୱର ମନ୍ଦିରକୁ ଯାଇଥାଆନ୍ତି । ଜ୍ୟେଷ୍ଠା କନ୍ୟା ଭାବରେ ‘ଭାର୍ଗବୀ’ ବା ମହାଲକ୍ଷ୍ମୀ ମଧ୍ୟ ଏହିଦିନ ପରୁହାଁ ହୁଅନ୍ତି ଏବଂ ଏହାପରର ଗୁରୁବାରରେ ମାଣ ବସାଯାଇ ତାଙ୍କର ପୂଜା କରାଯାଇ ଥାଏ ।