ସିମୁଳିଆରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର ମହୋତ୍ସବ, ଯୋଗ ଦେଲେ ଅନେକ ଭକ୍ତ

ସୋର: ବାଲେଶ୍ଵର ଜିଲା ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତ ସମୁଳିଆସ୍ଥିତ ଭଗବତୀ ବିହାର ଆଶ୍ରମ ପରିସରରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ । ୩ଦିନ ଧରି ଚାଲିଥିବା ଏହି ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ, ପ୍ରବଚନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସହ ଉଦଯାପିତ ହୋଇଯାଇଛି । ୩ଦିନ ଧରି ବିଭିନ୍ନ ମନ୍ତ୍ର ଧ୍ଵନୀରେ ଆଶ୍ରମ ପରିସର ପ୍ରକମ୍ପିତ ହୋଇଥିଲା । ଏହି ଅବସରରେ ଋଷିପୁତ୍ର ମାନଙ୍କୁ ସ୍ଵାଗତ ସହ ଅଖଣ୍ଡଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା ।
ରବିବାର ଦିନ ଅନାମ ଚରଣ ପଣ୍ଡାଙ୍କ ଦ୍ୱାରା ଧର୍ମଧ୍ଵଜା ଉତ୍ତୋଳନ ପରେ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଶୂନ୍ୟମଣ୍ଡପ ପରିସରରୁ ବାହାରି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲା । ସୋମବାର ଭଦଯାପନୀ ଦିବସ ସକାଳେ ନାମ କରଣ, ବିଦ୍ୟାରମ୍ଭ, ବ୍ରତ ଓ ବିବାହ ଆଦି ସଂସ୍କାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସଂଧ୍ୟାରେ ଲକ୍ଷେ ପ୍ରଦୀପ ପ୍ରଜ୍ଜ୍ଵଳନ କାର୍ଯ୍ୟକ୍ରମକୁ ହଜାର ହଜାର ଶ୍ରଦ୍ଧାଳୁ ମନ ଭରି ଉପଭୋଗ କରିଥିଲେ ।
ପରିବ୍ରାଜକ ପ୍ରଦୀପ କୁମାର ମହାନ୍ତି ଓ ସାଥୀଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକମ ଅନୁଷ୍ଠିତ ହୋଇଥିଲା । ଶେଷରେ ଖଇରା ଥାନା ଅଧିକାରିଣୀ ମୌସୁମୀ ମହାନ୍ତି, ଯଜ୍ଞ କର୍ମ ସମ୍ପାଦନାର ମୁଖ୍ୟପୁରୋଧା ଭୋଳାନାଥ ଶିଅ, ଡ଼ଃ ମୁରଲୀଧର ସୁତାର ଓ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଶିଶୁ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଯଜ୍ଞ କାର୍ଯ୍ୟ ପରିଚାଳନାରେ ସମସ୍ତ ଭକ୍ତ ସହଯୋଗ କରିଥିଲେ।
ତିନି ଦିନ ଧରି ଚାଲିଥିବା ଏହି ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞରେ ଭଗବାନଙ୍କ ନାମ ଉଚ୍ଚାରଣ ସହ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ । ଏଭଳି ଏକ ଭକ୍ତମୟ ପରିବେଶରେ ଯୋଗ ଦେବା ପାଇଁ ଅନେକ ଶ୍ରଦ୍ଧାଳୁ ଏକାଠି ହୋଇ ଭଗବାନଙ୍କ କୃପା ଭିକ୍ଷା କରିଥିଲେ ।