ଫନି କ୍ଷତିଗ୍ରସ୍ତ ଓଡ଼ିଶାକୁ ହଜାରେ କୋଟି ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ, ନବୀନଙ୍କୁ ତାରିଫ୍

ଭୁବନେଶ୍ୱର(କେନ୍ୟୁଜ୍): ଫନି କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଘୋଷଣା । ଏକ ହଜାର କୋଟି ଟଙ୍କାର ତତ୍କାଳ ପ୍ରାଥମିକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ସ୍ଥିତି ସ୍ୱାଭାବିକ କରିବାକୁ ଉଦ୍ୟମ କରାଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ଟିମ୍‌ ଓଡ଼ିଶାରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବିଦ୍ୟୁତ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦିଆଯାଇଛି। ବାତ୍ୟା ଫନି ଦ୍ୱାରା ରାଜ୍ୟର ପ୍ରାୟ ଏକ କୋଟି ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୧୧ଟି ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା ବେଳେ କ୍ଷତିଗ୍ରସ୍ତ ହୋଇଛି ୧୪ ହଜାର ଗାଁ। ବାତ୍ୟା ମୁକାବିଲା କ୍ଷେତ୍ର ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି ବାତ୍ୟା ପୂର୍ବରୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ବହୁତ ବଡ଼ ପଦକେ୍ଷପ। ଉଚିତ ପଦକ୍ଷେପ ଯୋଗୁ ଜୀବନହାନୀ କମ୍‌ ହୋଇଥିବା କହିଛନ୍ତି । ଏହାସହ ଓଡ଼ିଶାବାସୀଙ୍କୁ ବି ତାରିଫ କରିଛନ୍ତି ପ୍ରଧାନମନ୍ତ୍ରୀ। ରାଜ୍ୟ ସରକାରଙ୍କ ପରାମର୍ଶକୁ ମାନି ଲୋକେ ସୁରକ୍ଷିତ ସ୍ଥାନକୁ ତତ୍କାଳ ଚାଲି ଯାଇଥିବାରୁ ଜୀବନହାନିକୁ ରୋକାଯାଇ ପାରିଲା। ଏବେ ପୁନରୁଦ୍ଧାର ଓ ଥଇଥାନ କାମରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି କାମ କରିବେ। କ୍ଷୟକ୍ଷିତର ଆକଳନ ପାଇଁ କେନ୍ଦ୍ରରୁ ଏକ ଟିମ୍‌ ଆସିବେ। ଏହାପରେ ଆବଶ୍ୟକ ସହାୟତା ରାଶି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଦୀର୍ଘମିଆଦି ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି । ଏନେଇ ରାଜ୍ୟ ସରକାର ବ୍ଲପ୍ରିଣ୍ଟ କରି କେନ୍ଦ୍ର ସରକାରଙ୍କୁ ଦେବା ପାଇଁ କୁହାଯାଇଛି । ଆଜି ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ପୁରୀ ଓ ଆଖପାଖ ଅଞ୍ଚଳ ବୁଲି ଦେଖିଥିଲେ। ଏହାପରେ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗୀୟ ସଚିବ ଓ ଅଧିକାରୀ ଉପସ୍ଥିତ ଥିଲେ। …