ଜଗତସିଂପୁର(କେନ୍ୟୁଜ)- ଓଡ଼ିଶା ହେଉଛି ପର୍ବପର୍ବାଣୀରେ ଭରା ରାଜ୍ୟ । ଏଠାକାର ଗାଁ ଗାଁରେ ବିଭିନ୍ନ ପ୍ରକାରର ପର୍ବ ପର୍ବାଣୀ ପାଳନ ହେଉଥିବା ଦେଖିବାକୁ ମିଳେ । ସମାନ ଭାବେ ଏକ ଗାଁରେ ଶ୍ରୀରାମ କଥା ଓ ପ୍ରବଚନ ଜ୍ଞାନ ଯଜ୍ଞ ପାଳିତ ହୋଇଯାଇଛି । ଗାଁରେ ଥିବା ପିଲା ଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତ ଲୋକେ ଏହି ପ୍ରବଚନ ଉତ୍ସବରେ ଯୋଗ ଦେଇଥିଲେ । ମନ ଧ୍ୟାନ ଦେଇ ଶ୍ରୀରାମ କଥା ଓ ପ୍ରବଚନକୁ ଶୁଣିଥିଲେ ଉପସ୍ଥିତ ଥିବା ସମସ୍ତ ଲୋକ । ଦୀର୍ଘ ଦିନ ଧରି ଏହି ଉତ୍ସବ ବଡ଼ ଧୁମଧାମରେ ପାଳନ କରାଯାଇଥିଲା ।
କଥାରେ ଅଛି ଶୁଣିଲେ ରାମଚରିତ ବଦଳିଯିବ ଆମ ଚରିତ୍ର । ବାବା ଦିବାକର ଦାଶନ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତ୍ରୟୋଦଶ ବାର୍ଷିକ ଶ୍ରୀରାମ କଥା ଓ ପ୍ରବଚନ ଜ୍ଞାନଯଜ୍ଞ ପାଳିିତ ହୋଇଯାଇଛି । ଜଗତସିଂପୁର ଜିଲ୍ଲାର ବିରିଡି ବ୍ଲକ ଅନ୍ତର୍ଗତ ବାଲିଆ ଗୋପୀନାଥପୁର ଗ୍ରାମସ୍ତ ମା’ ଦେବୀ ଦୁର୍ଗାଙ୍କ ପ୍ରାଙ୍ଗଣରେ ନଅ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି ଶ୍ରୀରାମ କଥା ଓ ପ୍ରବଚନ ଜ୍ଞାନଯଜ୍ଞ । ଏହି ଉତ୍ସବରେ ପ୍ରତ୍ୟେହ ମଙ୍ଗଳ ଆଳତି ,ବାଲ୍ୟ ପ୍ରସାଦ ସେବା ,ବିଷ୍ଣୁ ସହସ୍ର ନାମ, ଆଳତି , ଚାଳିଶା ପାଠ, ଭଜନ ସନ୍ଧ୍ୟା ଓ ପ୍ରବଚନ ଓଡ଼ିଶାର ସୁନାମଧନ୍ୟ ପ୍ରବଚକ ଓ କଣ୍ଠଶିଳ୍ପୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଣ୍ଡିତ ପ୍ରଭାତ ରଞ୍ଜନ କର , ମନୋରଞ୍ଜନ ମିଶ୍ର , ସୁଧାକର ଦାସ,ପ୍ରମୋଦ ତ୍ରିପାଠୀ ,ରଘୁନାଥ ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରତ୍ୟହ ପ୍ରବଚନ ପାଠ କରିଥିଲେ ।
ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବାଲିଆଗୋପୀନାଥପୁର ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମର ବହୁ ଭକ୍ତମାନେ ଯୋଗଦେଇ ବାବାଙ୍କ ଦର୍ଶନ ସହ ପ୍ରବଚନ ପାଠ କରି ପ୍ରଭୁକୃପା ଲାଭ କରିଥିଲେ । ତେବେ ଏହି ପ୍ରବଚନରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା ।