ମାଆ ଧାମରାଇଙ୍କ ମହିମା ଅପାର, ମକର ମେଳା ପାଇଁ ଚଳଚଞ୍ଚଳ ହେଲାଣି ପୀଠ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରାର ଅଧିଷ୍ଠାତ୍ରୀ ଦେବୀ ମାଆ ଧାମରାଇ । ମାଆଙ୍କ ପ୍ରସିଦ୍ଧ ମକର ମେଳା ପାଖେଇ ଆସୁଥିବାରୁ ଚଳଚଞ୍ଚଳ ହୋଇପଡ଼ିଲାଣି ପୀଠ । ଧାମରାର ପ୍ରସିଦ୍ଧ ପର୍ବ ମକର । ଏହି ମକର ମେଳାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ମନ୍ଦିର କମିଟି ତରଫରୁ ପ୍ରସ୍ତୁତି ବୈଠକ ସରିଥିବାବେଳେ ମେଳା ପାଇଁ ସଜେଇ ହେଲାଣି ମାଆଙ୍କ ପୀଠ ।
ମକର ସଂକ୍ରାନ୍ତି ଠାରୁ ମେଳା ଆରମ୍ଭ ହୋଇ ଦୀର୍ଘ ଦଶ ଦିନ ଧରି ଚାଲିବ ଏହି ମେଳା । ମକର ଯାତ ପାଇଁ ପଡିଆ ସଫା, ମନ୍ଦିର ରଙ୍ଗ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲୁଥିବାବେଳେ ଜିଲ୍ଲା ଓ ଜିଲ୍ଲା ବାହାରୁ ଦୋକାନୀମାନେ ଏଠାକୁ ଆସିବାକୁ ଲାଗିଲେଣି ।
ମାଆ ଧମାରାଇଙ୍କ ପାଖରେ ଦେଖିବାକୁ ମିଳେ ମହିଳା ପୂଜକ । ମାଆଙ୍କର ମହିମା ଅନେକ । ତାହାସହ ମକର ମେଳା ପ୍ରସିଦ୍ଧ ହୋଇଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଦର୍ଶକଙ୍କର ଏଠାରେ ସମାଗମ ହୋଇଥାଏ । ତେଣୁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ତରଫରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଥିବା ଦେଖିବକୁ ମିଳିଛି ।
ମନରେ ରହିଛି ଆନନ୍ଦ ଓ ଉତ୍ସାହ । ମକର ପର୍ବକୁ ନେଇ ଗାଁଠୁ ସହର ଉତ୍ସବ ମୁଖର । ସେଥିପାଇଁ ଚାଲିଛି ପ୍ରସ୍ତୁତି । ସବୁଆଡ଼େ ମକରର ମହକ ଦେଖିବାକୁ ମିଳିଲାଣି । ଭଦ୍ରକ ଜିଲ୍ଲା ଧାମରାର ଅଧିଷ୍ଠାତ୍ରୀ ଦେବୀ ମାଆ ଧାମରାଇଙ୍କ ପୀଠରେ ବି ମକର ପାଇଁ ଯୋରଦାର ପ୍ରସ୍ତୁତି । ତେବେ ଚଳିତ ବର୍ଷ ମକରରେ ଥରେ ବୁଲି ଆସନ୍ତୁ ଏହି ପୀଠକୁ । ମାଆଙ୍କ କୃପା ଭିକ୍ଷା କରିବା ସହ ମଜା ନିଅନ୍ତୁ ମେଳାର ।