ଲଗାଣ ବର୍ଷା ଜାରି, ଆହୁରି ବର୍ଷିବ

ଭୁବନେଶ୍ବର (କେନ୍ୟୁଜ୍) : ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅନେକ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ଜାରି ରହିଛି । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ଅଧିକାଂଶ ସ୍ଥାନରେ ବର୍ଷା ହେଉଛି । ବର୍ଷା ଓ ଘଡ଼ଘଡ଼ି ପାଇଁ ୧୮ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ବିଶେଷ କରି ଆଜି ଓ ଆସନ୍ତାକାଲି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ପୁରୀ, କଟକ, ଖୋର୍ଦ୍ଧା, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବର୍ଷା ହେବ । ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
ଜଳମଗ୍ନ ଶ୍ରୀକ୍ଷେତ୍ର
ଲଗାଣ ବର୍ଷା ପରେ ପୁରୀ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ୫ ଶହରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି । ବଡ଼ଦାଣ୍ଡରୁ ଆରମ୍ଭ କରି ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ଜଳି ଭରି ରହିଛି । ଜଳ ନିଷ୍କାସନ ହୋଇପାରୁନଥିବାରୁ ପ୍ରାୟ ମାସେ ଧରି ସହର ସୀମାନ୍ତରେ ଥିବା ସୁଜାତା ନଗର, ମାଟିତୋଟା, ବଳିଆପଡା, ରାମଚଣ୍ଡୀ ସାହି ଆଦି ଅଞ୍ଚଳ ପାଣିଘେରରେ ରହିଛି । ଏହାର ସ୍ଥାୟୀ ପ୍ରତିକାର ପାଇଁ ଲୋକମାନେ ଦାବି କରିଛନ୍ତି । ଜାତୀୟ ରାଜପଥ ନିର୍ମାଣ ବିଭାଗ ପକ୍ଷରୁ ବାଇପାସ ରାସ୍ତା ନିର୍ମାଣ ପରେ ମୂଷାନଈ ଜଳ ସହର ତଳି ଅଞ୍ଚଳରେ ପ୍ରବେଶ କରୁଛି । ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ୨୦ରୁ ଊର୍ଦ୍ଧ୍ୱ ମୋଟର ପମ୍ପ ଲଗାଯାଇ ଜଳନିଷ୍କାସନ କରାଯାଉଥିଲେ ମଧ୍ୟ ଜଳ ବିଶେଷ ଫରକ ପଡୁନାହିଁ । ଜାତୀୟ ରାଜପଥ ପକ୍ଷରୁ ବାଇପାସ ନିର୍ମାଣ ପରେ ମଙ୍ଗଳାନଦୀରେ ନିଷ୍କାସିତ ହେଉଥିବା ମୂଷାନଈ ଜଳ ଏହାର ସୀମାନ୍ତ ଅଂଚଳରେ ପ୍ରବେଶ କରୁଛି । ଜାତୀୟ ରାଜପଥକୁ କାଟି ଏକ ସାଇଫନ ନିର୍ମାଣ କରାନଗଲେ ଏହାର ସମାଧାନ ଅସମ୍ଭବ ବୋଲି ଡ୍ରେନେଜ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଳାପାଳ ଏସଂପର୍କରେ ଜାତୀୟ ରାଜପଥ ବିଭାଗ ସହ ଆଲୋଚନା କରିଥିବା ବେଳେ ତୁରନ୍ତ ସାଇଫନ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଡ୍ରେନେଜ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।