ରାମେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଥାନୁଆଳ ପଞ୍ଚାୟତ କାନପୁର ଗ୍ରାମରେ ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରାମ ଦେବତୀ ଚାଞ୍ଚକା ଦେବୀଙ୍କ ପ୍ରାଙ୍ଗଣରେ ଏକ ନୂତନ ଶିବ ମନ୍ଦିର ଗ୍ରାମବାସୀଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଛି । ୩ଦିନ ବ୍ୟାପୀ ଚାଲିଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ସାଧୁସନ୍ଥ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ମହାଦେବ ରାମେଶ୍ୱରଙ୍କ ବିଗ୍ରହ ମନ୍ଦିର ପ୍ରବେଶ କରାଯାଇ ସ୍ଥାପନ କରାଯାଇଥିଲା ।
କର୍ତ୍ତା ମନୋଜ କୁମାର ଜେନା ଓ କର୍ତ୍ତି ବିନୋଦି ଜେନା ଉକ୍ତ ମାଙ୍ଗଳିକ କାର୍ଯ୍ୟରେ ସଂକଳ୍ପ କରିଥିଲେ । ମୁଖ୍ୟ ଆୟୋଜକ ଶ୍ରୀନିବାସ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଗ୍ରାମବାସୀ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ କାର୍ଯ୍ୟରେ ସାମିଲ ହୋଇଥିଲେ। ଏହି ମନ୍ଦିର ପ୍ରତିଷ୍ଠା ହେବା ଦ୍ୱାରା ଗ୍ରାମବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ସାକାର ହୋଇଛି । ବିଗ୍ରହ ସ୍ଥାପନ ବେଳେ ଶଙ୍ଖ, ହୁଳହୁଳି, ଘଣ୍ଟ ଧ୍ୱନି ସହିତ ଆତସ ବାଜିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା ।
ବିଭିନ୍ନ ଦିବସରେ କଳସ ଯାତ୍ରା ,ସୂର୍ଯ୍ୟନାରାୟଣ ପୂଜା, ଗୁରୁପୂଜା, ଗୋମାତା ପୂଜା, ଯଜ୍ଞ ଆରମ୍ଭ, ବିଗ୍ରହମାନଙ୍କର ମହାସ୍ନାନ, ଶ୍ରୀ ବିଗ୍ରହଙ୍କ ଶୟନ, ଶ୍ରୀ ବିଗ୍ରହ ମାନଙ୍କ ନ୍ୟାସ ପ୍ରତିଷ୍ଠା ଆଦି କାର୍ଯ୍ୟକ୍ରମ କରାଯାଇଥିଲା । ଗ୍ରାମର ମହିଳା ମାନେ ବିଗ୍ରହଙ୍କ ବନ୍ଦାପନା କରିଥିଲେ । ମହାଦେବ ରାମେଶ୍ୱରଙ୍କ ବିଗ୍ରହ ମନ୍ଦିର ଭିତରେ ସ୍ଥାପନ କରାଯିବା ପରେ ନବଯୌବନ ଦର୍ଶନ କରାଯାଇଥିଲା । ସଂଧ୍ୟାରେ ଯଜ୍ଞର ପୂର୍ଣ୍ଣାହୂତି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ତିନିଧରି ସଂଧ୍ୟାରେ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ ଏହାକୁ ଉପଭୋଗ କରିଥିଲେ ଆଖ ପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ।