ରଥ ଖଳାରେ ଦ୍ରୁତଗତିରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ

ପୁରୀ(କେନ୍ୟୁଜ୍): ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ରଥ ଖଳାରେ ଦ୍ରୁତଗତିରେ ଆଗେଇ ଚାଲିଛି। ତିନି ରଥର ୪୨ଟି ଚକ ସହ, ୨୧ଟି ଅଖ ସଂଯୋଗ ବା ଚକ, ଅଖ ଡେରା କାର୍ଯ୍ୟ ସରିଛି। ତିନି ରଥର ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶ କ୍ରମେ,ଭୋଇ ସେବକମାନେ ନନ୍ଦିଘୋଷ ରଥର ୧୬ଟି, ତାଳଧ୍ୱଜ ରଥର ୧୪ଟି ଏବଂ ଦର୍ପଦଳନ ରଥର ୧୨ଟି ଚକ ସହ ଯଥାକ୍ରମେ ୮, ୭ ଓ ୨ଟି ଅଖ ସଂଯୋଗ କରାଯାଇଛି। ଏଥିସହ ରଥଖଳାରେ ଦଣ୍ଡା, ମୁହାଁଟ, ନିରାଡ଼ି କାର୍ଯ୍ୟ ଚାଲିଛି। ୫ଟି ଦଣ୍ଡା ସହ ଦୁଇଟି ମୁହାଁଟ,୧୦ଟି ଲେଖାଏଁ କଣଗୁଜ ସଂଯୋଗ କରାଯାଇ ଦୁଇ ପାର୍ଶ୍ୱରେ ଦୁଇଟି ନିରାଡ଼ି ରହିଛି। ବିଧୀ ଓ ପରମ୍ପରା ନଥିଲେ ମଧ୍ୟ ଦେବସ୍ନାନ ପୂର୍ଣ୍ଣମୀ ଦିନ ତିନିରଥର ଚାରି ନାହାକ ଉଠିଥାଏ। ଚଳିତ ବର୍ଷ ରଥକାମ ସାମାନ୍ୟ ପଛାଇଥିବାରୁ ଓଭରଟାଇମ୍ ବା ଦେଢା ମଜୁରୀ ପାଇଁ ବିଶ୍ୱକର୍ମା ମହାରଣା ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି।