ପାଖେଇ ଆସୁଛି ଘୋଷଯାତ୍ରା, ୪୨ଟି ଚକ ମଧ୍ୟରୁ ୩୫ଟି ଚକ ନିର୍ମାଣ କାର୍ଯ୍ୟ ଶେଷ

ପୂରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନିରଥର ନିର୍ମାଣ କାମ ରଥଖଳାରେ ଦ୍ରୁତଗତିରେ ଆଗେଇ ଚାଲିଛି । ୪୨ଟି ଚକ ମଧ୍ୟରୁ ୩୫ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ପ୍ରଭୂ ବଳଭଦ୍ରଙ୍କ ତାଳଧ୍ୱଜ ରଥର ୩ଟି, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦୁଇଟି ଲେଖାଏଁ ଚକ କାମ ବାକି ରହିଛି । ଅର ଓ ପହି କାଠକୁ ଅପେକ୍ଷା କରିଛନ୍ତି ବିଶ୍ୱକର୍ମା ମହାରଣା । ଗତକାଲି ମୁହାଁଁଟରେ ବିନ୍ଧ ଅନୁକୂଳ କରାଯାଇଥିବା ବେଳେ ଆଜି ଦଣ୍ଡା ଅନୁକୂଳ ହୋଇଛି । ପ୍ରତି ରଥରେ ଦୁଇଟି ଲେଖାଏଁ, ମୁହାଁଟରେ ୫ଟି କରି ୧୦ଟି ବିନ୍ଧ କରାଯାଇଛି। ଏହା ମଧ୍ୟରେ ତିନି ରଥର ଅଖ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁଜ ଓ କୁଡୁକା ହଣା ମଧ୍ୟ ଶେଷ ହୋଇଛି । ରଥର ଉପରି ଭାଗର ୮ଟି ଖମ୍ବି ମଧ୍ୟ ନିର୍ମାଣ ସରିଛି । ପ୍ରଥମ ଭୂଇଁ ଉପରେ ୪ଟି ଓ ଦ୍ୱିତୀୟ ଭୂଇଁ ଉପରେ ୪ଟି ଖମ୍ବି ଲାଗି ହେବ। ପଇ ଓ ଅର କାଠ ପହଞ୍ଚି ଚକ କାର୍ଯ୍ୟ ଶେଷ ହେବା ପରେ କାଲି ପଞ୍ଚମହାଦେବଙ୍କୁ ପନ୍ତି ଭୋଗ ହେବ। ରୂପକାରମାନେ ଗୁଜ ନିର୍ମାଣରେ ଏବଂ କମାରଶାଳରେ କମାରସେବକ ଆବଶ୍ୟକ ଲୁହା ସାମଗ୍ରୀ ପ୍ରସ୍ତୁତିରେ ଲାଗିଛନ୍ତି ।