ପ୍ରତିବର୍ଷ ତିନି ରଥ ପାଇଁ ନିରବଛିନ୍ନ ସୋଲ ଫୁଲ ଯୋଗାଇ ଆସୁଛନ୍ତି, ରାଜ କିଶୋରଙ୍କ ପରିବାର

ଖୋର୍ଦ୍ଧା : ଆଗକୁ ଆସୁଛି ପୃଥିବୀ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚକ,ଅଖ ଓ ରଥ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଛି । ପ୍ରସ୍ତୁତିରେ ଲାଗି ପଡିଛନ୍ତି କାରିଗରଙ୍କ ଠାରୁ ସେବାୟତ ପର୍ଯ୍ୟନ୍ତ । ବର୍ଷକ ପରେ ପୁଣି ଆସିଛି ରଥଯାତ୍ରା । ସେପଟେ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମଧ୍ୟ ଘନଘନ ବୈଠକ କରି ରଥଯାତ୍ରା ନେଇ ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରୁଛନ୍ତି । ଘୋଷଯାତ୍ରା ଅବସରରେ ତିନି ରଥକୁ ଅଧିକ ସୁନ୍ଦର କରିବା ପାଇଁ ବିଗତ ୧୯, ବର୍ଷ ଧରି ସୋଲଫୁଲ ଯୋଗାଇ ଆସୁଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର ରାଜ କିଶୋରଙ୍କ ପରିବାର । ଚଳିତ ବର୍ଷ ମଧ୍ୟ ଏହି ପରିବାର ସୋଲଫୁଲ ଯୋଗାଇବା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରଥଯାତ୍ରାକୁ ଦୃଷ୍ଟିରେ ରଖି ପରିବାରର ସମସ୍ତ ସଦସ୍ୟ ଲାଗି ପଡିଛନ୍ତି ଫୁଲ ତିଆରିରେ । ମହାପ୍ରଭୁ ଦାସିଆ ବାଉରୀ ଠାରୁ ନଡିଆ ଗ୍ରହଣ କଲାଭଳି ଏହି ଭୋଇ ପରିବାରଠାରୁ ସୋଲଫୁଲ ଗ୍ରହଣ କରି ପ୍ରଭୁ ଜଗନ୍ନାଥ ଜାତିପ୍ରଥା ଠାରୁ ବହୁ ଉର୍ଦ୍ଧରେ ବୋଲି ପ୍ରମାଣିତ କରିଛନ୍ତି ।
ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର ରାଜ କିଶୋର ଓ ବୀର କିଶେୋରଙ୍କ ପରିବାର ଏବେ ଲାଗି ପଡ଼ିଛନ୍ତି ଭଳିକି ଭଳି ସେବତୀ, କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ ତିଆରି କରିବାରେ । ମନରେ ଉତ୍କଣ୍ଠା ଓ ଭକ୍ତି ନେଇ ପରିବାରର ସମସ୍ତ ସଦସ୍ୟ ଏହି କାମ କରିଥାଆନ୍ତି । ଆଉ ଅପେକ୍ଷା ଥାଏ କେତେବେଳେ ଆସିବ ନେତ୍ରୋତ୍ସବ ଆଉ ସେମାନଙ୍କ ହାତ ତିଆରି ସୋଲଫୁଲ ଲାଗି ହେବ ମହାପ୍ରଭୁଙ୍କ ରଥରେ । ୨୦୦୪ ମସିହାରେ ହାତ ତିଆରି ସୋଲଫୁଲ ରଥରେ ଲାଗି କରିବା ନେଇ ମନ୍ଦିର ପ୍ରଶାସନର ଅନୁମତି ଲୋଡିଥିଲା ଏହି ପରିବାର । ମନ୍ଦିର ପ୍ରଶାସନର ଅନୁମତି ମିଳିବା ପରଠାରୁ ପ୍ରତିବର୍ଷ ତିନି ରଥ ପାଇଁ ନିରବଛିନ୍ନ ସୋଲ ଫୁଲ ଯୋଗାଇ ଆସୁଛନ୍ତି ଏହି ପରିବାର ।
ଅକ୍ଷୟତୃତୀୟା ଠାରୁ ପରିବାରର ପିଲାଠୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସଭିଁଏ ନିଷ୍ଠା ଓ ଭକ୍ତିର ସହ ଫୁଲ ତିଆରିରେ ଲାଗିପଡିଥାନ୍ତି । ଫୁଲ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ସୋଲକୁ ପୁରୀ, ନିମାପଡ଼ା, କାକଟପୁର, ବାଙ୍କୀ, ପିପିଲି, ଗୋପ ଓ କଣାସ ଆଦି ଅଂଚଳରୁ ସଂଗ୍ରହ କରିଥାନ୍ତି । ସେଗୁଡ଼ିକ ଶୁଖାଇ ଆବଶ୍ୟକ ଅନୁସାରେ କାଟି ସେଥିରୁ ଜୀବନ୍ତ ଭାବେ ଫୁଟାଇଥାନ୍ତି ସୁନ୍ଦର ସୁନ୍ଦର ସେବତୀ, କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ । ପରିବାରର ସଦସ୍ୟମାନେ ନୂଆ ଲୁଗା ପିନ୍ଧି ଅତି ପବିତ୍ର ଓ ନିଷ୍ଠାର ସହ ଏହି କାମ କରିଥାନ୍ତି । କୌଣସି ରାସାୟନିକ ରଙ୍ଗ ବିନା କେବଳ ଚୁମୁକି ଓ ମୀନା ବ୍ୟବହାର କରି ଏହି ଫୁଲ ଗୁଡିକୁ ଅଧିକ ଆକର୍ଷଣୀୟ କରିଥାନ୍ତି ଏହି କାରିଗର ।
ଜଗତର ନାଥ ଜଗନ୍ନାଥଙ୍କ ସେବାର ସୁଯୋଗ ସମସ୍ତଙ୍କୁ ମିଳିନଥାଏ । ତେବେ ଗୁରୁଜଙ୍ଗର ଏହି ଭୋଇ ପରିବାର ବିନା ପାରିଶ୍ରମିକରେ ମହାପ୍ରଭୁଙ୍କୁ ସେବା କରିବାର ସୁଯୋଗ ପାଇ ବେଶ ଆନନ୍ଦିତ ଥିବା କହିଛନ୍ତି । ରଥଯାତ୍ରା ଦିନ ପୁରୀ ଯାଇ ମନ୍ଦିର ପ୍ରଶାସନର ଅନୁମତି କ୍ରମେ ନିଜେ ପ୍ରସ୍ତୁତ କରି ଥିବା ସୋଲ ଫୁଲକୁ ତିନି ରଥରେ ଲାଗି କରିବା ଆଶାରେ ଦିନ କାଟୁଛି ପୂରା ପରିବାର । ରଥଯାତ୍ରାରେ ରଥ ଉପରେ ସୁନ୍ଦର ଓ ଅତି ଆକର୍ଷଣୀୟ ଭାବରେ ସଜା ହୋଇରହିଥାଏ ଏହି ସୋଲ ଫୁଲ । ଯାହାକୁ ଦେଖିଲେ ମନ ପୁରି ଉଠିଥାଏ ।