ଅଧାପନ୍ତରିଆ ଭାବେ ପଡ଼ି ରହିଛି ରାସ୍ତା କାମ, ଦେଖାଦେଇଛି ଜନ ଅସନ୍ତୋଷ

ମାସମାସ ଧରି ଅଧାପନ୍ତରିଆ ଭାବେ ପଡ଼ି ରହିଛି ରାସ୍ତା କାମ । ଲୋକମାନେ ଭୋଗୁଛନ୍ତି ନାହିଁ ନଥିବା ଦୁର୍ଦଶା। ଭିତ୍ତିପ୍ରସ୍ତରକୁ ଛାଡିଦେଲେ ନାହିଁ କୌଣସି ସୂଚନା ଫଳକ। ସବୁ ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ସମସ୍ତେ। ଯାହାକୁ ନେଇ ଦେଖାଦେଇଛି ଜନ ଅସନ୍ତୋଷ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସାଗର ଗାଁ ପଞ୍ଚାୟତର ଗୋଡ଼ିଆଳି ଠାରୁ ଜରିପଡା ପାଟବନ୍ଧ ରାସ୍ତା ଖରାପ ହୋଇପଡ଼ିଛି । ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ ୫ ବର୍ଷ ଧରି ଏପରି ଅଧା ପନ୍ତରିଆ ଭାବେ ପଡି ରହିଛି କାମ । ଡଷ୍ଟ ମେଟାଲ ସହିତ ଖାଲ ଖମାରେ ଲୋକମାନେ ଭୋଗୁଛନ୍ତି ନାହିଁ ନଥିବା ଦୁର୍ଦଶା। ପ୍ରତିଦିନ ଘଟୁଛି ଅନେକ ଛୋଟମୋଟ ଦୁର୍ଘଟଣା । ସାଗର ଗାଁ ପଞ୍ଚାୟତ ଠାରୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ । ସେପଟେ ଏହି ରାସ୍ତାକୁ ସଂଯୋଗ କରୁଥିବା ଗଡ଼ଖୋଲ ରାସ୍ତା ଅବସ୍ଥା ମଧ୍ୟ କହିଲେ ନସରେ ଯାହାକୁ ନେଇ ଦେଖା ଦେଇଛି ଜନ ଅସନ୍ତୋଷ ।
ସାଗର ଗାଁ ପଞ୍ଚାୟତର ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରାଯାଇଥିଲା । ଗତ ୨୦୧୯ ମସିହାରେ କାମ ଆସିଥିଲା ଆଉ ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାର ନିଯୁକ୍ତିରେ କାମ ଆରମ୍ଭ ହୋଇଥିଲା । କିନ୍ତୁ ଏଯାଏଁ ସରିବାର ନାଁ ଧରୁନି । ସେପଟେ କାର୍ଯ୍ୟ ଶେଷ ଅବଧି ପରେ ଅବଧି ଗଡି ଗଲାଣି । ନିୟମ ମୁତାବକ ସୂଚନା ଫଳକ ଲଗାଇ ନାହଁନ୍ତି ଠିକାଦାର କି ବିଭାଗ । ତେବେ ଖାଲି ଏହି ରାସ୍ତା ନୁହେଁ ଏପରି ଅନେକ ରାସ୍ତା ଏପରି ପଡି ରହିଥିବା ବେଳେ ଆହୁରି ଅନେକ ପୁରୁଣା ରାସ୍ତା ଖାଲଖମାରେ ପଡି ରହିଛି । କିନ୍ତୁ ରାସ୍ତା ପ୍ରତି କାହାର ବି ଦୃଷ୍ଟି ନାହିଁ।
ରାଜ୍ୟ ଉନ୍ନତି ଆଡ଼କୁ ଗତି କରୁଛି କିନ୍ତୁ ଏବେ ବି ଏଭଳି ଗାଁ ରହିଛି ଯେଉଁଠାରେ ମୌଳିକ ସୁବିଧା ନାହିଁ । ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏ ରାସ୍ତାକୁ ତୁରନ୍ତ ମରାମତି କରାଗଲେ ଲୋକେ ଅନେକ ଦୁର୍ଦ୍ଦଶାରୁ ମୁକ୍ତି ପାଇବେ ।