ଫିଲ୍ମ ଷ୍ଟାଇଲରେ ପାରାଦ୍ଵୀପ ବସ ଷ୍ଟାଣ୍ଡରୁ ଲୁଟ, ଚା’ରେ ନିଶା ମିଶାଇ ସବୁକିଛି ଲୁଟିନେଲେ

ପାରାଦ୍ଵୀପ: ବସ୍ ଭଡାରେ ନେଇଥାନ୍ତି, ଦୁଇଦିନ ରିଜର୍ଭେସନ ପାଇଁ କେତେ ଟଙ୍କା ପଡିବ? ଆଉ ଟିକିଏ ରେଟ୍ କମ କର । ଛାଡ ଚାଲ ଚା’ ପିଇବା ତା’ପରେ କଥାହେବା । ଏତିକି କହି ଚା’ ପିଇବା ପରେ ସବୁକିଛି ଲୁଟିନେଲେ ଦୁବୃର୍ତ୍ତ । ଏଭଳି ସିନେମା ଷ୍ଟାଇଲରେ ବନ୍ଦର ନଗରୀ ପାରାଦ୍ଵୀପ ବସ ଷ୍ଟାଣ୍ଡରେ ଲୁଟ ହୋଇଛି । ଚା’ରେ କିଛି ନିଶାଦ୍ରବ୍ୟ ମିଶାଇ ବସ ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲ୍ପରଙ୍କ ଠାରୁ ସବୁକିଛି ଲୁଟିନେଇଛନ୍ତି ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ।
ଏହି ଚା’ ପିଇବା ପରେ ଦୁଇଜଣ ଡ୍ରାଇଭର, ଜଣେ ହେଲପର ଓ ଜଣେ କଣ୍ଡକ୍ଟରକୁ ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କି ଓ ପରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବସର ଆଉ ଜଣେ କଣ୍ଡକ୍ଟର ଆସିବା ପରେ ବସ ଭିତରେ ସମସ୍ତଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ । ତେବେ ସମସ୍ତ ଅସୁସ୍ଥ ପାରାଦ୍ଵୀପ ଆସୁଥିବା ତ୍ରିଦେବୀ ବସର ଷ୍ଟାଫ ବୋଲି ସୂଚନା ମିଳିଛି ।
ଲୁଟର ଶିକାର ହୋଇଥିବା ଡ୍ରାଇଭର ହେଲେ ସୁବଳ ଏବଂ ବାପି । ସେହିପରି ହେଲପର ଭଞ୍ଜ ଓ କଣ୍ଡକ୍ଟର ରଞ୍ଜନ ବୋଲି ଜଣାପଡିଛି । ତେବେ ପାରାଦ୍ୱୀପ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି, ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ପକ୍ରିୟା ଆରମ୍ଭ କରିଛି । ତେବେ କେତେ ଟଙ୍କା ଲୁଟ ହୋଇଛି ଏବଂ ଅଭିଯୁକ୍ତ କିଏ ଏବଂ ଚା’ରେ ସେମାନେ କ’ଣ ମିଶାଇଥିଲେ ସେ ସମ୍ପର୍କରେ ଅସୁସ୍ଥ ମାନଙ୍କର ଚେତା ଫେରିଲେ ହିଁ ସଠିକ ତଥ୍ୟ ମିଳିପାରିବ ।