ମାଆ ବରୁଣେଇଙ୍କ ପୀଠରେ ଚାଲିଛି ଷୋଡ଼ଶ ପୂଜା, ଏକାଦଶୀରେ ଲାଗି ହେଲା ପ୍ରଥମ ପିଠା ଭୋଗ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ବୀର ପାଇକଙ୍କ ଇଷ୍ଟ ଦେବୀ ଭାବେ ଜଗତ ଖ୍ୟାତ ମାଆ ବରୁଣେଇ ଓ କରୁଣେଇଙ୍କ ପୀଠ । ଦଶହରା ପର୍ବ ଉପଲକ୍ଷେ ଏବେ ଏହି ପୀଠରେ ବିଧି ପୂର୍ବକ ଚାଲିଛି ଷୋଡ଼ଶ ପୂଜା । ମୂଳାଷ୍ଟମୀ ଠାରୁ ମାଆଙ୍କ ଚଳନ୍ତି ପ୍ରତିମାଙ୍କୁ ସ୍ଥାପନ କରାଯାଇ ଆବାହନ କରାଯାଏ । ମାଆ ବରୁଣେଇ ଓ କରୁଣେଇଙ୍କ ନିକଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନେ ଆସି ନବରାତ୍ରରେ ସ୍ୱତନ୍ତ୍ର ପୂଜା କରିଥାନ୍ତି ।
ମାଆଙ୍କ ଅତି ପ୍ରିୟ କ୍ଷୀରି ଏବଂ ଏଣ୍ଡୁରୀ ପିଠା ମାଙ୍କୁ ଭୋଗ ଲାଗି କରାଯାଉଛି । ଗତକାଲି ମାଆ’ଙ୍କ ଏକାଦଶୀ ପୂଜା ପାଳନ କରାଯାଇଛି । ମାଆଙ୍କ ପାଖରେ ପ୍ରଥମ ପୂଜାରେ ପିଠା ଭୋଗ ଲାଗିଛି । ମଧ୍ୟାନରେ ସଙ୍କୁଡ଼ି ଭୋଗରେ ଘାଣ୍ଟ ,ଦହି ପଖାଳ,ମାଛ ଭୋଗ ଲାଗିଥିଲା । ଏହି ପୂଜା ଦଶହରା ପର୍ଯ୍ୟନ୍ତ ଚାଲିବ । ମୁଖ୍ୟତଃ ମାଆଙ୍କର ସପ୍ତମୀ,ଅଷ୍ଟମୀ,ନବମୀ,ଦଶମୀ ଏବଂ ବିଶ୍ରାମ ପୂଜା ମୁଖ୍ୟ ଆକର୍ଷଣ ।
ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଦେବୀଙ୍କ ପୀଠ । ଆରମ୍ଭ ହୋଇଯାଇଛି ଷୋଡ଼ଶ ଉପଚାର ପୂଜା ବିଧି । ସହସ୍ର କୁମ୍ଭାଭିଷେକ ସହ ଘଟ ସ୍ଥାପନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ପ୍ରତିଷ୍ଠିତ ଦେବୀ ମାଆ ବରୁଣେଇଙ୍କ ପୀଠରେ ବି ଷୋଡ଼ଶ ପୂଜା ଆରମ୍ଭ ହୋଇଥିବାବେଳେ ଧୀରେ ଧୀରେ ଲୋକଙ୍କ ଗହଳି ଜମୁଥିବା ଦେଖିବାକୁ ମିଳୁଛି ।