ମୂଳାଷ୍ଟମୀ ଦିନ ଶୟନରୁ ଉଠିଲେ ମାଆ ଭଗବତୀ, ସହସ୍ର କୁମ୍ଭ ସୁବାସିତ ଜଳରେ ସ୍ନାନ ପରେ ଆରମ୍ଭ ହେଲା ଶାରଦୀୟ ଦୁର୍ଗୋତ୍ସବ

ବାଲୁଗାଁ: ଉତ୍କଳର ପ୍ରାଚୀନ ଶକ୍ତିପୀଠ ମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମାଆ ଭଗବତୀଙ୍କ ପୀଠ ଅନ୍ୟତମ । ଇତିହାସ ଅନୁସାରେ ଶାଳିଆ ନଦୀ କୁଳ ଘଞ୍ଚ ବେତ ଜଙ୍ଗଲରେ ମାଆ ଆର୍ବିଭୂତ । ୧୫ଶହ ଶତାବ୍ଦୀରେ ରାଜା ଜଗନ୍ନାଥ ହରିଚନ୍ଦନ ଭ୍ରମରବର ରାୟ ମାଆଙ୍କ ମନ୍ଦିର ନିର୍ମାଣ କରିଥିଲେ । ବର୍ତମାନର ମନ୍ଦିରକୁ ପ୍ରବେଶ କରୁ କରୁ ଜଗମୋହନ ମଣ୍ଡପ, ପରେ ନାଟ୍ୟ ମଣ୍ଡପ ଆଉ ପରେ ପରେ ମନ୍ଦିରର ମୁଖ୍ୟ ବିମାନ ଭାଗ ଅବସ୍ଥିତ । ଯେଉଁଠି ମାଆଙ୍କ ପ୍ରତିମା ଅଛି । କୁହାଯାଏ କି ମାଆଙ୍କ ବିଗ୍ରହ ବହୁତ ଉଗ୍ର ଏବଂ ଭୟ ପ୍ରଦାନକାରୀ । ମନ୍ଦାର ମାଳ ସୁସଜ୍ଜିତ, ଅସ୍ତ୍ରଶସ୍ତ୍ର ଧାରୀ ମାଆ ଭଗବତୀ । ମାଆଙ୍କୁ ଅଷ୍ଟଭୁଜା ବୋଲି କୁହାଯାଇଥାଏ । ମାଆଙ୍କ ସାମନାରେ ମାଆ ପୋଲାକାଶୁଣି ମନ୍ଦିର ଅବସ୍ଥିତ । ଚାରି ଦିଗରେ ମାଆଙ୍କ ରକ୍ଷା କାରିଣୀ ଅବସ୍ଥିତ । ତଥା ପୂର୍ବ ଦିଗରେ ଜଳ ବାସିନୀ ମାଆ କାଳିଜାଇ । ପଶ୍ଚିମରେ ବନବାସିନୀ ମାଆ ବିରିଜାଈ । ଉତ୍ତରରେ ପର୍ବତ ବାସିନୀ ମାଆ ସିଦ୍ଧାମ୍ବରୀ । ଦକ୍ଷିଣରେ ଗୁମ୍ଫା ବାସିନୀ ମାଆ ନାରାୟଣୀ ମନ୍ଦିର ଅବସ୍ଥିତ ।
କାଠି ଭଗବତୀ ମାଆଙ୍କର ଅନ୍ୟ ଏକ ପ୍ରତିମା । ଏହା ମୂଲ୍ୟବାନ ଧାତୁରେ ନିର୍ମିତ । ମାଆଙ୍କ ମନ୍ଦିରର ଅନତି ଦୂରରେ ଥିବା ମାଆଙ୍କ ବାପା ଘର ଦକ୍ଷ ପ୍ରଜାପତି ତଥା ଦେଖେଶ୍ବରୀ ମନ୍ଦିରରେ ମାଆଙ୍କର କାଠି ଭଗବତୀ ରୁହନ୍ତି । ଅନ୍ୟ ଏକ କାଠି ଠାକୁରାଣୀ ଯିଏ କି ମାଆ ଭଗବତୀଙ୍କ ବଡ଼ ଭଉଣୀ ମାଆ ବିରିଜାଈଙ୍କ ପ୍ରତିମା ମାଆ ଭଗବତୀ ନାଟ୍ୟ ମନ୍ଦିରରେ ପୂଜା ପାଆନ୍ତି । ଏହି ପୀଠରେ ପାଳିତ ବାରମାସର ତେର ପର୍ବ ମଧ୍ୟରୁ ଶାରଦୀୟ ଦୁର୍ଗାପୂଜା ଅନନ୍ୟ ଶ୍ରେଷ୍ଠପର୍ବ । ବର୍ତମାନ ଏହି ମାଆଙ୍କ ପୀଠରେ ଷୋଡ଼ଷ ପର୍ବ ଆରମ୍ଭ ହୋଇଯାଇଛି । ସର୍ବତ୍ର ଶାରଦୀୟ ପର୍ବ ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଦଶହରା ପର୍ଯ୍ୟନ୍ତ ପାଳିତ ହେଉଥିବା ବେଳେ, ଚଳ ଚଞ୍ଚଳ ହୋଇ ଉଠିଛି ରାଜ୍ୟର ପ୍ରମୁଖ ଶକ୍ତି ପୀଠ ବାଣପୁରର ଆରାଧ୍ୟା ଦେବୀ ମାଆ ଭଗବତୀଙ୍କ ପୀଠ ।
ଚିଲିକାରେ ନୌବିହାର ସାରି ଶୟନରେ ଥିଲେ ମାଆ । ଭାଦ୍ରବ ଶୁକ୍ଳ ଅଷ୍ଟମୀ ଠାରୁ ଦେବୀ ୧୫ଦିନ ଶୟନରେ ରହନ୍ତି । ୧୫ ଦିନର ପ୍ରଥମ ୮ ଦିନ ଦକ୍ଷିଣ କଡ଼ମାଡି ଓ ବାକି ୭ ଦିନ ବାମକୁ କଡ଼ ମାଡି ଶୟନ କରିଥାନ୍ତି । ଏହି ସମୟରେ ମାଆଙ୍କ ମନ୍ଦିରରେ ଧୂପ ଆଳତିରେ ଘଣ୍ଟ କାହାଳୀ, ବାଦ୍ୟ ବାଜିବା ବନ୍ଦ ରହିଥାଏ । ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀରେ ସହସ୍ର କୁମ୍ଭବରଣ ପରେ ସ୍ତୋତ୍ରୀୟ ଶାକ୍ତ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଘଣ୍ଟ କାହାଳୀ ବାଦ୍ୟ ବାଦନ ପରେ ଶୟନରୁ ଉଠନ୍ତି ମାଆ ଭଗବତ । ମଙ୍ଗଳକୁମ୍ଭ ଦୀପ ସ୍ଥାପନ କରାଯାଇ ଦେବୀଙ୍କୁ ସ୍ନାନ ମଣ୍ଡପରେ ୧୦୦୮ମନ୍ତ୍ର ଦ୍ଵାରା ୧୦୦୮ ଗରାରେ ସ୍ନାନ କରା ଯାଇଥାଏ । କଳସ ଅଭିଷିକ୍ତ ସୁବାଷିତ ଜଳରେ ସ୍ନାନ କରାଯାଇ ରାଜାଙ୍କ ପ୍ରଦତ୍ତ ନୂତନ ପାଟବସ୍ତ୍ର ପୁଷ୍ପଚ଼ନ୍ଦନ ସିନ୍ଦୁର ପରିଧାନ କରିବା ପରେ ଆଳତି ବନ୍ଦାପନା ହୋଇ ଶାରଦୀୟ ଗର୍ଭ ଗୃହକୁ ବିଜେ ପାଇଁ ସମସ୍ତ ପ୍ରକାର ବିଧିବ୍ୟବସ୍ଥା ଗ୍ରହଣ କରାଯାଏ । ସେବାୟତଙ୍କ ଗହଣରେ ମାଆ କାଠି ଠାକୁରାଣୀ ଥାଟ ପଟୁଆରରେ ନୃତ୍ୟ କରି ଗର୍ଭ ଗୃହକୁ ବିଜେ କରିଥାନ୍ତି ।
ମନ୍ଦିରର ପରମ୍ପରା କ୍ରମେ ଅଷ୍ଟମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଭଗବତୀଙ୍କ ଚଳନ୍ତି ପ୍ରତିମା ମାଆ କାଠି ଠାକୁରାଣୀ ବନ ଦୁର୍ଗା ବେଶରେ ପ୍ରତିଦିନ ସଂଧ୍ୟାରେ ନୃତ୍ୟ କରି ନିଜ ମନ୍ଦିରର ଗର୍ଭଗୃହରେ ବିଜେ କରିବା ପରେ ବାହାର ପର୍ବ ଅନୁଷ୍ଠିତ ହୋଇଥାଏ । ପରେ ସଂଧ୍ୟାରୁ ମାଆ ଦେବୀ ଭଗବତୀଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣୀଙ୍କ ଦେବୀ ନୃତ୍ୟ ଆରମ୍ଭ ହୋଇ ମାଆ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ଭିତର ଗର୍ଭଗୃହକୁ ବିଜେ କରିବାପରେ ଅମାବାସ୍ୟା ପର୍ଯ୍ୟନ୍ତ ଭିତର ପର୍ବ ଆରମ୍ଭ ହୋଇଥାଏ । ମାଆଙ୍କର ସାତଦିନ ନିମନ୍ତେ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କର କାଠି ନାଚ ଆରମ୍ଭ ହୁଏ । ଏହିଯାତ୍ରା ମହାଳୟା ଦିନ ସମାପନ କରାଯାଇଥାଏ । ଏହିଦିନ ମାଆ ଭାଗବତୀ ଓ ପୂର୍ବ ଦିଗ ବାସୀନି ମାଆ ବିରଜାଈଙ୍କର ଭେଟ ଯାତ୍ରା ହୋଇଥାଏ । ସାତ ଭଉଣୀଙ୍କୁ ନେଇ ଏହି ଶାରଦୀୟ ଦୁର୍ଗାପୂଜା ହୋଇଥାଏ ।
ଯେତେବେଳେ ଶାରଦୀୟ ଦୁର୍ଗା ପୂଜା ଆସିଥାଏ ମାଆ ଭଗବତୀ ତିନି ଭଉଣୀ ତଥା ମାଆ କାଳିଜାଇ, ମାଆ ନାରାୟଣୀ, ମାଆସିଦ୍ଧମ୍ବରୀଙ୍କୁ ନିମନ୍ତ୍ରଣ ଦେଇ ଡାକି ଆଣି, ପୀତ୍ରାଳୟ ଦକ୍ଷ ପ୍ରଜାପତି ମନ୍ଦିରରେ ଅବସ୍ଥାନ କରିଥାନ୍ତି । ପରେ ଅମାବାସ୍ୟା ରାତ୍ରରେ ବଡ ଭଉଣୀ ମାଆ ବିରିଜାଈଙ୍କୁ ନିମନ୍ତ୍ରଣ କରାଇବା ସହିତ କାଠି ଠାକୁରାଣୀଙ୍କ ମହାମିଳନ ହୋଇ ସାତ ବଖରାକୁ ପ୍ରସ୍ଥାନ ହୁଅନ୍ତି ମାଆ ଭଗବତୀଙ୍କ କାଠି ଠାକୁରାଣୀ । ଏହି ଉତ୍ସବକୁ କୁହନ୍ତି ଭେଟ ଉତ୍ସବ ।
ମାଆ ଭଗବତୀ ଭକ୍ତ ବଳିଜେନାକୁ ସାଥିରେ ନେଇ ପାର୍ବଣ ନିମନ୍ତେ ପିତା ଦକ୍ଷେଶ୍ୱର ମନ୍ଦିରରୁ ମୁଖ୍ୟ ମନ୍ଦିର ଓ ସାତ ବଖରା ଗୃହକୁ ବିଜେ କରିଥାନ୍ତି । ମାଆଙ୍କର ମହାସପ୍ତମୀ, ମହାଅଷ୍ଟମୀ, ମହାନବମୀ ସମେତ ଦଶହରା ପର୍ବ ସରିବା ପରେ ବଳିଜେନା କୁମାର ପୂର୍ଣ୍ଣିମା ରାତିରେ ମାଆଙ୍କ ପ୍ରତିନିଧି ସହ କଉଡ଼ି ଖେଳି ସେଠାରୁ ହାରିବା ପରେ, ପୁନଶ୍ଚ ଆସନ୍ତା ବର୍ଷ ଶାରଦୀୟ ପର୍ବରେ ମାଆଙ୍କ ସେବା କରିବା ପାଇଁ ଶପଥ କରି ନିଶାର୍ଦ୍ଧ ରାତିରେ ଫେରିଯାଇଥାନ୍ତି ନିଜ ଗ୍ରାମ ବାଲୁଗାଁ ନିକଟସ୍ଥ ସିଙ୍ଗେଶ୍ୱର ଗ୍ରାମକୁ । ୧୬ଦିନ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯାଇଥାଏ । ପ୍ରତି ଦିନ ସନ୍ଧ୍ୟା ହେଲେ ଏହି ପର୍ବ ଆରମ୍ଭ ହୋଇଥାଏ । ଏହାକୁ ଦେଖିବାକୁ ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।