ଭକ୍ତଙ୍କ ଡୋରୀ ବନ୍ଧା ବଡଠାକୁର, ଆରମ୍ଭ ହେଲା ଜନ୍ମବେଦୀରେ ଶ୍ରୀଜିଉଙ୍କ ଲୀଳା

ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି । ପହଣ୍ଡି କରି ମହାପ୍ରଭୁଙ୍କୁ ଜନ୍ମବେଦୀକୁ ଯାଇଛନ୍ତି। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଳଭଦ୍ରଙ୍କୁ ସେବାୟତମାନେ ପହଣ୍ଡି କରିନେଇଛନ୍ତି । ଏବେ ଜନ୍ମବେଦୀରେ ଶ୍ରୀଜିଉଙ୍କ ଲୀଳାଖେଳା ଚାଲିବ । ଏହାପୂର୍ବରୁ ଶରଧାବାଲିରେ ରଥାରୁଢ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ମହାପ୍ରଭୁଙ୍କୁ ପାଖରେ ପାଇ ଭାବ ଓ ଭକ୍ତିରେ ବିଭୋର ହୋଇଯାଇଛନ୍ତି ଭକ୍ତ। ଏବେ କଡ଼ା ସୁରକ୍ଷା ବଳୟରେ ରହିଛି ତିନି ରଥ ।

ଭାବ ଓ ଭକ୍ତି ରସରେ ଭିଜିଛି ଶରଧାବାଲି । ଜୟଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ପରିବେଶ । ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ରଥ ଉପରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷକୁ କର୍ଡନ ମଧ୍ୟରେ ରଖାଯାଇ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଥିଲା।

ନିଶ୍ଚିତ ପଢ଼ନ୍ତୁ: ଶାବର ଶ୍ରୀକ୍ଷେତ୍ରରୁ ଶୈଳ ଶ୍ରୀକ୍ଷେତ୍ର, ସବୁଠି କାଳିଆର ଲୀଳା : ଜାଣନ୍ତୁ କେଉଁ ଜିଲ୍ଲାରେ କିପରି ରହିଲା ଘୋଷଯାତ୍ରା

ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସକାଳୁ ରଥ ଉପରେ ଶ୍ରୀଜିଉଙ୍କ ସମସ୍ତ ଦୈନନ୍ଦିନ ନୀତି ଶେଷ ହୋଇଥିଲା। ମଙ୍ଗଳଆରତି, ମଇଲମ, ଅବକାଶ, ଗୋପାଳ ବଲ୍ଲଭ ଭୋଗ ସହ ସମସ୍ତ ନୀତି ସଂପାଦିତ ହୋଇଥିଲା। ରଥାଋଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ କାହିଁ କେତେଦୂରରୁ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ର ଆସିଛନ୍ତି । ରଥଯାତ୍ରା ପାଇଁ ପୁରୀ ଏବେ ଲୋକାରଣ୍ୟ। ସେପଟେ ଶ୍ରୀମନ୍ଦିରରେ ଚାଲିଛି ହେରାପଞ୍ଚମୀ ପାଇଁ ପ୍ରସ୍ତୁତି।