ଯାଜପୁର କଣ୍ଟିଗଡ଼ିଆ ଗାଁରେ ଶ୍ରୀରାମ ଚରିତ ମାନସ, ୯ଦିନ ଧରି ଚାଲିଛି ଏହି ମହୋତ୍ସବ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଣ୍ଟିଗଡ଼ିଆ ଗ୍ରାମ ସ୍ଥିତ ମଧୁକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ରାମ ଚରିତ ମାନସ ୩୧ତମ ବାର୍ଷିକ ଜନ୍ମ ମହୋତ୍ସବ ଉଦଘାଟିତ ହୋଇଯାଇଛି । ପ୍ରତିବର୍ଷ ଭଳି ଶ୍ରୀରାମ ନବମୀ ଉପଲକ୍ଷେ ଅନୁଷ୍ଠିତ ଏହି ମହୋତ୍ସବକୁ ବିଶିଷ୍ଟ ସନ୍ଥ ସ୍ୱାମୀ ଅସୀମାନନ୍ଦ ମହାରାଜ ପ୍ରଦୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ଓ ମୁଖ୍ୟ ଵକ୍ତା ଭାବେ ପଣ୍ଡିତ ହୃଷିକେଶ ରଥ ଶର୍ମା ଯୋଗଦେଇ ଶ୍ରୀରାମ କଥା ପ୍ରବଚନ ଦେଇଥିଲେ । ପଣ୍ଡିତ ବିଜୟ କୁମାର କରଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଯୋଗଦେଇ ଶ୍ରୀରାମ କଥାକୁ ଶ୍ରବଣ କରିଥିଲେ ।
ଏହି ଉତ୍ସବ ୯ଦିନ ଧରି ଚାଲିବ । ପ୍ରତ୍ୟହ ପ୍ରଭୁଙ୍କର ଯଥା ବିଧି ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେବ । ନବଦିନାତ୍ମକ ଏହି ରାମ ନବମୀ ଉତ୍ସବ ସମୟରେ ଗ୍ରାମବାସୀମାନେ ଆମିଷ ଏବଂ ପିଆଜ ରସୁଣ ଆଦି ଭକ୍ଷଣ କରିବେ ନାହିଁ । ପ୍ରତିଦିନ ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ନାମ ସଂକୀର୍ତ୍ତନ, ପ୍ରବଚନ ଓ ରାମଲୀଳା ଆଦି ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି ।
ତେବେ ପ୍ରଥମ ଦିନରୁ ହିଁ ଏହି ଉତ୍ସବରେ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଉତ୍ସବ ପାଇଁ ମନ୍ଦିର ପରିସରକୁ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହା ଦ୍ୱାରା ଗ୍ରାମବାସୀଙ୍କ ମଧ୍ୟରେ ଏକତ୍ୱ ଭାବ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।
ଆହୁରି ପଢନ୍ତୁ: ବିଶ୍ୱ ପ୍ରସିଦ୍ଧ ବାବା ଚନ୍ଦନେଶ୍ୱର ମହାଦେବଙ୍କ ଚଡକ ପର୍ବ ଶୁଭାରମ୍ଭ