ଚର୍ଚ୍ଚାରେ ନୟାଗଡ଼ର ଫତେଗଡ଼ ଗାଁ: ୫୦୦ ଫୁଟ ପାହାଡ଼ ଉପରେ ଚାଲିଛି ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ମନ୍ଦିର
ପାହାଡ଼ର ଶିଖରରେ ମନଲୋଭା ସୌନ୍ଦର୍ଯ୍ୟର ପ୍ରତିଛବି । ଏହି ଦୃଶ୍ୟକୁ ଯେ କେହି ବି ଦେଖିବ ଘଡ଼ିଏ ଅଟକି ଯିବ । ଶାନ୍ତପରିବେଶ ମଧ୍ୟରେ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଭବ୍ୟ ଶ୍ରୀରାମଙ୍କ ମନ୍ଦିର । ଏହାକୁ ନେଇ ଏବେ ଚର୍ଚ୍ଚାରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଗାଁ । ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଙ୍କ ମନ୍ଦିର ୫୦୦ ଫୁଟ ପାହାଡ଼ ଉପରେ ୩୬ଏକର ଜାଗାରେ ମନ୍ଦିର ନିର୍ମାଣ ହୋଇଛି । ଏହାର କାରୁକାର୍ଯ୍ୟ ଦେଖିଲେ ଆଖି ଝଲସିଯାଉଛି ।

ନୟାଗଡ (କେନ୍ୟୁଜ) : ପାହାଡ଼ର ଶିଖରରେ ମନଲୋଭା ସୌନ୍ଦର୍ଯ୍ୟର ପ୍ରତିଛବି । ଏହି ଦୃଶ୍ୟକୁ ଯେ କେହି ବି ଦେଖିବ ଘଡ଼ିଏ ଅଟକି ଯିବ । ଶାନ୍ତପରିବେଶ ମଧ୍ୟରେ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଭବ୍ୟ ଶ୍ରୀରାମଙ୍କ ମନ୍ଦିର । ଏହାକୁ ନେଇ ଏବେ ଚର୍ଚ୍ଚାରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଗାଁ । ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଙ୍କ ମନ୍ଦିର ୫୦୦ ଫୁଟ ପାହାଡ଼ ଉପରେ ୩୬ଏକର ଜାଗାରେ ମନ୍ଦିର ନିର୍ମାଣ ହୋଇଛି । ଏହାର କାରୁକାର୍ଯ୍ୟ ଦେଖିଲେ ଆଖି ଝଲସିଯାଉଛି ।
ସ୍ଥାନୀୟ ଲୋକଙ୍କ ସହଯୋଗ ଏବଂ ଶ୍ରୀରାମ ସେବା ପରିଷଦର ସଭାପତି ବେଣୁଧର ପ୍ରଧାନଙ୍କ ଉଦ୍ୟମରେ ପାହାଡ଼ ଉପରେ ଶ୍ରୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ସମ୍ପୂର୍ଣ୍ଣ ମନ୍ଦିର ବଉଳମାଳା ପଥରରେ ନିର୍ମାଣ ହୋଇଛି । ଏହି ମନ୍ଦିର ଉଚ୍ଚତା ରହିଛି ୬୫ ଫୁଟ । ଗଞ୍ଜାମ ର ତାରାତାରିଣୀ ମନ୍ଦିର ଶୈଳୀରେ ନିର୍ମାଣ ହୋଇଛି ଏହି ମନ୍ଦିର । ୪ ବର୍ଷ ଧରି ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଜିଲ୍ଲାର ଦେଢ଼ ଶହରୁ ଅଧିକ ବଛା ବଛା କାରିଗର ମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ ପୂର୍ବରୁ ଏହି ପାହାଡ଼ ଉପରେ ସ୍ଥାନୀୟ ବାସିନ୍ଦା ବର୍ଷା ପାଇଁ ଗିରି ଗୋବର୍ଦ୍ଧନ ପୂଜା କରୁଥିଲେ । ୫ ବର୍ଷ ପୂର୍ବେ ଗାଁ ଜଣେ ଲୋକଙ୍କୁ ପାହାଡ଼ ଉପରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସ୍ବପ୍ନାଦେଶ ହୋଇଥିଲା । ଏହା ପରେ ଗାଁ ଲୋକଙ୍କ ସହଯୋଗରେ ଏକ ଲକ୍ଷ ଟଙ୍କାରେ ପାହାଡ ଉପରେ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ଲୋକଙ୍କ ଦାନ ଦକ୍ଷିଣା ଏବଂ ସ୍ଵଛା ସେବୀଙ୍କ ଆର୍ଥିକ ସହାୟତାରେ ଶ୍ରୀରାମ ସେବା ପରିଷଦ ପକ୍ଷରୁ ପାହାଡ଼ ଉପରେ ମନ୍ଦିର ତୋଳିବା କାମ କରାଗଲା । ମନ୍ଦିରରେ ପୁରୀ କୋଣାର୍କ ଏବଂ ତାରାତାରିଣୀ ମନ୍ଦିର କାରୁକାର୍ଯ୍ୟ ଦୃଶ୍ୟ ଦେଖିବା ପାଇଁ ମିଳୁଛି। ମନ୍ଦିରରେ ୪୫୦ ପ୍ରକାର ଘୋଡା ହାତୀ ଏବଂ ପାଶ୍ବ ଦେବଦେବୀଙ୍କ ମୃତ୍ତି ଏବଂ ଦଶଅବତାର। ମନ୍ଦିର ନିର୍ମାଣ ପାଇଁ ଖୋର୍ଦ୍ଧାର ଭୋଗପୁର ପାହାଡରୁ ବଉଳ ମାଳା ପଥର ଆସିଥିବା ବେଳେ ଏଥିରେ ନିର୍ମିତ ହୋଇ ଥିବା ପାଶ୍ବ ଦେବାଦେବୀଙ୍କ ମୃତ୍ତି ନିର୍ମାଣ ମନ୍ଦରର ସୌନ୍ଦର୍ଯ୍ୟକୁ ଝଟକାଉଛି ।
ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଦିନ କାର୍ଯ୍ୟ ସୂଚୀ ଅନୁଯାୟୀ ଫତେଗଡ଼ ପାହାଡ ଉପରେ ନିର୍ମିତ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ହେବ । ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ହଜାର ହଜାର ସାଧୁ ସନ୍ଥ ,ରାଜନେତା , ଭକ୍ତଙ୍କୁ ନିମନ୍ତ୍ରଣ କରାଯାଇଛି । ମନ୍ଦିରକୁ ଯିବା ପାଇଁ ପାହାଡ଼ କାଟି କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି । ପାହାଡ଼ ଉପରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ପାର୍କ , ଶିଶୁ ଉଦ୍ୟାନ, ରୋପୱେ କାର୍ଯ୍ୟ ଚାଲିଛି ।
ନିର୍ମାଣଧୀନ ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆସିବା ପାଇଁ କଣ୍ଟିଲୋର ପ୍ରଭୁ ଶ୍ରୀନୀଳମାଧଵ, ଓଡଗାଁର ଶ୍ରୀରଘୁନାଥ , ଶରଣକୁଳର ଲଡୁକେଶ ମହେଶଙ୍କୁ ଗୁଆ,ନଡ଼ିଆ,ପାନ,ଫଳ ଦେଇ ଶ୍ରୀରାମ ସେବା ପରିଷଦ ପକ୍ଷରୁ ନିମନ୍ତ୍ରଣପତ୍ର ଦିଆଯାଇଛି । ଶେଷ ସ୍ପର୍ଶ ଅପେକ୍ଷାରେ ଥିବା ପାହାଡ଼ ଶିଖରରେ ନବ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନ ଏବେ ଆକର୍ଷଣ ପାଲଟିଛି । ସ୍ଥାନୀୟ ବାସିନ୍ଦାଙ୍କ ଇଚ୍ଛା ଶକ୍ତି ଏବଂ ଶ୍ରୀରାମ ସେବା ପରିଷଦ ଉଦ୍ୟମରେ ଆଜି ଅସମ୍ଭବ ସମ୍ଭବ ହୋଇଛି । ଫତେଗଡ଼ର ଭବ୍ୟ ଶ୍ରୀରାମ ମନ୍ଦିରର କାରୁକାର୍ଯ୍ୟ ଏବଂ ସୌନ୍ଦର୍ଯ୍ୟ ଆଗାମୀ ଦିନରେ ପର୍ଯ୍ୟଟକଙ୍କ କେନ୍ଦ୍ର ବିନ୍ଦୁ ପାଲଟିବ ।