ଅନ୍ଧବିଶ୍ବାସରେ ପଡ଼ି ଦୁଇ ପରିବାର ଭିତରେ ହେଲା ରକ୍ତାକ୍ତ ସଂଘର୍ଷ

ବଲାଙ୍ଗୀର: ଅନ୍ଧବିଶ୍ୱାସରେ ସମ୍ପୂର୍ଣ୍ଣ ଅନ୍ଧ ହୋଇଗଲାଣି ଏ ମଣିଷ । ଭୁଲିଯାଉଛି ମାନବିକତା ପସୋରି ଦେଉଛି ସବୁ ସମ୍ପର୍କ । ଅନ୍ଧବିଶ୍ୱାସକୁ ଭରସା କରି କିଛି ଲୋକ ଅପରାଧ କରିବାକୁ ମଧ୍ୟ ପଛାଉ ନାହାନ୍ତି । କରି ବସୁଛନ୍ତି ଅମାନବୀୟ କାଣ୍ଡ । ନେଇ ଯାଉଛନ୍ତି ଅନେକ ମୂଲ୍ୟବାନ ଜୀବନ । ନିକଟରେ ଗୁଣି ଗାରେଡ଼ିକୁ କେନ୍ଦ୍ରକରି ବଲାଙ୍ଗୀରରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ତୁଷୁରା ଥାନା ଅନ୍ତର୍ଗତ ଆଠଗାଁରେ ଘଟିଯାଇଛି ଏହି ଚାଞ୍ଚଲ୍ଯକର ଘଟଣା I ରାତି ଅଧରେ ଗାଁର ଦୁଇ ପରିବାର ମୁହାଁମୁହିଁ ହୋଇଛନ୍ତି । ଘଟିଛି ରକ୍ତପାତ ହୋଇଛି । ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଏହି ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି ।
ମୃତକ ଜଣକ ହେଲେ ଶ୍ୟାମ ବାଗ I ଶ୍ୟାମଙ୍କ ଘରେ ଗୁଣିଗାରେଡ଼ି ଚାଲୁଥିବା ସନ୍ଦେହ କରିଥିଲେ ଅଭିଯୁକ୍ତ ବାଳଗୋପାଳ ରଣାଙ୍କ ପରିବାର ଲୋକେ । ବିଭିନ୍ନ ସମୟରେ ଦେହ ଅସୁସ୍ଥ ହେଉଥିବାରୁ ଏହି ସନ୍ଦେହ ବଢ଼ି ଚାଲିଥିଲା I ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ଗୋଟିଏ ବର୍ଷ ହେବ ଝଗଡା ଲାଗି ରହିଥିଲା I ତେବେ ଗତକାଲି ରାତିରେ ଏହି ଝଗଡ଼ା ଭୟଙ୍କର ରୂପ ନେଇଥିଲା । ଯାହା ରକ୍ତାକ୍ତ ସଂଘର୍ଷରେ ବଦଳିଗଲା । ଉଭୟ ପରିବାରର ଲୋକଙ୍କ ହାତରେ ରହିଥିଲା ମାରଣାସ୍ତ୍ର । ଯିଏ ଯାହାକୁ ପାରିଲେ ଆକ୍ରମଣ କରିଥିଲେ I ଏହି ଗଣ୍ଡଗୋଳ ବେଳେ ଘଟଣାସ୍ଥଳରେ ଶ୍ୟାମଙ୍କ ମୃତ୍ୟୁ ଘଟିଲା ଆଉ ୪ଜଣ ଗୁରୁତର ଆହତ ହୋଇଥିଲେ I ଗୁରୁତରଙ୍କୁ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି I
ଖବର ପାଇବା ପରେ ଘଟଣା ସ୍ଥଳରେ ତୁଷୁରା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା I ଅଭିଯୁକ୍ତ ବାଳଗୋପାଳ ମଧ୍ଯ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି I ଅଭିଯୁକ୍ତ ପରିବାରର କିଛି ଲୋକଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ଘଟଣାସ୍ଥଳରେ ବଲାଙ୍ଗୀର ଏସଡିପିଓଙ୍କ ନେତୃତ୍ବରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି I ଏସ୍ପି ଅଭିଳାଷ ଜି. ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।
ତେବେ ଆଜିବି ଲୋକଙ୍କ ମନରେ କୋଉଠି ନା କୋଉଠି ଅନ୍ଧବିଶ୍ବାସ ଘର କରି ରହିଛି । ଯାହାକୁ ଦୂର କରିବା ପାଇଁ କେବଳ ସଚେତନତା ହିଁ ଦରକାର । ଯେଉଁ ଅନ୍ଧବିଶ୍ବାସ ମଣିଷ ପାଇଁ ଘାତକ ହେଉଛି ତା ବିରୋଧରେ କଠୋର ପଦକ୍ଷେପ ନେବା ମଧ୍ୟ ଜରୁରୀ । ଏଇ ଅନ୍ଧବିଶ୍ବାସ ଯୋଗୁଁ ଜଣଙ୍କ ଜୀବନ ଯାଉଥିବା ବେଳେ ସଂସାର ଉଜୁଡ଼ି ଯାଉଛି ।
Also Read:ଜଳିଗଲା ଝିଅ ବାହାଘର ପାଇଁ ସାଇତି ରଖିଥିବା ସୁନା ଓ ଲକ୍ଷ ଲକ୍ଷ ଟଙ୍କା, ମୁଣ୍ଡରେ ହାତ ଦେଇ ବସିଛି ପରିବାର