କିଶୋର ଅବସ୍ଥାରେ ପ୍ରେମରେ ପଡ଼ୁଥିଲେ ଏହି ୬ଟି ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ମଜଭୁତ ହେବ ସମ୍ପର୍କ

ଆଜିକାଲି ଖୁବ୍ କମ୍ ବୟସରୁ ପିଲାମାନେ ଡେଟିଂ କରୁଥିବା ଦେଖିବାକୁ ମିଳୁଛି। କିଛି ପିଲା ଜୀବନର ମାନେ ବୁଝିବା ପୂର୍ବରୁ ହିଁ ଗର୍ଲଫ୍ରେଣ୍ଡ ରଖିବା ଆରମ୍ଭ କରିଦେଲେଣି। ସମ୍ପର୍କର ମୂଲ୍ୟବୋଧ ବୁଝୁନଥିବାରୁ ଆଜିକାଲିର ପିଲାଙ୍କ ସମ୍ପର୍କ ମଧ୍ୟ ଦୁର୍ବଳ ହୋଇପଡ଼ୁଛି। ଫଳରେ ବର୍ଷେ କି ଦୁଇ ବର୍ଷ ପରେ କପଲ ଅଲଗା ହୋଇଯାଉଥିବା ଦେଖିବାକୁ ମିଳିଛି। ତେବେ କେତେକ ଛୋଟ ଛୋଟ ବିଷୟ ପ୍ରତି ଧ୍ୟାନ ଦେଲେ ସମ୍ପର୍କ ଭାଙ୍ଗିବା ତ ଦୂରର କଥା ଦିନକୁ ଦିନ ଏତେ ମଜଭୁତ ହୋଇଯିବ ଯେ କେହି ଆପଣଙ୍କ ଭିତରକୁ ଆସିବାକୁ ବି ସାହସ କରିବେନି। ଆସନ୍ତୁ ଜାଣିବା ଟିନ୍ ଏଜରଙ୍କ ପାଇଁ କେତେକ ସହଜ ଡେଟିଂ ଟିପ୍ସ ଯାହା ପ୍ରେମ ଜୀବନକୁ କରିବ ଅଧିକ ମଜଭୁତ…
ନିଜ ସମୟ ନିଅନ୍ତୁ:
ଡେଟିଂ କରିବା ପୂର୍ବରୁ ଖାସ୍ କରି ଟିନ୍ ଏଜର ଝିଅମାନେ ଥରେ ନିଜ ମନକୁ ପଚାରନ୍ତୁ ନିଜେ ଏଥିପାଇଁ ପ୍ରସ୍ତୁତ କି ନାହିଁ। ଯଦି ଆପଣଙ୍କୁ ଲାଗୁଛି ଯେ ଆପଣ ବର୍ତ୍ତମାନ ଏକ ସମ୍ପର୍କ ମଧ୍ୟରେ ପଶିବାକୁ ପ୍ରସ୍ତୁତ ତେବେ ଯାଇ କାହା ସହ ଡେଟ୍ରେ ଯାଆନ୍ତୁ। ଯଦି ନିଜେ ମାନସିକ ସ୍ତରରେ ପ୍ରସ୍ତୁତ ନୁହେଁ ତେବେ ସିଙ୍ଗଲ ରହିବା ହିଁ ଶ୍ରେୟସ୍କର।
କିଏ ଆପଣଙ୍କୁ ପସନ୍ଦ କରୁଛି ପ୍ରଥମେ ଜାଣନ୍ତୁ:
ପ୍ରେମ ଅର୍ଥ କେବଳ ଆପଣ କାହାକୁ ଭଲ ପାଇବା ନୁହେଁ। ଉଭୟେ ପରସ୍ପରକୁ ଭଲ ପାଇବାକୁ ହିଁ ପ୍ରେମ କୁହାଯାଏ। ଏଣୁ କାହା ସହ ଡେଟ୍ରେ ଯିବା ପୂର୍ବରୁ ପ୍ରଥମେ ଜାଣନ୍ତୁ ସେ ଆପଣଙ୍କୁ ପ୍ରକୃତରେ କେତେ ଭଲ ପାଉଛନ୍ତି। ଆପଣଙ୍କୁ ସେ ସବୁ ପରିସ୍ଥିତିରେ ସୁରକ୍ଷା ଯୋଗାଇବାକୁ ସକ୍ଷମ କି ନାହିଁ ଅନୁଭବ କରିବା ପରେ ହିଁ ଗୋଟିଏ ସମ୍ପର୍କରେ ଆଗକୁ ବଢ଼ନ୍ତୁ।
ଜାଣନ୍ତୁ କେତେବେଳେ ଶେଷ କରିବେ:
ଯଦି ଭବିଷ୍ୟତରେ ପାର୍ଟନର ଆପଣଙ୍କୁ ସେତିକି ସପୋର୍ଟ କରିପାରିଲେ ନାହିଁ ଯେତିକି ଆଶା କରୁଛନ୍ତି କିମ୍ବା ଆପଣଙ୍କ ଭିତରେ କିଛି ସମସ୍ୟା ହେଲା, ତେବେ ସମ୍ପର୍କକୁ ସେଠାରେ ହିଁ ସମାପ୍ତ କରିବା ଜରୁରୀ। ଗୋଟିଏ ଅସନ୍ତୁଷ୍ଟ ସମ୍ପର୍କରେ ରହିବା ଅପେକ୍ଷା ଆଦୌ ସମ୍ପର୍କ ନ ରଖିବା ହିଁ ଭଲ। ଏଣୁ ସମ୍ପର୍କରେ ଫାଟ ସୃଷ୍ଟି ହେଲେ ତୁରନ୍ତ ସେଠାରେ ହିଁ ଅଟକି ଯାଆନ୍ତୁ।
ଫେସ୍ବୁକ୍ରେ ଦେଖେଇ ହୁଅନ୍ତୁ ନାହିଁ:
ଆଜିର ଯୁବପିଢ଼ି ଜୀବନର ଛୋଟ ଛୋଟ କଥାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ସମସ୍ତଙ୍କୁ ଜଣାଇବାକୁ ପସନ୍ଦ କରୁଛନ୍ତି। ମାତ୍ର ସବୁକ୍ଷେତ୍ରରେ ଏଭଳି କରିବା ଅନୁଚିତ। ଯଦି ନୂଆ କରି କାହା ସହ ସମ୍ପର୍କ ସ୍ଥାପନ କରୁଛନ୍ତି ତେବେ ତୁରନ୍ତ ତାହାକୁ ଫେସ୍ବୁକ୍ର ଷ୍ଟାର୍ଟସ ଭାବେ ଦିଅନ୍ତୁ ନାହିଁ। ଦୁନିଆକୁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଜଣାଇବା ଦ୍ୱାରା ପରେ ସମସ୍ୟା ସୃଷ୍ଟି ହୋଇପାରେ।
ନିଜକୁ ଚିନ୍ତାମୁକ୍ତ ରଖନ୍ତୁ:
ଚିନ୍ତାରେ ରହିବା ଆଦୌ ପ୍ରେମ ନୁହେଁ। ଏହାକୁ ସାଧାରଣ ମଧ୍ୟ କୁହାଯାଇପାରିବ ନାହିଁ। ଅଧିକାଂଶ କିଶୋର କିଶୋରୀଙ୍କ କହିବାନୁସାରେ ସେମାନେ ପ୍ରେମରେ ପଡ଼ିବା ପରେ ଯେତିକି ଚିନ୍ତାରେ ରହୁଛନ୍ତି ପୂର୍ବରୁ କେବେ ଏଭଳି ଚିନ୍ତାଗ୍ରସ୍ତ ନଥିଲେ। ଏଣୁ ଯେଉଁ ମୁହୂର୍ତ୍ତରେ ଲାଗୁଛି ପ୍ରେମ ଯୋଗୁ ଆପଣଙ୍କ ଚିନ୍ତା ବଢ଼ୁଛି ସେହି ସମୟରେ ହିଁ ପ୍ରେମରେ ପୂର୍ଣ୍ଣଚ୍ଛେଦ ଟାଣନ୍ତୁ।
ପାର୍ଟନରଙ୍କୁ ବି ଦିଅନ୍ତୁ ସମୟ:
କିଶୋର କିଶୋରୀମାନେ ଏକ ଅପରିପକ୍ୱ ବୟସରେ ପ୍ରେମ ଆରମ୍ଭ କରିଥିବାରୁ ଉଭୟଙ୍କୁ ଜଣାନଥାଏ କେମିତି ସମ୍ପର୍କକୁ ଆଗକୁ ନେବେ। ଏଣୁ ଛୋଟ ଛୋଟ କଥାରେ ସେମାନେ ଝଗଡ଼ା କରିବା ଆରମ୍ଭ କରି ଦେଇଥାନ୍ତି। ଯଦି ଆପଣଙ୍କ ପାର୍ଟନର ମଧ୍ୟ ସେଭଳି ବ୍ୟବହାର କରୁଛନ୍ତି ତେବେ ତାଙ୍କୁ କିଛି ସମୟ ଦିଅନ୍ତୁ। ସମ୍ପର୍କକୁ ବୁଝିବାକୁ ତାଙ୍କୁ ପର୍ଯ୍ୟାପ୍ତ ସମୟ ଦେଲେ ହିଁ ସେ ଏହାର ମର୍ଯ୍ୟାଦା ରକ୍ଷା କରିପାରିବେ।