ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁ ଗୃହବନ୍ଦୀ, ଆନ୍ଧ୍ରରେ ଉତ୍ତେଜନା

ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁ ଗୃହବନ୍ଦୀ । ଚଲୋ ଆତ୍ମାକୁର ରାଲି ଆହ୍ଵାନ ଦେଇଥିବାରୁ ଚନ୍ଦ୍ରବାବୁ, ତାଙ୍କ ପୁଅ ନାରା ଲୋକେଶଙ୍କ ସମେତ ଟିଡିପି ନେତାଙ୍କୁ ଗୃହବନ୍ଦୀ ରଖାଯାଇଛି । ବିଜୟଓ୍ଵାଡା ନିକଟ ଉଣ୍ଡାବାଲି ସ୍ଥିତ ଘରେ ଚନ୍ଦ୍ରବାବୁଙ୍କୁ ପୋଲିସ ଅଟକ ରଖିଥିବା ଅଭିଯୋଗ କରିବା ପରେ ଆନ୍ଧ୍ରପ୍ରଦେଶରେ ଉତ୍ତେଜନା ଦେଖାଦେଇଛି । ଅଟକ ପ୍ରତିବାଦରେ ଚନ୍ଦ୍ରବାବୁ ସକାଳ ୮ଟାରୁ ସଂଧ୍ୟା ୮ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଅନଶନରେ ବସିଛନ୍ତି । ସେପଟେ ନାଇଡୁଙ୍କ ଘର ବାହାରେ ଶହଶହ ସମର୍ଥକଙ୍କ ଭିଡ ଜମିଛି । ଶାସକ ଓ୍ଵାଇଏସଆର ସରକାର ବିରୋଧରେ ଟିଡିପି ‘ଚଲୋ ଆତ୍ମାକୁର’ ଆୟୋଜନ କରୁଛି ।

ଆହୁରି ପଢନ୍ତୁ: ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ନବରାତ୍ରୀ ଏବଂ ଏଥର କେଉଁ ବାହନରେ ଆଗମନ କରିବେ ମାତା ଦୁର୍ଗା

ଗତ ୩ ମାସରେ ଓ୍ଵାଇଏସଆର କର୍ମୀମାନେ ଟିଡିପି କର୍ମୀଙ୍କୁ ଆକ୍ରମଣ ଓ ହତ୍ୟା କରିଥିବା ଚନ୍ଦ୍ରବାବୁ ଅଭିଯୋଗ କରି ଆସୁଛନ୍ତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ନରସାରାଓପେଟା, ସତେନାପଲ୍ଲୀ, ପାଲ୍‌ନାଡୁ ଏବଂ ଗୁରାଜାଲାରେ ୧୪୪ ଧାରା ଜାରି କରାଯାଇଛି। ଚନ୍ଦ୍ରବାବୁ ନାଇଡୁଙ୍କ ସହ ଟିଡିପିର ଅନେକ ବରିଷ୍ଠ ନେତାଙ୍କୁ ଗୃହବନ୍ଦୀ କରାଯାଇଛି। ଆନ୍ଧ୍ରରେ ୱାଇଏସ ଜଗନ ଗଣତନ୍ତ୍ରକୁ ହତ୍ୟା କରିବା ସହ ପ୍ରତିଶୋଧମୂଳକ ରାଜନୀତି କରୁଥିବା କହିଛନ୍ତି ଚନ୍ଦ୍ରବାବୁ ନାଇଡୁ। ଦକ୍ଷିଣ ଭାରତରେ ପ୍ରତିଶୋଧମୂଳକ ରାଜନୀତି ନୂଆ ନୁହେଁ। ପୂର୍ବରୁ ଅନେକ ନେତା କ୍ଷମତାକୁ ଆସିବା ପରେ ନିଜ ପ୍ରତିପକ୍ଷଙ୍କ ବିରୋଧରେ ପୋଲିସ ଓ ପ୍ରଶାସନକୁ ବ୍ୟବହାର କରିଛନ୍ତି। ଚନ୍ଦ୍ରବାବୁ ନାଇଡୁଙ୍କ ମୁଖ୍ୟମନ୍ତ୍ରୀଙ୍କ କାଳରେ ଜଗନଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆସିଥିଲା। ବର୍ତ୍ତମାନ ଜଗନ କ୍ଷମତାକୁ ଆସିବା ପରେ ନାଇଡୁଙ୍କ ସମସ୍ତ ପ୍ରକଳ୍ପକୁ ବନ୍ଦ କରିଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପ୍ରସ୍ତାବିତ ରାଜଧାନୀ ଅମରାବତୀ ଓ ପୋଲାଭରମକୁ ବନ୍ଦ କରାଇଛନ୍ତି। କିଛିଦିନ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କ ଗିରଫକୁ ନେଇ ମଧ୍ୟ ଅମିତ ଶାହାଙ୍କ ପ୍ରତିଶୋଧମୂଳକ ରାଜନୀତି ନେଇ ଚର୍ଚ୍ଚା ହୋଇଥିଲା।