ହଜାର ହଜାର ଭକ୍ତଙ୍କ ଗହଣରେ ସମାପନ ହେଲା ଗୋରେଖନାଥଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ପ୍ରସିଦ୍ଧ ଶୈବପୀଠ ବିଭୂତି କ୍ଷେତ୍ର ବାବା ଗୋରେଖନାଥଙ୍କ ପୀଠରେ ବିଶ୍ଵର ଶାନ୍ତି ନିମନ୍ତେ ହେଉଥିବା ବିଶ୍ଵଶାନ୍ତି ମହାଯଜ୍ଞ ସମାପ୍ତ ହୋଇଛି । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ଏହି ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମାପନ ହୋଇଛି । ଯଜ୍ଞ ଆରମ୍ଭରୁ ପ୍ରତ୍ୟେକ ଦିନ ଯଜ୍ଞ ଆହୁତି ସହିତ ସଂଧ୍ୟାରେ ସଂଧ୍ୟା ଆଳତୀ ଦେଖିବାକୁ ଭକ୍ତଙ୍କ ଆଗମନ ଦେଖିବାକୁ ମିଳିଥିଲା । ପୂର୍ଣ୍ଣାହୁତି ଦେଖିବାକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ଗୋରେଖନାଥଙ୍କ ପୀଠରେ ଦେଖିବାକୁ ମିଳିଥିଲା ।
ଏହି ପୂର୍ଣ୍ଣାହୁତି ଦିନ ବାବା ଗୋରେଖ ନାଥ ସର୍ପ ରୂପରେ ଭକ୍ତ ମାନଙ୍କୁ ବଟ ବୃକ୍ଷରେ ଦର୍ଶନ ଦେଉଥିବାର ଭକ୍ତଙ୍କ ବିଶ୍ୱାସ ରହିଥିବାବେଳେ, ଅନେକ ଭକ୍ତ ଗଛ ଡାଳରେ ସର୍ପ ଦର୍ଶନ ମଧ୍ୟ କରିଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏଥିସହ ପୀଠରେ ସମାପ୍ରହର ନାମଯଜ୍ଞ, ହରିହାଟରେ ହଜାର ହଜାର ଭକ୍ତଙ୍କ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ମାନ କରାଯାଇଥିଲା ।
ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ସକାଳୁ ଗୋପୂଜା, ସୂର୍ଯ୍ୟପୂଜା, ଆଳତି, କଳସଯାତ୍ରା, ସନ୍ଧ୍ୟା ଆଳତି, ଆହୁତି ପ୍ରଦାନ, ଘୃତ ଆହୁତି, ଆଦି କରାଯାଇ ସମାଜରେ ଶାନ୍ତି ପ୍ରତିଷ୍ଠା ଓ ଭକ୍ତମାନଙ୍କ ମଙ୍ଗଳ କାମନା କରି ଚାଲିଥିଲା ଏହି ମହାଯଜ୍ଞ । ଭକ୍ତ ମାନେ ମନସ୍କାମନା ପୂର୍ଣ୍ଣ ପାଇଁ ଧାଇଁ ଆସିଥିଲେ ଏହି ବିଭୂତି କ୍ଷେତ୍ରକୁ । ପ୍ରତ୍ୟହ ମାଧ୍ୟାହ୍ନରେ ହଜାର ହଜାର ଭକ୍ତ ଏକକାଳୀନ ପ୍ରସାଦ ସେବନ ସହିତ ମହାଦେବଙ୍କ ଦର୍ଶନ କରିଥିଲେ । ଏହା ସହିତ ମିନା ବଜାର, ଖାଦ୍ୟ ବଜାର, ଯାତ୍ରା, ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାରମାସରେ ତେର ପର୍ବ ଭିତରୁ ଏହି ବିଶ୍ଵଶାନ୍ତି ମହାଯଜ୍ଞ ବାବାଙ୍କର ଏକ ବଡ ପର୍ବ ।
ଆହୁରି ପଢନ୍ତୁ: ବାର୍ଷିକ ଉତ୍ସବ ପାଇଁ ଚଳଚଞ୍ଚଳ ମାଟିଆ ମଙ୍ଗଳା ପୀଠ, ଅଶ୍ୱତ୍ଥ ଗଛରେ ବ୍ରତ ବାନ୍ଧିଲେ ମାଆ ପୂରଣ କରନ୍ତି ମନସ୍କାମନା